ପ୍ରଧାନମନ୍ତ୍ରୀ ବନାସକାଣ୍ଠାକୁ ୧୪ ହଜାର କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଭେଟି ଦେଲେ
ବନାସକାଣ୍ଠା (ଗୁଜରାଟ), ଅକ୍ଟୋବର ୩୦ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟର ବନାସକାଣ୍ଠାଠାରେ ୧୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନା
प्रधानमंत्री नरेन्द्र मोदी शुक्रवार को गुजरात के बनासकांठा में जनसभा को संबोधित करते हुए


ବନାସକାଣ୍ଠା (ଗୁଜରାଟ), ଅକ୍ଟୋବର ୩୦ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଗୁଜରାଟର ବନାସକାଣ୍ଠାଠାରେ ୧୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୪ତମ କିସ୍ତି ଜାରି କରିଛନ୍ତି। ଏହା ଅଧୀନରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୯ ହଜାର କୋଟି ଟଙ୍କା ହସ୍ତାନ୍ତର କରାଯାଇଛି।

ବନାସକାଣ୍ଠାଠାରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିରୋଧୀ ଦଳର ନାମ ନନେଇ ସେମାନଙ୍କ ଉପରେ ଦେଶରେ ଗୁଜବ ପ୍ରଚାର, ସଙ୍କଟ ସମୟରେ ରାଜନୀତି କରିବା ଏବଂ ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କିଛି ଲୋକ ଦେଶ ସଙ୍କଟରେ ଥିବାବେଳେ ଖୁସି ହୁଅନ୍ତି। ଯେତେବେଳେ ସମଗ୍ର ଦେଶ ଏକଜୁଟ ହୋଇ ଆହ୍ୱାନର ମୁକାବିଲା କରୁଥାଏ, ସେତେବେଳେ ଏଭଳି ଲୋକ ଗୁଜବ ପ୍ରଚାରରେ ଲାଗିପଡ଼ନ୍ତି।

ମୋଦୀ କହିଛନ୍ତି ଯେ, ଦେଶର ଯୁବପିଢ଼ି ଓ ଚାଷୀମାନେ ଯେତେବେଳେ ବିକଶିତ ଭାରତ ଗଠନ ପାଇଁ ଉଦ୍ୟମ କରୁଛନ୍ତି, ସେତେବେଳେ କିଛି ଲୋକ ଏହାକୁ ପସନ୍ଦ କରୁନାହାନ୍ତି। ଏଭଳି ଲୋକ ଦେଶକୁ ସଙ୍କଟରେ ଦେଖି ଖୁସି ହୁଅନ୍ତି। ଇରାନ ଯୁଦ୍ଧ ପରେ ସୃଷ୍ଟି ହୋଇଥିବା ବିଶ୍ୱ ପରିସ୍ଥିତି ଏହାର ସଦ୍ୟତମ ଉଦାହରଣ। ଭାରତ ଏକଜୁଟ ହୋଇ ଏହି ଆହ୍ୱାନର ସାମ୍ନା କରୁଥିବାବେଳେ କିଛି ଲୋକ ଗୁଜବ ପ୍ରଚାରରେ ଲାଗିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କୁ ସାର ମିଳିବ ନାହିଁ ଏବଂ ମହିଳାମାନଙ୍କ ପାଇଁ ରୋଷେଇ ଗ୍ୟାସ୍ ଯୋଗାଣ ବନ୍ଦ ହୋଇଯିବ ବୋଲି ଗୁଜବ ପ୍ରଚାର କରାଯାଇଥିଲା। ଦେଶରେ ଅରାଜକତା ସୃଷ୍ଟି କରିବା ଏବଂ ମୋଦୀଙ୍କୁ ବଦନାମ କରିବା ଏହି ଲୋକମାନଙ୍କ ଯୋଜନା ଥିଲା। ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ତ୍ୱେ ସରକାର ଚାଷୀଙ୍କ ପାଇଁ ସାରର ଅଭାବ ହେବାକୁ ଦେଇନାହାନ୍ତି। ବିଶ୍ୱ ବଜାରରେ ସାରର ମୂଲ୍ୟ ବହୁଳ ଭାବେ ବୃଦ୍ଧି ପାଇଥିଲେ ମଧ୍ୟ ସରକାର ଏହାର ବୋଝ ଚାଷୀଙ୍କ ଉପରେ ପଡ଼ିବାକୁ ଦେଇନାହାନ୍ତି। ମୋଦୀ କହିଛନ୍ତି ଯେ, ସେ ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଦେଶବାସୀଙ୍କ ସେବା କରିଚାଲିବେ।

ସେ କହିଛନ୍ତି ଯେ, ଗତ କିଛି ବର୍ଷ ମଧ୍ୟରେ ବିଶ୍ୱସ୍ତରୀୟ ପରିସ୍ଥିତି କାରଣରୁ ସାରର ମୂଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଚାଷୀଙ୍କୁ ଏହି ଆର୍ଥିକ ବୋଝରୁ ରକ୍ଷା କରିବା ପାଇଁ ସରକାର ପ୍ରାୟ ୧୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ପ୍ରଦାନ କରିବାର ପ୍ରତିଶ୍ରୁତି ମଧ୍ୟ ସରକାର ପୂରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଗତ ୧୦ରୁ ୧୨ ବର୍ଷ ମଧ୍ୟରେ ଚାଷୀଙ୍କୁ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତିପୂରଣ ଦିଆଯାଇଛି।

ମୋଦୀ କହିଛନ୍ତି ଯେ, ପିଏମ୍-କିଷାନ ସମ୍ମାନ ନିଧି ଯୋଜନା କୋଟି କୋଟି କ୍ଷୁଦ୍ର ଚାଷୀଙ୍କ ଜୀବନର ଏକ ଅଭିନ୍ନ ଅଂଶ ହୋଇପାରିଛି। ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ ଲକ୍ଷ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି। ଦେଶରେ ୮୫ ପ୍ରତିଶତରୁ ଅଧିକ ଚାଷୀ କ୍ଷୁଦ୍ର ଚାଷୀ ହୋଇଥିବା ସତ୍ତ୍ୱେ ଦଶନ୍ଧି ଦଶନ୍ଧି ଧରି ସେମାନଙ୍କ ଆବଶ୍ୟକତା ପ୍ରତି ଧ୍ୟାନ ଦିଆଯାଇନଥିଲା। ତାଙ୍କ ସରକାର ଏହି ଚାଷୀମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସିଧାସଳଖ ଆର୍ଥିକ ସହାୟତା ପହଞ୍ଚାଇଛନ୍ତି। ଗୁଜରାଟର ୫୦ ଲକ୍ଷରୁ ଅଧିକ ଚାଷୀ ମଧ୍ୟ ଏହି ଯୋଜନାର ଲାଭ ପାଇଛନ୍ତି। ବନାସକାଣ୍ଠାର ଚାଷୀମାନଙ୍କ ଖାତାକୁ ମଧ୍ୟ ପ୍ରାୟ ୫୦ କୋଟି ଟଙ୍କା ପହଞ୍ଚିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ୨୦୧୩-୧୪ ମସିହା ତୁଳନାରେ ଦେଶର କୃଷି ବଜେଟ୍ ପାଞ୍ଚ ଗୁଣରୁ ଅଧିକ ବୃଦ୍ଧି ପାଇଛି। ଗତ ୧୨ ବର୍ଷ ମଧ୍ୟରେ ଗହମ ଓ ଧାନ ଚାଷୀଙ୍କୁ ଏମ୍ଏସ୍ପି ବାବଦରେ ୨୪ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି। କୃଷି ଆମର ପରମ୍ପରା ଓ ସଂସ୍କୃତିର ଏକ ଅଂଶ। ତାଙ୍କ ସରକାର ଗତ ୧୨ ବର୍ଷ ମଧ୍ୟରେ କୃଷି ଓ ପଶୁପାଳନ କ୍ଷେତ୍ରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ଉପଯୋଗ କରିଛନ୍ତି।

ସେ କହିଛନ୍ତି ଯେ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏହାର ଏକ ଉତ୍କୃଷ୍ଟ ଉଦାହରଣ। ପୂର୍ବରୁ ଚାଷୀମାନେ ନିଜ ଜମିରେ କେଉଁ ପ୍ରକାରର ସାର ଏବଂ କେତେ ପରିମାଣରେ ଆବଶ୍ୟକ, ତାହା ଜାଣିବାରେ ଅସୁବିଧା ଭୋଗୁଥିଲେ। ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଏହି ସମସ୍ୟାର ସମାଧାନ କରିଛି। ଆଜି ପର୍ଯ୍ୟନ୍ତ ଦେଶର ଚାଷୀମାନଙ୍କୁ ୨୬ କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଛି। ଏହାବ୍ୟତୀତ ପରିବର୍ତ୍ତିତ ପାଣିପାଗର ଆହ୍ୱାନର ମୁକାବିଲା ପାଇଁ ଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୩ ହଜାର ନୂତନ କିସମର ବିହନ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି।

ମୋଦୀ ପଶୁପାଳନକୁ ଗ୍ରାମୀଣ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ବୋଲି କହିବା ସହ ଏଥିରେ ମହିଳାମାନଙ୍କର ବଡ଼ ଭୂମିକା ରହିଥିବା ଉଲ୍ଲେଖ କରିଛନ୍ତି। ଗତ ଏକ ଦଶନ୍ଧି ମଧ୍ୟରେ ସରକାର ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ଦେଇଛନ୍ତି। କାରଣ ଉନ୍ନତ ପ୍ରଜାତିର ପଶୁଙ୍କ ଦ୍ୱାରା କ୍ଷୀର ଉତ୍ପାଦନ ବୃଦ୍ଧି ପାଇଥାଏ। ଜାତୀୟ ଗୋକୁଳ ମିଶନର ଉଲ୍ଲେଖ କରି ସେ କହିଛନ୍ତି ଯେ, ଏହି ଯୋଜନା ଅଧୀନରେ ଦେଶୀ ପ୍ରଜାତିର ଗୋରୁଙ୍କ ବୈଜ୍ଞାନିକ ପ୍ରଜନନ ଓ ସଂରକ୍ଷଣକୁ ପ୍ରୋତ୍ସାହନ ଦିଆଯାଉଛି। ବନାସକାଣ୍ଠାରେ ସ୍ଥାପିତ ଗବେଷଣା କେନ୍ଦ୍ର ଏହି ମିଶନକୁ ଆହୁରି ମଜବୁତ କରିବ।

ସେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମରେ ଦୁଇଟି ବାୟୋ-ସିଏନ୍ଜି ପ୍ଲାଣ୍ଟର ମଧ୍ୟ ଶିଳାନ୍ୟାସ କରାଯାଇଛି। ପଶୁମାନଙ୍କୁ ସୁସ୍ଥ ରଖିବା, କ୍ଷୀର ଉତ୍ପାଦନ ବୃଦ୍ଧି କରିବା ଏବଂ ଗୋବରର ସର୍ବାଧିକ ଉପଯୋଗ ସୁନିଶ୍ଚିତ କରିବା ସରକାରଙ୍କ ଲକ୍ଷ୍ୟ। ପଶୁପାଳନକୁ କେବଳ ପରମ୍ପରା ମଧ୍ୟରେ ସୀମିତ ନରଖି ଚାଷୀଙ୍କ ଆୟ ବୃଦ୍ଧି ଏବଂ ଗ୍ରାମାଞ୍ଚଳର ସମୃଦ୍ଧିର ଏକ ମାଧ୍ୟମ ଭାବେ ବିକଶିତ କରାଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯଦି ଚାଷୀମାନଙ୍କୁ ସୌରଚାଳିତ ପମ୍ପ ଯୋଗାଇ ଦିଆଯାଇନଥାନ୍ତା, ତେବେ ସେମାନଙ୍କୁ ୮୦ କୋଟି ଲିଟରରୁ ଅଧିକ ଡିଜେଲ କିଣିବାକୁ ପଡ଼ିଥାନ୍ତା। ସୌର ପମ୍ପ ଯୋଗୁଁ ଚାଷୀମାନେ ଏହି ଖର୍ଚ୍ଚରୁ ସଞ୍ଚୟ କରିପାରିଛନ୍ତି ଏବଂ ଅତିରିକ୍ତ ବିଦ୍ୟୁତ୍ ଉତ୍ପାଦନର ଲାଭ ମଧ୍ୟ ପାଇଛନ୍ତି। ସରକାରଙ୍କ ପାଞ୍ଚଟି ଯୋଜନା ଓ ନିଷ୍ପତ୍ତି ଯୋଗୁଁ ଦେଶର ଚାଷୀମାନେ ମୋଟ ୫୦ ଲକ୍ଷ କୋଟି ଟଙ୍କାର ଲାଭ ପାଇଛନ୍ତି।

ମୋଦୀ ବନାସକାଣ୍ଠାର ଆଳୁ ଉତ୍ପାଦନର ଉଲ୍ଲେଖ କରି କହିଛନ୍ତି ଯେ, ଏଠାକାର ଆଳୁ ଆଜି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏଠାକାର ଚାଷୀମାନଙ୍କୁ ଆଳୁକୁ ସୁନାରେ ପରିଣତ କରିବାର ଉପଦେଶ ଦେବାର ଆବଶ୍ୟକତା ନାହିଁ, କାରଣ ସେମାନେ ପୂର୍ବରୁ ହିଁ ଏହା କରି ଦେଖାଇଛନ୍ତି।

ସେ କହିଛନ୍ତି ଯେ, ଅନିଶ୍ଚିତତାରେ ପରିପୂର୍ଣ୍ଣ ବିଶ୍ୱରେ ଭାରତର ଦ୍ରୁତ ବିକାଶ ହାର ସମଗ୍ର ବିଶ୍ୱ ପାଇଁ ନୂଆ ଆଶା ସୃଷ୍ଟି କରିଛି। ଦେଶକୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସଂକଳ୍ପ ସହ ଆଗକୁ ବଢ଼ିବାକୁ ହେବ। ଅକ୍ଟୋବର ୩୧ ତାରିଖରେ ଜାତୀୟ ଏକତା ଦିବସ ଅବସରରେ ଦେଶବ୍ୟାପୀ ଆୟୋଜିତ ହେବାକୁ ଥିବା ‘ରନ୍ ଫର୍ ୟୁନିଟି’ କାର୍ଯ୍ୟକ୍ରମରେ ବିଶେଷ କରି ଯୁବପିଢ଼ିଙ୍କୁ ଅଂଶଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। କାଶ୍ମୀରରୁ କନ୍ୟାକୁମାରୀ ଏବଂ କଚ୍ଛରୁ କାମାକ୍ଷା ପର୍ଯ୍ୟନ୍ତ ଦେଶବାସୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକତାର ସଂକଳ୍ପକୁ ପୁନର୍ବାର ଦୋହରାଇବା ଉଚିତ ବୋଲି ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande