
ଝାରସୁଗୁଡ଼ା, ୩୦ ଅକ୍ଟୋବର (ହି.ସ.) ଜିଲ୍ଲା ସଞ୍ଚୟ ଓ ଆର୍ଥିକ ସେବା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ବିଶ୍ୱ ମିତବ୍ୟୟୀତା ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ଆର୍ଥିକ ସାକ୍ଷରତା ତଥା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚହ୍ଵାଣ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିୟମିତ ସଞ୍ଚୟର ଉପକାରିତା ଉପରେ ଆଲୋକପାତ କରିବା ସହ ଉପସ୍ଥିତ ସମସ୍ତଙ୍କୁ ମିତବ୍ୟୟୀତା ଓ ସୁରକ୍ଷିତ ଭବିଷ୍ୟତ ନିମନ୍ତେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ଶ୍ରୀମତୀ ସୁମନା ପଣ୍ଡା ସ୍ୱାଗତ ଭାଷଣ ଦେଇ ବିଶ୍ୱ ମିତବ୍ୟୟୀତା ଦିବସର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ। ଉକ୍ତ ଆଲୋଚନାଚକ୍ରରେ ସମ୍ମାନିତ ଅତିଥି ଭାବେ ଇଣ୍ଡିଆନ ପୋଷ୍ଟାଲ ପେମେଣ୍ଟ ବ୍ୟାଙ୍କ ଝାରସୁଗୁଡ଼ା ଶାଖାର ବରିଷ୍ଠ ଅଧିକାରୀ ହରିଶ ସଜ୍ଜନାପ୍ପୁ ଯୋଗଦେଇ ଚିଟଫଣ୍ଡର ବିପଦ ଓ ଅପକାରିତା, ସରକାରୀ ବୀମା ଯୋଜନା ଏବଂ ପେନସନ ବ୍ୟବସ୍ଥା ଉପରେ ସବିଶେଷ ଆଲୋଚନା କରିଥିଲେ। ଝାରସୁଗୁଡ଼ା ମୁଖ୍ୟ ଡାକଘରର ପୋଷ୍ଟମାଷ୍ଟର ପ୍ରତାପ ଚନ୍ଦ୍ର ଭୋଇ ଡାକ ବିଭାଗ ଅଧୀନରେ ଥିବା ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନା ବିଷୟରେ ବୁଝାଇଥିବା ବେଳେ ବ୍ୟବସାୟ କାର୍ଯ୍ୟନିର୍ବାହୀ ଅମରେନ୍ଦ୍ର ପଲେଇ ପୋଷ୍ଟାଲ ବୀମା ଯୋଜନାର ଲାଭ ସମ୍ପର୍କରେ ଅବଗତ କରାଇଥିଲେ। ସେହିପରି ସାଇବର ଥାନାର ପୋଲିସ ଇନ୍ସପେକ୍ଟର ଦେବଦତ୍ତ ବସ୍ତିଆ ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ସାଇବର ଅପରାଧ, ଅନଲାଇନ୍ ଆର୍ଥିକ ଠକେଇରୁ ରକ୍ଷା ପାଇବାର ଉପାୟ ଉପରେ ସମସ୍ତଙ୍କୁ ସତର୍କ କରାଇଥିଲେ। ଏହି ଶିବିରରେ ଓଏଲଏମର ଡିପିଏମ୍ ଡ. ପୁଷ୍ପଶ୍ରୀ ନାୟକ ମହିଳା ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସଞ୍ଚୟର ଆବଶ୍ୟକତା ସମ୍ପର୍କରେ କହିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଆର୍ଥିକ ସାକ୍ଷରତାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ଏଥିସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଅମ୍ରିତ ଆଚାର୍ଯ୍ୟ ଓ ସୌମେଶ ଆଚାର୍ଯ୍ୟ ଯୋଗଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ। ଝାରସୁଗୁଡ଼ା ବ୍ଲକରେ କାର୍ଯ୍ୟରତ ପ୍ରାଣୀମିତ୍ର, ବ୍ୟାଙ୍କମିତ୍ର, କୃଷିମିତ୍ର, ଏମବିକେ, ସିଆରପି ଏବଂ ଜିଲ୍ଲାର ବହୁସଂଖ୍ୟକ ସ୍ୱଳ୍ପ ସଞ୍ଚୟ ଅଭିକର୍ତ୍ତା ଉପସ୍ଥିତ ରହି ଏହି ସଚେତନତା ଶିବିରରେ ଭାଗ ନେଇଥିଲେ। ପରିଶେଷରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ସୁମନା ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଞ୍ଚୟ ବିଭାଗର କର୍ମଚାରୀ ହେମକାନ୍ତ ବାଗ ଏବଂ ଜଗନ୍ନାଥ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ