ଭୂସ୍ଖଳନରେ ମାଟିତଳେ ଚାପି ହୋଇ ଗୋଟିଏ ପରିବାରର ୩ ମୃତ ମୃତକଙ୍କ ମଧ୍ୟରେ ୭ ମାସର ଶିଶୁ, ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା
Three Dead in Land Slide in Raikia of KANDHAMAL
ଫୋଟ


କନ୍ଧମାଳ , ୩୦ ଅକ୍ଟୋବର (ହି.ସ.) କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଡାଙ୍ଗେସି ଗ୍ରାମରେ ଘଟିଥିବା ଭୟାବହ ଭୂସ୍ଖଳନରେ ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଚ୍ୟୁତ ପ୍ରଧାନ, ତାଙ୍କ ସ୍ତ୍ରୀ ମାନସୀ ପ୍ରଧାନ ଏବଂ ସେମାନଙ୍କ ୭ ମାସର ଶିଶୁ। ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ମାଟି ଅତଡ଼ା ଓ ପଙ୍କ ମଧ୍ୟରୁ ସେମାନଙ୍କ ମୃତଦେହ ମିଳିଥିବା ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଗ୍ରାମବାସୀ ଅଚ୍ୟୁତଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭାସିଯାଇଥିବା ଦେଖିବା ପରେ ନିଖୋଜ ପରିବାରର ସନ୍ଧାନ ଆରମ୍ଭ କରିଥିଲେ। ତେବେ ପ୍ରବଳ ଜଳସ୍ରୋତ ଓ ପାହାଡ଼ରୁ ଖସିଥିବା ମାଟି ଅତଡ଼ା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ବହୁ କଷ୍ଟରେ ଗ୍ରାମବାସୀ ଗୁରୁବାର ସନ୍ଧ୍ୟାରେ ପାହାଡ଼ ଚଢ଼ି ସିକବାଡ଼ି ଆଶ୍ରୟସ୍ଥଳୀରେ ପହଞ୍ଚି ପ୍ରଶାସନକୁ ଖବର ଦେଇଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।

ଘଟଣା ପରେ ଶୁକ୍ରବାର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ମାଣିକେଶ୍ୱର ପଞ୍ଚାୟତର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ଅବସରରେ ମୃତକଙ୍କ ପରିବାରକୁ ଜଣକ ପିଛା ୪ ଲକ୍ଷ ଟଙ୍କା ହିସାବରେ ମୋଟ ୧୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ମର୍ମନ୍ତୁଦ ଘଟଣାରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande