ଅନୁଗୁଳ ଆଲୁମିନିୟମ୍ ପାର୍କ, ପରିମଳ ବ୍ୟବସ୍ଥା, ଗୃହ ପ୍ରକଳ୍ପ ଓ ଜଳବନ୍ଦୀ ଅଂଚଳ ପରିଦର୍ଶନ କଲେ ନଗର ଉନ୍ନୟନ ସଚିବ
ଅନୁଗୁଳ/ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍କୋର ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀ ଆଜି ଅନୁଗୁଳ ଗସ୍ତ କରି ବିଭିନ୍ନ ପ୍ରମୁଖ ଭିତିଭୂମି ପ୍ରକଳ୍ପର ଅଗ୍ରଗତି, ନାଗରିକ ସେବାର ସ୍ଥିତି ଏବଂ କାର୍ଯ୍ୟାନ୍ୱୟନ ସ୍ତରରେ ରହି
gdrtjh


ଅନୁଗୁଳ/ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍କୋର ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀ ଆଜି ଅନୁଗୁଳ ଗସ୍ତ କରି ବିଭିନ୍ନ ପ୍ରମୁଖ ଭିତିଭୂମି ପ୍ରକଳ୍ପର ଅଗ୍ରଗତି, ନାଗରିକ ସେବାର ସ୍ଥିତି ଏବଂ କାର୍ଯ୍ୟାନ୍ୱୟନ ସ୍ତରରେ ରହିଥିବା ସମସ୍ୟାଗୁଡ଼ିକର ସମୀକ୍ଷା କରିଥିଲେ ।

ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ନାଲ୍କୋ ନିକଟସ୍ଥ ଆଲୁମିନିୟମ୍ ପାର୍କ ପରିଦର୍ଶନ କରିଥିଲେ। ଏହି ଅବସରରେ ନାଲ୍କୋ ଓ ଇଡକୋର ବରିଷ୍ଠ ଅଧିକାରୀମାନଙ୍କ ସହ ବିଦ୍ୟୁତ୍ ଓ ଜଳ ଯୋଗାଣ ସମେତ ଆବଶ୍ୟକୀୟ ଭିତିଭୂମି ସମ୍ପର୍କରେ ଆଲୋଚନା କରିଥିଲେ। ଚିହ୍ନଟ ହୋଇଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ସମୟବଦ୍ଧ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ଏହାପରେ ଶ୍ରୀମତୀ ପାଢ଼ୀ ଅନୁଗୁଳ ପୌରପାଳିକାର ମଳ ଉପଚାର କେନ୍ଦ୍ର ପରିଦର୍ଶନ କରିବା ସହ ପଞ୍ଚମହଲାଠାରେ ଚାଲିଥିବା ପୁରୁଣା ଆବର୍ଜନାର ବାୟୋମାଇନିଂ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ । ପରିମଳ ବ୍ୟବସ୍ଥା ଏବଂ ପୁରୁଣା ଆବର୍ଜନାର ବୈଜ୍ଞାନିକ ପଦ୍ଧତିରେ ପରିଚାଳନା କ୍ଷେତ୍ରରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ସେ ସମୀକ୍ଷା କରିଥିଲେ ।

ସେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପକ୍ଷରୁ ନିର୍ମାଣାଧୀନ ଗୃହ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିଥିଲେ। ଏଠାରେ ନିର୍ମାଣ କାର୍ଯ୍ୟର ଅଗ୍ରଗତି, ଜଳ ନିଷ୍କାସନ ବ୍ୟବସ୍ଥା ଏବଂ ମୌଳିକ ଭିତିଭୂମି ସମ୍ପର୍କରେ ଓଏସଏଚବି ଅଧିକାରୀ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ। ଯୋଗ୍ୟ ହିତାଧିକାରୀମାନଙ୍କୁ ଯଥାଶୀଘ୍ର ଫ୍ଲାଟ୍ ଆବଂଟନ ଓ ହସ୍ତାନ୍ତର ସୁନିଶ୍ଚିତ କରିବା ନିମନ୍ତେ ବାକି ରହିଥିବା ଆବଶ୍ୟକ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଭିତିରେ ସମ୍ପନ୍ନ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ କହିଥିଲେ ।

ଏହାପରେ ସେ ବଣିଆବାହାଳ ଓ ଲିଙ୍ଗରାଯୋଡ଼ିର ଜଳବନ୍ଦୀ ପ୍ରବଣ ଅଂଚଳ ପରିଦର୍ଶନ କରି ଜିଲ୍ଲା ଓ ପୌରପାଳିକା ଅଧିକାରୀମାନଙ୍କ ସହ ଜଳ ନିଷ୍କାସନ ସମସ୍ୟା ସମ୍ପର୍କରେ ସମୀକ୍ଷା କରିଥିଲେ। ଏହାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦେଇ ସେ ଉପଯୁକ୍ତ ଡ୍ରେନେଜ୍ ବ୍ୟବସ୍ଥା ଓ ପ୍ରଭାବଶାଳୀ ବର୍ଷାଜଳ ପରିଚାଳନା ନିମନ୍ତେ ପଦକ୍ଷେପ ନେବାକୁ କହିଥିଲେ। ଫଳରେ ଜଳର ସୁଗମ ନିଷ୍କାସନ ସହ ବିଶେଷକରି ବର୍ଷାଋତୁରେ ସ୍ଥାନୀୟ ବାସିନ୍ଦାମାନେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ତାହା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।

ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସଫଳ କାର୍ଯ୍ୟାନ୍ୱୟନ ଏବଂ ନିୟମିତ କ୍ଷେତ୍ରସ୍ତରୀୟ ଅନୁଧ୍ୟାନର ଗୁରୁତ୍ୱ ଉପରେ ଆଲୋକପାତ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ଉତମ ସମନ୍ୱୟ, ଉତରଦାୟିତ୍ୱ ଏବଂ କାର୍ଯ୍ୟାନ୍ୱୟନରେ ରହିଥିବା ବାଧାବିଘ୍ନର ସମୟୋଚିତ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ବିକାଶମୂଳକ ପଦକ୍ଷେପଗୁଡ଼ିକ ଯେପରି ଉନ୍ନତ ନାଗରିକ ସେବା, ଉତମ ଜୀବନଧାରଣର ମାନ ଏବଂ ଜନସାଧାରଣଙ୍କ ପାଇଁ ଦୃଶ୍ୟମାନ ସୁଫଳ ଆଣିପାରିବ, ସେଥିପ୍ରତି ଯତ୍ନବାନ ହେବାକୁ ସେ କହିଥିଲେ ।

ଏହି ଗସ୍ତ ସମୟରେ ଅନୁଗୁଳ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ଏମ୍. ଅଖତର, ଜିଲ୍ଲାସ୍ତରୀୟ ବରିଷ୍ଠ ଅଧିକାରୀ, ନାଲ୍କୋ, ଇଡ୍କୋର ସିଜିଏମ୍, ଓଏସଏଚବି ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ଓ ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande