



ସମ୍ବଲପୁର, ୩୦, ଅକ୍ଟୋବର (ହି.ସ.) - ଚଳିତ ବର୍ଷ ଅକ୍ଟୋବର ୨୬ ତାରିଖ ଠାରୁ ନଭେମ୍ବର ୦୧ ତାରିଖ ପର?୍ୟ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପଂଚାୟତ, ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଭିଜିଲାନ୍ସ ବିଭାଗର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତରାଂଚଳ ଆଇଜି ଚରଣ ସିଂ ମୀନା, ମୁଖ୍ୟବକ୍ତା ଭାବେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମେକେଶ ତ୍ରିପାଠୀ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି, ସମ୍ବଲପୁର ଖଣ୍ଡ ଦୁର୍ନୀତି ନିବାରଣ ବିଭାଗ ଏସପି ପ୍ରଦ୍ୟୁମ୍ନ କୁମାର ଦିବେଦୀ ପ୍ରମୁଖ ଅତିଥି ଭାବେ ମଂଚାସୀନ ଥିଲେ । କାର୍ଯ୍ୟକ୍ରମରେ ଉତରାଂଚଳ ଡିଆଇଜି ମୁଖ୍ୟଅତିଥି ଭାବେ ଯୋଗଦେଇ ସାଧୁତା ଓ ସ୍ୱଚ୍ଛତାର ଗୁରୁତ୍ୱ ଉପରେ ବାର୍ତା ଦେଇ କହିଛନ୍ତି ଯେ, ସଚେତନତା କେବଳ ଗୋଟିଏ ଦିନର କାର୍ଯ୍ୟକ୍ରମ କିମ୍ବା ଶପଥ ପାଠରେ ସୀମିତ ନ ରହି ଦୈନନ୍ଦିନ ଜୀବନଶୈଳୀ, ଆଚରଣ ଓ କର୍ତବ୍ୟରେ ସାଧୁତା ତଥା ଇମାନଦାରୀ ଭାବେ ପ୍ରତିଫଳିତ ହେବା ଆବଶ୍ୟକ। ଦେଶ ତଥା ରାଜ୍ୟର ସମୃଦ୍ଧି ଓ ବିକାଶ ପାଇଁ ସରକାରୀ କର୍ମଚାରୀଙ୍କ ସହିତ ପ୍ରତ୍ୟେକ ନାଗରିକଙ୍କ ସାଧୁ ଆଚରଣ ଅପରିହାର୍ଯ୍ୟ; ନ୍ୟାର୍ଯ୍ୟ କାମ ପାଇଁ କାହାକୁ ଲାଂଚ ନ ଦେବା ଏବଂ କେହି ଦାବି କଲେ ତୁରନ୍ତ ଭିଜିଲାନ୍ସ ନିକଟରେ ଅଭିଯୋଗ କରିବା ସହ ଦେଶର ଭବିଷ୍ୟତ ଥିବା ଯୁବପିଢ଼ି ଓ ଛାତ୍ରଛାତ୍ରୀମାନେ ଏହି ବାର୍ତାକୁ ସମାଜରେ ପହଂଚାଇବାକୁ ସେ ଆହ୍ୱାନ ଦେଇଛନ୍ତି। ଦୁର୍ନୀତି ରୋକିବା ପାଇଁ ରାଜ୍ୟ ଭିଜିଲାନ୍ସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସରକାରଙ୍କ ପକ୍ଷରୁ ସ୍ୱଚ୍ଛତା ସୁନିଶ୍ଚିତ କରିବାକୁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଓ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ପ୍ରୟୋଗ କରାଯାଉଛି, ଯେପରିକି ହିତାଧିକାରୀଙ୍କୁ ସିଧାସଳଖ ଆର୍ôଥକ ଲାଭ ପହଂଚାଇ ମଧ୍ୟସ୍ଥତା ହଟାଇବା ପାଇଁ ଡିବିଟି, ସାମଗ୍ରୀ କ୍ରୟ ପାଇଁ ସରକାରୀ ଇ-ମାର୍କେଟପ୍ଲେସ, ସ୍ୱଚ୍ଛ ଟେଣ୍ଡର ପାଇଁ ଇ-ପୋର୍ଟାଲ, ଡିଜିଟାଲ ପ୍ରମାଣପତ୍ର ଓ ଅନଲାଇନ୍ ଏଫଆଇଆର୍ ଭଳି ନାଗରିକ ସେବା, ଏବଂ କାର୍ଯ୍ୟାଳୟରେ ଫାଇଲ୍ ପେଣ୍ଡିଂ ଉପରେ ନଜର ରଖିବାକୁ ଫାଇଲ୍ ଟ୍ରାକିଂ ସିଷ୍ଟମ୍ ଲାଗୁ କରାଯାଇଛି, ଯାହା ଆଗାମୀ ଦିନରେ ପ୍ରଶାସନିକ ସ୍ୱଚ୍ଛତାକୁ ଆହୁରି ସୁଦୃଢ଼ କରିବ। ସେହିପରି ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡିଆଇଜି ଚରଣସିଂ ମୀନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସପି ମୁକେଶ କୁମାର ଭାମୁ ଓ ମହାନଗର ନିଗମ କମିଶନରଙ୍କ ସମେତ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି, ଛାତ୍ରଛାତ୍ରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ସାଧୁତା ଓ ସମୃଦ୍ଧିକୁ ରାଷ୍ଟ୍ର ଗଠନର ମୁଖ୍ୟ ଆଧାର ବୋଲି ବର୍ଣ୍ଣନା କରିଥିଲେ। ଇତିହାସର ଉଦାହରଣ ଦେଇ ସେ ଦର୍ଶାଇଥିଲେ ଯେ ମୌର୍ଯ୍ୟ ସାମ୍ରାଜ୍ୟରେ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ଦର୍ଶାଯାଇଥିବା ଦୃଢ଼ ଶାସନ, ଗୁପ୍ତ ଯୁଗର ସ୍ୱଚ୍ଛତା ଓ ଅକବରଙ୍କ ସମୟର ମନସବଦାରୀ ତଥା ରାଜସ୍ୱ ବ୍ୟବସ୍ଥା ଯୋଗୁଁ ହିଁ ସେହି ସମୟରେ ଅପାର ସମୃଦ୍ଧି ସମ୍ଭବ ହୋଇପାରିଥିଲା। ବ୍ରିଟିଶ ଅମଳରେ ୱାରେନ୍ ହେଷ୍ଟିଙ୍ଗସ୍ଙ୍କ ସମୟର ଦୁର୍ନୀତି, ୧୭୭୩ର ରେଗୁଲେଟିଂ ଆକ୍ଟ, ୧୯୪୧ର ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଂଟ, ସନ୍ଥାନମ କମିଟି ସୁପାରିସରେ ସିବିଆଇ ଓ ୧୯୬୪ରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଗଠନ ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ କେବଳ ପ୍ରଶାସନିକ କଠୋରତା ନୁହେଁ, ବରଂ ଜନସାଧାରଣଙ୍କ ସଚେତନତା ବିନା ଦୁର୍ନୀତି ନିବାରଣ ଅସମ୍ଭବ। ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ବିଭାଗ ଓ ୫-ଟି ବ୍ୟବସ୍ଥା ଭଳି ପ୍ରଶାସନିକ ସଂସ୍କାରକୁ ପ୍ରଶଂସା କରି ସେ କହିଥିଲେ ଯେ ହାତ ଗଣତି ଲୋକଙ୍କ ନିକଟରେ କ୍ଷମତା ସୀମିତ ନ ରଖି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସ୍ୱଚ୍ଛତା ଆଣିବା ସହ ଅଭିଯୋଗ ଦାଖଲ ପାଇଁ ଲୋକେ ଆଗେଇ ଆସିବା ଉଚିତ। ଭାରତ ଭଳି ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶରେ ସୀମିତ ସମ୍ବଳର ସଠିକ ବିନିଯୋଗ ପାଇଁ ସାଧୁତା ଅତ୍ୟନ୍ତ ଜରୁରୀ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜ କାର୍ଯ୍ୟସ୍ଥଳୀରେ ସଚ୍ଚୋଟତା, କର୍ତବ୍ୟନିଷ୍ଠା ତଥା ଉତ୍ସର୍ଗୀକୃତ ଭାବନା ବଜାୟ ରଖିଲେ ଯାଇ ଦେଶ ସ୍ୱଚ୍ଛ, ସମୃଦ୍ଧ ଓ ବିକଶିତ ଭାରତରେ ପରିଣତ ହୋଇପାରିବ ବୋଲି ସେ ଦୃଢ଼ ଆହ୍ୱାନ ଦେଇଥିଲେ।
ସମ୍ବଲପୁରର ଦୁର୍ନୀତି ନିବାରଣ ବିଭାଗ ର ଏସପି ପ୍ରଦ୍ୟୁମ୍ନ କୁମାର ଦିବେଦୀ ସ୍ୱାଗତ ଅଭିଭାଷଣ କହିଥିଲେ ଯେ, ୧୯୬୨ ମସିହାରେ ସନ୍ଥାନମ କମିଟି ଗଠନ ଏବଂ ୧୯୬୪ରେ ଏହାର ସୁପାରିଶ ଆଧାରରେ ଦେଶରୁ ଦୁର୍ନୀତି ନିବାରଣ ତଥା ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ପ୍ରତିଷ୍ଠା ହୋଇଥିଲା, ଯାହାକି ୨୦୦୦ ମସିହାରୁ ଦେଶର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଜୟନ୍ତୀ (ଅକ୍ଟୋବର ୩୧)କୁ ଆଧାର କରି ପ୍ରତିବର୍ଷ ଏହି ସଚେତନତା ସପ୍ତାହ ପାଳନ କରିଆସୁଛି। ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ (ଥିମ୍) ‘ସାଧୁତାରୁ ସମୃଦ୍ଧି’ ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ସାଧୁତା କେବଳ ଭାଷଣ ନୁହେଁ, ବରଂ ବ୍ୟକ୍ତି, ପରିବାର, ଗ୍ରାମ ପଂଚାୟତ, ବ୍ଲକ ତଥା ସମଗ୍ର ରାଜ୍ୟରେ ଏହାକୁ ଏକ ସଂସ୍କାର ଭାବେ ଗଢ଼ିତୋଳିବା ଆବଶ୍ୟକ। ଏଥିସହ ସଚେତନତା ସୃଷ୍ଟି ଲାଗି ଗ୍ରାମସଭା, ୱାକାଥନ୍/ରାଲି ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ ସରକାରୀ ଦପ୍ତରରେ କୌଣସି ଅସାଧୁ କର୍ମଚାରୀ କାର୍ଯ୍ୟରେ ଅବହେଳା ବା ହଇରାଣ କଲେ ଜନସାଧାରଣ ଟୋଲ୍-ଫ୍ରି ନମ୍ବର କିମ୍ବା ଡିଭିଜନାଲ୍ ଲ୍ୟାଣ୍ଡଲାଇନ୍ ନମ୍ବରରେ ଅଭିଯୋଗ କରିବାକୁ ଆହ୍ୱାନ ଦିଆଯାଇଥିଲା। ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ‘ଜିରୋ ଟଲରାନ୍ସ’ ନୀତି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମଲ୍ଟି-ଡିସିପ୍ଲିନାରୀ ପ୍ରିଭେଂଟିଭ୍ ଭିଜିଲାନ୍ସ ୟୁନିଟ୍ ଗଠନ କରାଯାଇ ନିବାରକ ଓ ଦଣ୍ଡାତ୍ମକ ଉଭୟ ପଦକ୍ଷେପକୁ କଡ଼ାକଡ଼ି କରାଯାଇଛି ବୋଲି ପ୍ରକାଶ କରାଯାଇଥିଲା। ୨୦୨୪ ମେ’ ମାସରେ ପ୍ରକାଶିତ ଏନ୍ସିଆର୍ବି ତଥ୍ୟ ଅନୁସାରେ ଓଡ଼ିଶା ଭିଜିଲାନ୍ସ ସମଗ୍ର ଦେଶରେ ୧ କିମ୍ବା ୨ ନମ୍ବର ସ୍ଥାନ ବଜାୟ ରଖି ଦୁର୍ନୀତି ନିବାରଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଅପରପକ୍ଷରେ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଉଚ୍ଚସ୍ତରୀୟ ସୁରକ୍ଷା ଦେବା, ଚାକିରିରୁ ବହିଷ୍କାର ବା ପେନସନ ରୋକିବାରେ ବିଳମ୍ବ କରିବା ଏବଂ ବିଶେଷକରି ପ୍ୟାକ୍ସ ଓ ବ୍ୟାଙ୍କ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କାର ଋଣ ହେରଫେର କରୁଥିବା ଧଳାହାତୀ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସୂଚନା ଦିଆଯାଇଥିଲା। ଶେଷରେ ରାମସେତୁ ବନ୍ଧନରେ କୁନି ଗୁଣ୍ଡୁଚିମୂଷାର ବାଲିଦାନ ସଦୃଶ ପ୍ରତ୍ୟେକ ଶିକ୍ଷିତ ନାଗରିକ ନିଜ ଅଂଚଳକୁ ସ୍ୱଚ୍ଛ ରଖିବା ସହ ଦୁର୍ନୀତି ନିବାରଣ ଲଢ଼େଇରେ ଭିଜିଲାନ୍ସକୁ ସହଯୋଗ କରିବାକୁ ବିନମ୍ର ନିବେଦନ କରାଯାଇଥିଲା।
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ରେ ମଧ୍ୟ ସ୍କୁଲ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଆଜିର ସଭାରେ ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ଦୁର୍ନୀତି ନିବାରଣ ବିଭାଗ ର ଏସପି ପ୍ରଦ୍ୟୁମ୍ନ କୁମାର ଦିବେଦୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ସମାରୋହ ରେ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଏବଂ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ଅଂଶ ଗ୍ରହଣ କରିଥିଲେ। ଏହି ପରିପ୍ରେଖି ରେ ଉତରାଂଚଳ ଆଇଜି, ଶ୍ରୀ ମୀନା ଉପସ୍ଥିତ ବିଭାଗୀୟ ଅଧିକାରୀ ପ୍ରମୁଖ ଏବଂ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ସାଧୁତାର ଶପଥ ପାଠ କରାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ