
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ଓଡ଼ିଶାରେ ବାତ୍ୟା ଓ ପରବର୍ତୀ ବନ୍ୟା ପରିସ୍ଥିତି ମୁକାବିଲାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଭବନ ଠାରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ ପାଣିପାଗ ବିଭାଗର ପୂର୍ବ ସୂଚନା ଥିବା ସତ୍ୱେ ସରକାର କୌଣସି ଦୃଢ ପଦକ୍ଷେପ ନେଲେ ନାହିଁ। । ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ବୃଷ୍ଟିଜନିତ କ୍ଷୟକ୍ଷତି ଅତିମାତ୍ରାରେ ଘଟିବାର ଦେଖାଦେଲା । ଚାଷ ଉପରେ ଗୁରୁତ୍ୱ ଦେଇଥିବା ଏହି ଅଂଚଳର କେବଳ ଧାନଫସଲ ନଷ୍ଟ ହୋଇନାହିଁ । ଅଧିକନ୍ତୁ ଚାଷୀମାନେ କରିଥିବା ପନିପରିବା ଚାଷ ନଷ୍ଟ ହୋଇଯାଇଛି । ତେଣୁ ସମସ୍ତ ଚାଷୀଙ୍କୁ ତୁରନ୍ତ କ୍ଷୟକ୍ଷତିର ଭରଣ କରାଯାଉ ବୋଲି ସେ ଦାବି କରିଛନ୍ତି ।
ସେହିପରି କଂଗ୍ରେସର ସାଧାରଣ ସମ୍ପାଦକ ସତ୍ୟବ୍ରତ ନାୟକ କହିଥିଲେ ଯେ ସରକାର ଓ ସରକାରୀକଳର ଅଦୂରଦର୍ଶିତା ପାଇଁ ଲୋହରାଖଣ୍ଡି ନଦୀର ଡହ ଜଳପ୍ରପାତର ଗେଟ୍ ଖୋଲିବା ପାଇଁ ବାତ୍ୟାର ୭ଦନ ପୂର୍ବରୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ କିନ୍ତୁ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଏହାକୁ ଅଣଦେଖା କରି ୨୮ ତାରିଖ ଦିନ ଡହ ଜଳପ୍ରପାତର ୪ଟି ଗେଟ ଖୋଲିଦେଲେ । ଜଳ ସମ୍ପଦ ବିଭାଗର ଅଦୂରଦର୍ଶିତା ପାଇଁ ଭଞ୍ଜନଗର ସଂପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ରାଜ୍ୟ ସରକାର ତୁରନ୍ତ ଏହାକୁ ତଦନ୍ତ କରି ସଂପୂକ୍ତ କର୍ମଚାରୀଙ୍କ ଉପରେ ଦୁଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ଦାବି କରିଥିଲେ ।
କଂଗ୍ରେସ ଦଳର ଅନ୍ୟତମ ମୁଖପାତ୍ର ଅଭିଶେକ ମହାନନ୍ଦ କହିଥିଲେ ଯେ ଏ ସମସ୍ତ ଅବବ୍ୟବସ୍ତା ପାଇଁ ସରକାର ମୁଖ୍ୟତ ଦାୟି ଏବଂ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବୃଷ୍ଟିଜନିତ କ୍ଷୟକ୍ଷତି ସଂପୂର୍ଣ୍ଣ ଭାବରେ ମନୁଷ୍ୟକୃତ । ଏଥିପାଇଁ ଦାୟି ସମସ୍ତ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଏକ ଅନୁସନ୍ଧାନ ଦଳ ଗଞ୍ଜାମ ଓ ଗଜପତି ପ୍ରଭୃତି କ୍ଷୟକ୍ଷତି ଜିଲ୍ଲାକୁ ଖୁବ୍ ଶୀଘ୍ର ଗସ୍ତକରି କ୍ଷୟକ୍ଷତିର ଆକଳନ କରି ପ୍ରଦେଶ କଂଗ୍ରେସ କମିଟିକୁ ରିର୍ପୋଟ ପ୍ରଦାନ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା