
ଜୟପୁର, ୩୦ ଅକ୍ଟୋବର (ହି.ସ.)- ଆଲୋକର ପର୍ବ ଦୀପାବଳିକୁ ଦୃଷ୍ଟି ରେ ରଖି ଟାଉନ ପୋଲିସ ଚଢଉ କରି ବିପୁଳ ବାଣ ଜବତ କରିଛି । ବେଆଇନ ବଣ କାରବାର ଉପରେ ସୁରକ୍ଷା ଦୃଷ୍ଟିରୁ ଜୟପୁର ଟାଉନ୍ ପୋଲିସ ଚଢ଼ଉ କରିଛି । ଜୟପୁର ସହର ଏନ୍କେଟି ରୋଡ୍ ସ୍ଥିତ ଏକ ଆବାସିକ ଅଞ୍ଚଳରେ ଥିବା ଘରେ ବେଆଇନ ଭାବେ ମହଜୁଦ ଥିବା ସୂଚନା ପାଇଁ ଚଢ଼ଉ କରିଛି l ଚଢ଼ଉ କରି ବିପୁଳ ପରିମାଣର ବାଣ ଜବତ କରାଯାଇଛି। ଜବତ ବାଣର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ପାଖାପାଖି ୩ ଲକ୍ଷ ଟଙ୍କା ହେବ ବୋଲି ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ପକ୍ଷରୁ ବେଆଇନ ବାଣ ବ୍ୟବସାୟ ଏବଂ ମହଜୁଦକାରୀଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏନ୍କେଟି ରୋଡ୍ ର ଏକ ଆବାସିକ ଘର ଉପର ମହଲାରେ ବ୍ୟାପକ ପରିମାଣର ବାଣ ବେଆଇନ ଭାବେ ଗଚ୍ଛିତ ଥିବା ନେଇ ପୋଲିସ ସୂଚନା ପାଇଁ ଚଢ଼ଉ କରିଛି । ଚଢ଼ଉ ସମୟରେ ଘରୁ ମୋଟ ୨୨ଟି ବଡ଼ ପେଟି ବିଭିନ୍ନ ପ୍ରକାରର ବାଣ ଜବତ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଉକ୍ତ ବିସ୍ଫୋରକ ସାମଗ୍ରୀ ରଖିବା ନେଇ କୌଣସି ବୈଧ ଲାଇସେନ୍ସ କିମ୍ବା ପ୍ରଶାସନିକ ଅନୁମତି ପତ୍ର ଦେଖାଇ ପାରିନଥିଲେ। ଏହାପରେ ପୋଲିସ ଏକ ଗାଡ଼ି ଯୋଗେ ସମସ୍ତ ବାଣ ପେଟିକୁ ଜବତ କରି ଟାଉନ୍ ଥାନାକୁ ଆଣିଛି। ବିପୁଳ ପରିମାଣର ବାଣ କେଉଁଠାରୁ ଆସିଲା ଏବଂ କେଉଁ ଉଦ୍ଦେଶ୍ୟରେ ମହଜୁଦ ରଖାଯାଇଥିଲା, ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି l ଜନଗହଳିପୂର୍ଣ୍ଣ ଆବାସିକ ଅଞ୍ଚଳ ଭିତରେ ବିନା ଅନୁମତିରେ ଏଭଳି ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିବା ସମ୍ପୂର୍ଣ୍ଣ ବେଆଇନ ଓ ଅତ୍ୟନ୍ତ ବିପଦଜନକ ବୋଲି ଟାଉନ ଥାନା ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି