
ଭୁବନେଶ୍ୱର, ୩୦ ଅକ୍ଟୋବର (ହି.ସ)- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଦକ୍ଷିଣ ଓଡ଼ିଶା, ବିଶେଷକରି ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କେତେକ ଦାବି ଜଣାଇଛନ୍ତି । ଏଥିସହ ବନ୍ୟା କ୍ଷୟକ୍ଷତିର ମୁକାବିଲା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ସେ ପତ୍ର ଲେଖି ଅନୁରୋଧ କରିଛନ୍ତି। ତାଙ୍କର ପ୍ରମୁଖ ଦାବିଗୁଡ଼ିକ ହେଲା:- କ୍ଷୟକ୍ଷତି ଆକଳନ ପାଇଁ ତୁରନ୍ତ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ଟିମ୍ ପଠାଯାଉ , ରାଜ୍ୟସ୍ତରରେ ଉଚ୍ଚକ୍ଷମତା ସମ୍ପନ୍ନ ମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଉ, ଚାଷୀଙ୍କ ନଷ୍ଟ ହୋଇଥିବା ଧାନ ଓ ପନିପରିବା ଫସଲର ୭୨ ଘଂଟା ମଧ୍ୟରେ ସର୍ଭେ କରି ଚଗୠଈଣ ବୀମା ଓ କ୍ଷତିପୂରଣ ପ୍ରଦାନ କରାଯାଉ, କୃଷି, ଉଦ୍ୟାନ କୃଷି, ଜାତୀୟ ରାଜପଥ-୩୨୬ ଓ କ୍ଷତିଗ୍ରସ୍ତ ପୋଲର ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଉ ଏବଂ ଋଷିକୂଲ୍ୟା ନଦୀ ଅବବାହିକାରେ ସ୍ଥାୟୀ ପଥର ବନ୍ଧ ଓ ବ୍ୟାରେଜ୍ ନିର୍ମାଣ ପାଇଁ ବୈଜ୍ଞାନିକ ଟିମ୍ ଗଠନ କରାଯାଉ।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ସାଂସଦ ଲେଖିଛନ୍ତି ଯେ ଏହି ବର୍ଷା ଓ ବନ୍ୟା ୬୦ ବର୍ଷର ରେକର୍ଡ ଭାଙ୍ଗିଛି। ପାତ୍ରପୁରରେ ୫୪୬ ମିମି ଏବଂ ସୋରଡ଼ାରେ ୫୦୩ ମିମି ବର୍ଷା ହେବା ଫଳରେ ଋଷିକୂଲ୍ୟା ଓ ବାହୁଦା ନଦୀରେ ବନ୍ୟା ଆସି ଲକ୍ଷାଧିକ ଲୋକ ଜଳବନ୍ଦୀ ହୋଇଛନ୍ତି। ଏଭଳି ସଙ୍କଟ ସମୟରେ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
ବନ୍ୟା ପ୍ରଭାବିତ ଅଂଚଳରେ ତୁରନ୍ତ ରିଲିଫ୍, ପୁନରୁଦ୍ଧାର ଓ ଦୀର୍ଘମିଆଦୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ଉପରେ ସାଂସଦ ଶ୍ରୀ ପାଣିଗ୍ରାହୀ ଗୁରୁତ୍ୱାରୋପ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା