ଜିଲ୍ଲାରେ ବେଆଇନ ପାର୍କିଂ ଓ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ; ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
Action Will be taken against illegal parking
ଜିଲ୍ଲାରେ ବେଆଇନ ପାର୍କିଂ ଓ ନିୟମ ଉଲ୍ଲଂଘନକାରୀଙ୍କ


ଝାରସୁଗୁଡ଼ା, ୩୧ ଅକ୍ଟୋବର (ହି.ସ.)- ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସଡ଼କ ଦୁର୍ଘଟଣା ହ୍ରାସ କରିବା ତଥା ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।

ବୈଠକରେ ଜିଲ୍ଲାପାଳ ବେଆଇନ ପାର୍କିଂକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ରାସ୍ତା କଡ଼ରେ ଅନଧିକୃତ ଗାଡ଼ି ପାର୍କିଂ ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟୁଥିବାରୁ ଏହା ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆରଟିଓ ଏବଂ ପୋଲିସ ପ୍ରଶାସନକୁ ପ୍ରବର୍ତ୍ତନ କଡ଼ାକଡ଼ି କରି ଅଧିକ ଚାଲାଣ ଓ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାସ୍ତାର ଧାରରୁ ଅତି କମରେ ୧୦ ଫୁଟ ଦୂରତାରେ ଗାଡ଼ି ରଖିବା ନିଶ୍ଚିତ କରିବା ସହ ବଡ଼ମାଲରୁ ଖେରୁଆଲ ପୋଲ ପର୍ଯ୍ୟନ୍ତ କଡ଼ା ନଜର ରଖିବାକୁ କୁହାଯାଇଛି। ଗୋବିନ୍ଦପୁର ଟୋଲ୍ ପ୍ଲାଜା ନିକଟରେ ରାସ୍ତାର ଶୋଚନୀୟ ଅବସ୍ଥା ନେଇ ଜିଲ୍ଲାପାଳ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ସାଧାରଣ ଲୋକେ ଟୋଲ୍ ଟିକସ ପ୍ରଦାନ କରୁଥିବା ବେଳେ ରାସ୍ତା ଖରାପ ରହିବା ଅଗ୍ରହଣୀୟ ବୋଲି ଦର୍ଶାଇ ଏହାକୁ ତୁରନ୍ତ ମରାମତି କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରସନ୍ନ ପଣ୍ଡା ଛକରୁ ସଦର ଥାନା ପର୍ଯ୍ୟନ୍ତ ଆଲୋକୀକରଣ ଏବଂ ଧୂଳି ସଫା କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ରହିଛି।

ଅନ୍ୟପକ୍ଷରେ, ଝାରସୁଗୁଡ଼ାରେ ଚାଲିଥିବା ବେଆଇନ ଢାବା, ହୋଟେଲ ଓ ଗ୍ୟାରେଜ୍ ଉଚ୍ଛେଦ କାର୍ଯ୍ୟକୁ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କଡ଼ାକଡ଼ି କରିବାକୁ ତହସିଲଦାର ତଥା ପ୍ରଶାସନିକ ଟିମ୍ କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳ ପୂର୍ବରୁ ବିଭିନ୍ନ ସ୍ଥାନ ପରିଦର୍ଶନ କରି ନିରୀକ୍ଷଣ କରିଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେବା ସହ ଟ୍ରକ୍ ମାଲିକ ସଂଘ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଶାସନ ସହିତ ପୂର୍ଣ୍ଣ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଜୀବନ ବଞ୍ଚାଇବା ଲାଗି ରାଜପଥରେ ଜରୁରୀକାଳୀନ ଆମ୍ବୁଲାନ୍ସ ବ୍ୟବସ୍ଥା ଉପଲବ୍ଧ କରାଇବାକୁ କମ୍ପାନୀଗୁଡ଼ିକୁ କୁହାଯାଇଛି।

ଏହି ବୈଠକରେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଆରଟିଓ ଗୌରହରି ହାଁସଦା, ଏଆରଟିଓ ତପନ କୁମାର ବିଶ୍ୱାଳ, ଏସଡିଆଇପିଆରଓ କୃଷ୍ଣକେଶୀ ବଳିୟାରସିଂହଙ୍କ ସମେତ ଏନଟିପିସି, ବେଦାନ୍ତ, ଜେଏସଡବ୍ଲୁ ଓ ଅନ୍ୟାନ୍ୟ ପ୍ରମୁଖ ଶିଳ୍ପାନୁଷ୍ଠାନର ପ୍ରତିନିଧି ଏବଂ ଟ୍ରକ୍ ଆସୋସିଏସନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande