
ପାଟନା, ୩୧ ଅକ୍ଟୋବର (ହି.ସ.) : ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା, ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ଏସ୍ଆଇଏସ୍ ଗ୍ରୁପ୍ର ପ୍ରତିଷ୍ଠାତା ଡକ୍ଟର ରବୀନ୍ଦ୍ର କିଶୋର ସିହ୍ନାଙ୍କ ଶନିବାର ସନ୍ଧ୍ୟା ୫ଟାରେ ପାଟନାର ଦୀଘା ଘାଟଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯାଇଛି। ଶୋକାକୁଳ ପରିବେଶରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା। ତାଙ୍କ ପୁଅ ତଥା ବିଜେପି ନେତା ଋତୁରାଜ ସିହ୍ନା ମୁଖାଗ୍ନି ଦେଇଥିଲେ। ଶୁକ୍ରବାର ନୋଏଡାସ୍ଥିତ ନିଜ ବାସଭବନରେ ଡକ୍ଟର ସିହ୍ନାଙ୍କ ପରଲୋକ ହୋଇଥିଲା।
ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ମରଶରୀରକୁ ପାଟନାସ୍ଥିତ ‘ଅନ୍ନପୂର୍ଣ୍ଣା’ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ସେଠାରେ ରାଜନୈତିକ ଓ ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ଚୌଧୁରୀ ମଧ୍ୟ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ଏହି ଅବସରରେ ଉଭୟ ନେତା ଋତୁରାଜ ସିହ୍ନାଙ୍କୁ ଭେଟି ସମବେଦନା ଜଣାଇଥିଲେ।
ଡକ୍ଟର ସିହ୍ନାଙ୍କ ବିୟୋଗରେ ଦଳୀୟ ରାଜନୀତିର ସୀମା ମଧ୍ୟ ଅତିକ୍ରମ କରିଥିବା ଏକ ଶୋକର ପରିବେଶ ଦେଖିବାକୁ ମିଳିଥିଲା। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ପତ୍ନୀ ରାବ୍ରି ଦେବୀ ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ। ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଓ ନିତ୍ୟାନନ୍ଦ ରାୟ, ବିହାର ସରକାରଙ୍କ ମନ୍ତ୍ରୀ ଦିଲୀପ ଜୟସ୍ୱାଲ, ମିଥିଳେଶ ତିୱାରୀ ଓ ବିଜୟ ସିହ୍ନା, ବିଧାୟକ ସଞ୍ଜୀବ ଚୌରସିଆ ଏବଂ ପାଟନା ସାହିବର ସାଂସଦ ରବିଶଙ୍କର ପ୍ରସାଦଙ୍କ ସମେତ ବହୁ ନେତା ତାଙ୍କ ଶେଷ ଦର୍ଶନ କରି ଶୋକବ୍ୟକ୍ତ କରିଥିଲେ।
ଡକ୍ଟର ଆର୍କେ ସିହ୍ନା ରାଜନୀତି ସହିତ ବ୍ୟବସାୟ ଜଗତରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଏସ୍ଆଇଏସ୍ ଗ୍ରୁପ୍ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଥିଲେ। ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚିତ ହେବା ସହ ରାଜ୍ୟସଭା ସଦସ୍ୟ ଭାବେ ମଧ୍ୟ ସେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ରାଜନୈତିକ ଓ ଶିଳ୍ପ ଜଗତରେ ଶୋକର ଛାୟା ଖେଳିଯାଇଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ