
ଓଡ଼ିଶାର ମାଟି, ସଂସ୍କୃତି ଓ ଜୀବନଶୈଳୀକୁ ଡିଜିଟାଲ ପ୍ଲାଟଫର୍ମରେ ଲୋକଲୋଚନକୁ ଆଣିବା - ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଏବଂ ପିଠାପଣା ଠାରୁ ଆରମ୍ଭ କରି ପ୍ରତ୍ୟେକଟି ସାମାଜିକ ବିଷୟବସ୍ତୁ ହେଉଛି ସ୍ୱତନ୍ତ୍ର । ଏହି ବିଶେଷତାକୁ ଏକବିଂଶ ଶତାବ୍ଦୀରେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଲୋକଲୋଚନକୁ ଆଣିବା ହିଁ ଯୁବପିଢିଙ୍କ ପାଇଁ ବଡ଼ ଆହ୍ୱାନ ବୋଲି କହିଛନ୍ତି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶନିବାର ନୂଆଦିଲ୍ଲୀ ଠାରେ ଯୁବ ଲେଖକ ହୃଦାନନ୍ଦ ପୃଷ୍ଟିଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ବ୍ୟାକ୍ ଟୁ ଭିଲେଜ୍’ର ଉନ୍ମୋଚନ କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆଜିକାଲି ଟେକ୍ନୋଲୋଜିକାଲ୍ ଇନୋଭେସନ୍, ତାହାର ବିଧ୍ୱଂସୀ ପ୍ରଭାବ ଏବଂ ମାନବୀୟ କ୍ଷମତା ମଧ୍ୟରେ ଏକ ବ୍ୟବଧାନ ଦେଖାଯାଉଛି।ଏଆଇ ଏବଂ ମାନବୀୟ ବୁଦ୍ଧିମତା ମଧ୍ୟରେ ଚାଲିଥିବା ବିତର୍କରେ ଶେଷରେ ମାନବୀୟ ମୂଲ୍ୟବୋଧର ହିଁ ବିଜୟ ହେବ। ଆଜି ଏଆଇ ପଦାର୍ଥ ବିଜ୍ଞାନ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ , କ୍ଲିନିକାଲ୍ ରିସର୍ଚ୍ଚ ଓ ସମସ୍ତ କ୍ଷେତ୍ରକୁ ଛୁଇଁଛି, କିନ୍ତୁ ଏହାର ନିର୍ମାତା ଏକ କ୍ଷୁଦ୍ର ଗୋଷ୍ଠୀ ହୋଇଥିବା ବେଳେ ଏହାର ପ୍ରୟୋଗ ସମଗ୍ର ସମାଜ ଉପରେ ହେଉଛି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ଆମେରିକା ଭଳି ବିକଶିତ ଦେଶରେ ପ୍ରାୟ ନବେ ପ୍ରତିଶତ ଲୋକଙ୍କ ପାଖରେ ବ୍ୟକ୍ତିଗତ କମ୍ପ୍ୟୁଟର ଥିବା ବେଳେ ଭାରତର ସ୍ୱଳ୍ପ ଲୋକଙ୍କ ପାଖରେ କମ୍ପ୍ୟୁଟର ଅଛି। ଏତେ ବଡ଼ ବ୍ୟବଧାନ ଥାଇ ମଧ୍ୟ ସମଗ୍ର ବିଶ୍ୱର ପ୍ରାୟ ୫୦% ଡିଜିଟାଲ୍ ଟ୍ରାଞ୍ଜାକ୍ସନ୍ କେବଳ ଭାରତରେ ହେଉଛି। ଏହା ଭାରତୀୟ ସମାଜର ଅସାଧାରଣ ପ୍ରଯୁକ୍ତିଗତ ଦକ୍ଷତା ଏବଂ ଆଡାପ୍ଟାବିଲିଟିକୁ ପ୍ରମାଣିତ କରୁଛି । ଆଜିର ଯୁବପିଢ଼ିଙ୍କ ଦୁନିଆ ସ୍ମାର୍ଟଫୋନ୍ ଓ ଇଣ୍ଟରନେଟ୍ ଦ୍ୱାରା ପରିଚାଳିତ। ଅନ୍ୟପଟେ, ବାଲବାଟିକାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କ ପାଇଁ ଅଟଳ ଟିଙ୍କରିଂ ଲାବ୍' ଭଳି ପଦକ୍ଷେପ ମାଧ୍ୟମରେ ଇନୋଭେସନ୍ ବୃଦ୍ଧି ପାଉଛି। ସମାଜରେ ଯେକୌଣସି ଜିନିଷର ସ୍ପଷ୍ଟତା ଆଣିବାକୁ ହେଲେ ନିଜର ମୂଳ ବା ଜଡ଼ ପର୍ଯ୍ୟନ୍ତ ଯିବାକୁ ପଡ଼ିବ । ଯୁବ ଲେଖକ ହୃଦାନନ୍ଦଙ୍କ ପୁସ୍ତକ ଯୁବପିଢ଼ିଙ୍କୁ ନିଜର ମୂଳ, ଗାଁ, ଓଡ଼ିଆ ମାଟି ଓ ଜୀବନବୋଧ ସହ ଯୋଡ଼ିବା ପାଇଁ ଏକ ପ୍ରେରଣାଦାୟୀ ବାର୍ତା ବୋଲି ସେ ପ୍ରକାଶ କରିଛନ୍ତି । ଏଥିପାଇଁ ଶ୍ରୀ ପ୍ରଧାନ ଲେଖକ, ପ୍ରକାଶକ ଏବଂ ଆୟୋଜକମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଆ ଜାତି ଏବଂ ଆମ ସଂସ୍କୃତି କେବେବି ସଙ୍କୀର୍ଣ୍ଣ ନୁହେଁ, କାରଣ ଆମର ଆରାଧ୍ୟ ହେଉଛନ୍ତି ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ। ଶ୍ରୀ ପ୍ରଧାନ ଓଡ଼ିଶାର ଯୁବସାଥୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଆମ ଓଡ଼ିଶାର ପ୍ରାୟ ପ୍ରତ୍ୟେକ ଗାଁର ସୌନ୍ଦର୍ଯ୍ୟ, ଆମର ପାରମ୍ପରିକ ଆରିଷା, ଏଣ୍ଡୁରି, ମଣ୍ଡା, ଚକୁଳି, ପୋଡ଼ପିଠା, ଯାହାକୁ ବିଶ୍ୱ ଆଜି ମୋମୋ, କିମ୍ବା ପିଜ୍ଜା ଆକାରରେ ଦେଖୁଛି ଏବଂ ଲୋକସଭ୍ୟତାକୁ ସୋସିଆଲ ମିଡିଆରେ ଛୋଟ ଛୋଟ ଭିଡିଓ, ରିଲ୍ସ ଓ ଫଟୋ ମାଧ୍ୟମରେ ସାରା ଦୁନିଆ ଆଗରେ ପରିଚିତ କରାନ୍ତୁ।
ଗ୍ରାମାଂଚଳର କ୍ଷୁଦ୍ର ଶିଶୁ, ଗର୍ଭବତୀ ମାମାନଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣ ପ୍ରତି ସଚେତନ ହେବାକୁ ସେ ନିବେଦନ କରିଛନ୍ତି। ନିଜ ଗାଁ ଓ ଜନ୍ମମାଟିର ଶିଶୁମାନଙ୍କ ସ୍ୱାସ୍ଥ୍ୟସେବା ଓ ଉତମ ଶିକ୍ଷା ପାଇଁ ଆମକୁ ସହଯୋଗର ହାତ ବଢ଼ାଇବାକୁ ପଡ଼ିବ। ଗାଁ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଏଆଇ ପ୍ରମ୍ପଟ୍ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ବିଷୟରେ ଶିଖାଇ ସଶକ୍ତ କରିବା ଆମର ଦାୟିତ୍ୱ । ଆଗାମୀ ୨୦୪୭ ପର୍ଯ୍ୟନ୍ତ ଏବଂ ତା' ପରବର୍ତୀ ୫୦ ବର୍ଷ ପାଇଁ ବିଶ୍ୱ ଓ ଭାରତକୁ ନେତୃତ୍ୱ ଦେବାର ଦକ୍ଷତା ଓଡ଼ିଶାର ଯୁବପିଢ଼ିଙ୍କ ପାଖରେ ରହିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା' ସମଲେଶ୍ୱରୀଙ୍କ ଆଶୀର୍ବାଦରୁ ଓଡ଼ିଶାର ଯୁବସାଥୀମାନେ ଶିକ୍ଷା, ବିଜ୍ଞାନ, ସାହିତ୍ୟ ଓ ପ୍ରଯୁକ୍ତିବିଦ୍ୟାରେ ସମଗ୍ର ଦୁନିଆରେ ଓଡ଼ିଶାର ଗୌରବ ବୃଦ୍ଧି କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା