
ଚମ୍ପୁଆ, ୩୧ ଅକ୍ଟୋବର (ହି.ସ.)- କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ସୁଭଦ୍ରାଦେଇପୁର ଠାରୁ ଟିଆଁସୀପଶି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗର ପିଚୁ ରାସ୍ତା ଏବେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। କାନୂପୁର କେନାଲ ପ୍ରକଳ୍ପ ପକ୍ଷରୁ ନିର୍ମାଣ କରାଯାଇଥିବା ପୋଲ ଗୁଡିକର ଉଭୟ ପାର୍ଶ୍ଵ ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଯାତାୟାତ ଏକ ପ୍ରକାର ଅସମ୍ଭବ ହୋଇପଡିଛି।
ସୂଚନା ଅନୁସାରେ, ଏହି ପ୍ରମୁଖ ପିଚୁ ରାସ୍ତା ଉପରେ କାନୂପୁର କେନାଲ ପ୍ରକଳ୍ପ ପକ୍ଷରୁ ସୁଭଦ୍ରାଦେଇପୁର, ବାସୁଦେବପୁର, ରଙ୍ଗାମାଟିଆ, ବାଙ୍କିଆ ଓ ହୃଦୁରାମପୁର ଆଦି ସ୍ଥାନ ମାନଙ୍କରେ କେନାଲ ପୋଲ ନିର୍ମାଣ କରାଯାଇଛି। ପୋଲ ନିର୍ମାଣ ପରେ ଉଭୟ ପାର୍ଶ୍ଵରେ ଚିପ୍ସ ଗୁଣ୍ଡ ଦେଇ ରାସ୍ତାକୁ ସମତୁଲ କରାଯାଇ ମାଟି ବସିବା ପାଇଁ ଛାଡି ଦିଆଯାଇଥିଲା। କିନ୍ତୁ, ଲଗାଣ ବର୍ଷା ଯୋଗୁଁ ଏହି ସ୍ଥାନ ଗୁଡ଼ିକ ଦବିଯାଇ ବ୍ୟାପକ କାଦୁଅ ହେବା ସହ ବିପଦସଙ୍କୁଳ ଅବସ୍ଥା ସୃଷ୍ଟି କରିଛି।
ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନିୟମ ଅନୁସାରେ, ଏହି ରାସ୍ତାରେ ଥିବା ପୋଲ ଗୁଡିକର କ୍ଷମତା ସର୍ବାଧିକ ୨୦ ଟନ୍ ରହିଛି। ମାତ୍ର ବାଙ୍କିଆସ୍ଥିତ ଚାଉଳ ମିଲ୍ ର ଭାରିଯାନ ଗୁଡିକ ୪୦ ଟନ୍ ରୁ ଅଧିକ ଓଜନର ସାମଗ୍ରୀ ନେଇ ଦୈନିକ ଏହି ରାସ୍ତାରେ ଅହରହ ଚଳାଚଳ କରୁଛନ୍ତି। ଓଭରଲୋଡିଂ ଯୋଗୁଁ ରାସ୍ତା ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବା ବେଳେ ପୋଲ ଗୁଡିକର ସ୍ଥାୟିତ୍ୱକୁ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି। ଯଦି ଏହିପରି ଭାରୀଯାନ ଚଳାଚଳ ଜାରି ରହେ, ତେବେ ପୋଲ ଗୁଡିକ ଯେକୌଣସି ସମୟରେ ଭାଙ୍ଗି ଧସିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେବେ ଏନେଇ ବିଭାଗ ପକ୍ଷରୁ ମିଲ୍ ମାଲିକଙ୍କୁ ଖୁବ ଶୀଘ୍ର ନୋଟିସ ଜାରି କରାଯିବ ବୋଲି ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / Trinath Mahanta