
ପୁରୀ, ୩୧ ଅକ୍ଟୋବର (ହି.ସ.)- ଓଡ଼ିଶା ତଥା ପୁରୀ ଜିଲ୍ଲାର ପ୍ରମୁଖ ଶକ୍ତିପୀଠ ସତ୍ଯବାଦୀର ବୀରଗୋବିନ୍ଦପୁର ସ୍ଥିତ ମା' ଦକ୍ଷିଣକାଳୀଙ୍କ ପୀଠରେ କାଳୀପୂଜା ଅନୁଷ୍ଠିତ ହେବ । ଚଳିତ ବର୍ଷ ସବୁଠାରୁ ଆକର୍ଷଣୀୟ ରୂପା ତାରକସି ଚାନ୍ଦି ମେଢ଼ରେ ଝଲସିବେ ମା' ଦକ୍ଷିଣକାଳୀ । ଏଥିପାଇଁ କଟକର ପ୍ରସିଦ୍ଧ ରୂପା ତାରକସି କାରିଗର ମେଢ ନିର୍ମାଣରେ ନିମଗ୍ନ ଅଛନ୍ତି । ରୂପାର ସରୁ ତାରରେ ଛନ୍ଦା ହୋଇ ଏହି ମେଢ ପ୍ରସ୍ତୁତି ଚାଲିଛି । ମେଢ ଚାରିପଟେ ଛୋଟ ଛୋଟ କାଚ ସେଟିଙ୍ଗ କରାଯାଉଛି । ରଙ୍ଗୀନ ଆଲୋକରେ ଏହା ଝଲସିବ । ଐତିହାସିକ ଶାସନ ଗ୍ରାମ ବୀରଗୋବିନ୍ଦପୁର ମା' ଦକ୍ଷିଣକାଳୀଙ୍କ ଉତ୍ସବ ଚଳିତବର୍ଷ ଧୁମଧାମରେ ପାଳିତ ହେବ ବୋଲି ମନ୍ଦିର କମିଟି ଜଣାଇଛନ୍ତି । ଭକ୍ତ ମାନଙ୍କ ଦାନରେ ଏହି ଚାନ୍ଦି ମେଢ କରାଯାଉଛି । ଭକ୍ତ ମାନେ ପୂଜାରେ ମା' ଦକ୍ଷିଣକାଳୀଙ୍କୁ ଦର୍ଶନ କରି ଆଶିଷ ନେବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ