ମାନବ ଚାଲାଣ ରୋକିବାକୁ ଜିଲ୍ଲାସ୍ତରୀୟ ସଚେତନତା ଓ ପ୍ରଶିକ୍ଷଣ ଶିବିର
District level awareness programme
ମାନବ ଚାଲାଣ ରୋକିବାକୁ ଜିଲ୍ଲାସ୍ତରୀୟ ସଚେତନତା


ଝାରସୁଗୁଡ଼ା, ୩୧ ଅକ୍ଟୋବର (ହି.ସ.)- ମାନବ ଚାଲାଣ ଭଳି ସାମାଜିକ ଅପରାଧର ମୂଳୋତ୍ପାଟନ, ପୀଡ଼ିତଙ୍କ ଚିହ୍ନଟ, ସୁରକ୍ଷା, ଉଦ୍ଧାର ଓ ପୁନର୍ବାସ ସହିତ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା ଓ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଶନିବାର ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ସମେତ ଅନ୍ୟ ଅତିଥିମାନେ ଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳେ ଯାଜ୍ଞସେନୀ ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପ୍ରଶିକ୍ଷଣ ଅଧିବେଶନରେ ବିଭିନ୍ନ କ୍ଷେତ୍ରର ଅଭିଜ୍ଞ ବିଶେଷଜ୍ଞମାନେ ମାନବ ଚାଲାଣର ପ୍ରତିରୋଧ, ପୀଡ଼ିତଙ୍କ ଚିହ୍ନଟ, ସୁରକ୍ଷା, ଆଇନଗତ ସହାୟତା ଓ ପୁନର୍ବାସ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ସଞ୍ଜୁକ୍ତା ମହାପାତ୍ର ଶିଶୁ ଚାଲାଣର ଶିକାର ହୋଇଥିବା ନାବାଳକ ଓ ନାବାଳିକାଙ୍କ ଚିହ୍ନଟ, ଉଦ୍ଧାର, ସୁରକ୍ଷା ଓ ଯତ୍ନ ସମ୍ପର୍କରେ ଆଲୋକପାତ କରିଥିଲେ। ଶିଶୁ କଲ୍ୟାଣ ସମିତିର ଭୂମିକା, ପୀଡ଼ିତ ଶିଶୁଙ୍କୁ ଆବଶ୍ୟକ ସେବା ଓ ଉପଯୁକ୍ତ ପୁନର୍ବାସ ଯୋଗାଇଦେବା ସହ ଶିଶୁଙ୍କ ସର୍ବୋତ୍ତମ ସ୍ୱାର୍ଥକୁ ପ୍ରାଥମିକତା ଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସେହାଡା ସ୍ୱେଚ୍ଛାସେବୀ ସଂଗଠନର ନିର୍ଦ୍ଦେଶିକା ଆନନ୍ଦିନୀ ପାଢ଼ୀ ମାନବ ଚାଲାଣ ରୋକିବାରେ ସମୁଦାୟସ୍ତରୀୟ ସଚେତନତାର ଆବଶ୍ୟକତା ଉପରେ ମତ ରଖିଥିଲେ। ବିପଦସଙ୍କୁଳ ବ୍ୟକ୍ତି ଓ ପରିବାରଙ୍କୁ ଠିକ୍ ସମୟରେ ଚିହ୍ନଟ କରିବା, ପୀଡ଼ିତଙ୍କୁ ଆବଶ୍ୟକ ସହାୟତା ଯୋଗାଇବା, ସରକାରୀ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଏବଂ ପୁନର୍ବାସରେ ସମୁଦାୟର ସହଯୋଗ ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ଜିଲ୍ଲାସ୍ତରୀୟ ଶିଶୁ ସୁରକ୍ଷା ବ୍ୟବସ୍ଥା, ବିଭିନ୍ନ ସଂସ୍ଥାର ଦାୟିତ୍ୱ ଓ କର୍ତ୍ତବ୍ୟ, ମାମଲା ପରିଚାଳନା ଏବଂ ଆବଶ୍ୟକ ସମୟରେ ପୀଡ଼ିତ ଶିଶୁଙ୍କୁ ଉପଯୁକ୍ତ ସେବା ଯୋଗାଇବାର ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିଲେ। ମାନବ ଚାଲାଣ ରୋକିବା ଓ ଶିଶୁଙ୍କ ସୁରକ୍ଷା ଦିଗରେ ବିଭିନ୍ନ ବିଭାଗର ସମନ୍ୱିତ ଉଦ୍ୟମ ଜରୁରୀ ବୋଲି ସେ କହିଥିଲେ।

ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆଇନଜୀବୀ ବି. ନାଗେଶ୍ୱରୀ ମାନବ ଚାଲାଣ ସମ୍ପର୍କିତ ଆଇନଗତ ବ୍ୟବସ୍ଥା, ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରା, ଅପରାଧୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ, ପୀଡ଼ିତଙ୍କ ଅଧିକାର ଏବଂ ମାଗଣା ଆଇନ ସହାୟତା ପାଇବାର ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ରଖିଥିଲେ। ଏହାସହ କିନ୍ନର ସମୁଦାୟର ସଦସ୍ୟମାନେ ମଧ୍ୟ ବିଭିନ୍ନ ପ୍ରକାର ଶୋଷଣ ଓ ମାନବ ଚାଲାଣର ବିପଦର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ତେଣୁ ଭବିଷ୍ୟତରେ ଏଭଳି ସଚେତନତା ଓ ପ୍ରଶିକ୍ଷଣ ଶିବିରରେ କିନ୍ନର ସମୁଦାୟର ପ୍ରତିନିଧିମାନଙ୍କୁ ସାମିଲ କରିବା ଉପରେ ସେ ଆହ୍ୱାନ ଦେଇଥିଲେ।

ଏହି ପ୍ରସଙ୍ଗରେ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜକ ଲିଲେଶ୍ୱର ସାହୁ ମଧ୍ୟ ଭବିଷ୍ୟତରେ ମାନବ ଚାଲାଣ, ଘରୋଇ ହିଂସା, ଲିଙ୍ଗଭିତ୍ତିକ ହିଂସା ଏବଂ ମହିଳା ଓ ଶିଶୁ ସୁରକ୍ଷା ସମ୍ପର୍କିତ ସମସ୍ତ ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କିନ୍ନର ସମୁଦାୟର ପ୍ରତିନିଧିଙ୍କୁ ଆମନ୍ତ୍ରଣ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସମାଜର ପ୍ରତ୍ୟେକ ବର୍ଗଙ୍କ ସମାନ ଅଂଶଗ୍ରହଣ ଓ ସମ୍ମାନଜନକ ପ୍ରତିନିଧିତ୍ୱ ଦ୍ୱାରା ଏକ ସମାବେଶୀ ଓ ସୁରକ୍ଷିତ ସମାଜ ଗଠନ ସମ୍ଭବ ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷକ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଏକକ ସହାୟତା କେନ୍ଦ୍ରର କର୍ମଚାରୀ, ଶକ୍ତି ସଦନର ପ୍ରଶାସକ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଜିଲ୍ଲା ପରିଚାଳକ, ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପର ଅଧିକାରୀ ଓ ମହିଳା ପର୍ଯ୍ୟବେକ୍ଷିକା, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପୁଷ୍ପଶ୍ରୀ ନାୟକ, ପୁଲିସ ବିଭାଗର ସହକାରୀ ଉପନିରୀକ୍ଷକ ଓ ହାବିଲଦାର, ଶ୍ରମ ବିଭାଗର ପ୍ରତିନିଧି, ଗୋଷ୍ଠୀ ଶିକ୍ଷା ଅଧିକାରୀ, ମମତା ଓ ସୁଭଦ୍ରା ଯୋଜନାର କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ମହାସଂଘର ପ୍ରତିନିଧି, ପଞ୍ଚାୟତିରାଜ ସଂସ୍ଥାର ଜନପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ ଏବଂ ରେଳବାଇ ପୁଲିସ ଓ ରେଳ ସୁରକ୍ଷା ବଳର ପ୍ରତିନିଧିମାନେ ଯୋଗଦେଇଥିଲେ। ମାନବ ଚାଲାଣର ପ୍ରତିରୋଧ, ପୀଡ଼ିତଙ୍କ ଚିହ୍ନଟ ଓ ଉଦ୍ଧାର, ସୁରକ୍ଷା ଏବଂ ପୁନର୍ବାସ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ ଓ ଦାୟିତ୍ୱବୋଧ ବୃଦ୍ଧି କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର କର୍ମଚାରୀମାନଙ୍କ ସମନ୍ୱୟ ଓ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହ ଆୟୋଜିତ ହୋଇଥିଲା। ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସ୍ଥିତ ସମସ୍ତେ ମାନବ ଚାଲାଣ ରୋକିବା ଦିଗରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ଶପଥ ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande