
ଝାରସୁଗୁଡ଼ା, ୩୧ ଅକ୍ଟୋବର (ହି.ସ.) - ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ‘ତମାଖୁ ମୁକ୍ତ ଯୁବ ଅଭିଯାନ ୪.୦’ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାର ଯୁବପିଢ଼ିଙ୍କୁ ତମାଖୁ ଓ ନିଶାଦ୍ରବ୍ୟର କୁପ୍ରଭାବରୁ ରକ୍ଷା କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ଚଳିତ ଅକ୍ଟୋବର ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆସନ୍ତା ଡିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬୦ ଦିନ ଧରି ସମଗ୍ର ଜିଲ୍ଲାରେ ଜାରି ରହିବ।
ଏହି ଅଭିଯାନ ଅଧୀନରେ ଗ୍ରାମ ପଂଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ବ୍ୟାପକ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଲୋକଙ୍କୁ ସଚେତନ କରାଯିବ। ବିଶେଷକରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ପରିସରକୁ ସମ୍ପୂର୍ଣ୍ଣ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଭାବେ ଗଢ଼ିତୋଳିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ଏହା ସହିତ ଗ୍ରାମଗୁଡ଼ିକୁ ତମାଖୁମୁକ୍ତ ପଂଚାୟତ ଭାବେ ଘୋଷଣା କରିବା ଦିଗରେ ସ୍ଥାନୀୟ ଜନପ୍ରତିନିଧି ଏବଂ ସ୍ୱେଚ୍ଛାସେବୀଙ୍କ ସହଯୋଗ ନିଆଯିବ।
ତମାଖୁ ନିୟନ୍ତ୍ରଣ ଆଇନ ଉଙଞଚଇର କଡ଼ାକଡ଼ି କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଶିକ୍ଷାନୁଷ୍ଠାନଗୁଡ଼ିକର ପରିଧି ମଧ୍ୟରେ ତମାଖୁ ବିକ୍ରି ଉପରେ କଟକଣା, ସର୍ବସାଧାରଣ ସ୍ଥାନରେ ଧୂମପାନ ବାରଣ ତଥା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ ଏନଫୋର୍ସମେଂଟ ଡ୍ରାଇଭ୍ ଚଳାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ ଯୁବସମାଜ ପାଖରେ ଏହି ବାର୍ତାକୁ ପ୍ରଭାବଶାଳୀ ଢଙ୍ଗରେ ପହଂଚାଇବା ପାଇଁ ସୋସିଆଲ ମିଡିଆ ମାଧ୍ୟମର ବ୍ୟାପକ ଉପଯୋଗ କରାଯିବା ନେଇ ବୈଠକରେ ନିଷ୍ପତି ନିଆଯାଇଛି। ସମାଜର ପ୍ରତ୍ୟେକ ବର୍ଗ ଏହି ୬୦ ଦିନିଆ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରି ଏକ ସୁସ୍ଥ ଓ ତମାଖୁମୁକ୍ତ ଝାରସୁଗୁଡ଼ା ଗଠନ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ