
ଝାରସୁଗୁଡ଼ା, ୩୧ ଅକ୍ଟୋବର (ହି.ସ.)- ଜିଲ୍ଲା ପ୍ରଶାସନ ଏବଂ ଆଞ୍ଚଳିକ ପରିବହନ ବିଭାଗ ଆନୁକୁଲ୍ୟରେ 'ସେବା ସଂକଳ୍ପ ଅଭିଯାନ' ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ମୁଖ୍ୟ ଅତିଥି ଭାବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ। ସଡ଼କ ସୁରକ୍ଷା ନିୟମାବଳୀକୁ ନିଜ ଦୈନନ୍ଦିନ ଜୀବନରେ କଡ଼ାକଡ଼ି ଭାବେ ପାଳନ କରିବା ସହ ଅନ୍ୟମାନଙ୍କୁ ସଚେତନ କରାଇ ଏକ ସୁରକ୍ଷିତ ତଥା ଦୁର୍ଘଟଣାମୁକ୍ତ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଜିଲ୍ଲାପାଳ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ସମାରୋହରେ ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଆଞ୍ଚଳିକ ପରିବହନ ଅଧିକାରୀ ଗୌରହରି ହାଁସଦା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ସୁଶ୍ରୀ ରୀତାକାନ୍ତି ବଳିୟାରସିଂହ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ତପନ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ।
ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ର ବିରାଟ କୁମାର ପ୍ରଥମ ସ୍ଥାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଝାରସୁଗୁଡ଼ାର ଅଷ୍ଟମ ଶ୍ରେଣୀ ଛାତ୍ରୀ ତ୍ରିଶା ତୁଷିତା ଭଇଁସାଲ ଦ୍ୱିତୀୟ ସ୍ଥାନ ଏବଂ ଜି.ଏଚ୍.ଭି.ଏମ୍ ସ୍କୁଲ (ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିର)ର ନବମ ଶ୍ରେଣୀ ଛାତ୍ରୀ ସାଇ ଶ୍ରଦ୍ଧା ପତି ତୃତୀୟ ସ୍ଥାନ ହାସଲ କରିଛନ୍ତି।
ସେହିପରି ସ୍ଲୋଗାନ ପ୍ରତିଯୋଗିତାରେ ଡିଏଭି ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧା ସାହାନୀ ପ୍ରଥମ ସ୍ଥାନ, ସରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଜିଜ୍ଞେଶ କର ଦ୍ୱିତୀୟ ସ୍ଥାନ ତଥା ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ମେହେର ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ଏହି ସମାରୋହରେ ଏକ ଭାବପୂର୍ଣ୍ଣ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା, ଯେତେବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିରର ନବମ ଶ୍ରେଣୀ ଛାତ୍ରୀ ସାଇ ଶ୍ରଦ୍ଧା ପତି ନିଜ ହାତରେ ଆଙ୍କିଥିବା ଜିଲ୍ଲାପାଳଙ୍କ ଏକ ପ୍ରତିକୃତି ତାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ଜନସେବା ତଥା କାର୍ଯ୍ୟଶୈଳୀ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଭବିଷ୍ୟତରେ ଜଣେ ସମର୍ପିତ ପ୍ରଶାସନିକ ଅଧିକାରୀ ହୋଇ ଲୋକଙ୍କ ସେବା କରିବା ନିଜର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ। ଜିଲ୍ଲାପାଳ ଛାତ୍ରୀଙ୍କ ଏହି ପ୍ରତିଭା ଓ ଉଚ୍ଚ ଆଦର୍ଶର ପ୍ରଶଂସା କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣାକେଶୀ ବଳିୟାରସିଂହ ସଂଯୋଜନା ଓ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଅଭିଭାବକ ତଥା ବିଭିନ୍ନ କମ୍ପାନୀ କର୍ତ୍ତୃପକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ