
ବଲାଙ୍ଗିର, ୩୧ ଅକ୍ଟୋବର (ହି.ସ.)- ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀରର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ହିରନମୟ ବିଶୋଇଙ୍କ ଅନୁମତି କ୍ରମେ ସ୍ଥାନୀୟ ପି.ଆର୍. ହାଇସ୍କୁଲ, ବଲାଙ୍ଗୀର ଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୁବ୍ରତ କୁମାର ପଟ୍ଟନାୟକ, ଏଡିଜେ, ପିଓ (ଏସସି/ଏସଟି) କୋର୍ଟ, ବଲାଙ୍ଗୀର, ପ୍ରିୟବ୍ରତ ଦାସ, ପାରିବାରିକ ଅଦାଲତ ବିଚାରପତି, ବଲାଙ୍ଗୀର, ପବିତ୍ରାନନ୍ଦ ପ୍ରଧାନ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗୀର, ଆଶିଷ କୁମାର ସାହୁ, ବରିଷ୍ଠ ଦେୱାନୀ ବିଚାରପତି ବଲାଙ୍ଗୀର, ସାଧକ କାର୍ଜୀ, ଜେଏମଏଫସି(ଏଲଆର ଆଣ୍ଡ ଏଲଟିଭି ), ବଲାଙ୍ଗୀର, ଶିଶିର କୁମାର ଭୋଇ ଗ୍ରାମ ନ୍ୟାୟଧିକାରୀ ବଲାଙ୍ଗୀର, ଶ୍ରୀମତୀ ସନ୍ତୋଷିନୀ ସେଠି, ପ୍ରଧାନ ଶିକ୍ଷୟିତ୍ରୀ, ପି.ଆର୍. ହାଇସ୍କୁଲ, ବଲାଙ୍ଗୀର ଉପସ୍ଥିତ ଥିଲେ ।
ଏହି ଶିବିରରେ ଶ୍ରୀ ପଟ୍ଟନାୟକ ସର୍ଦ୍ଦାର ପଟେଲଙ୍କ ଜୀବନୀ ଓ ଦେଶ ଗଠନରେ ତାଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଶ୍ରୀ ଦାସ ଛାତ୍ରଛାତ୍ରୀ ମାନଙ୍କୁ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ପାଇଁ ଆହ୍ବାନ ଦେଇଥିଲେ । ଶ୍ରୀ ପ୍ରଧାନ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହିତ ଜାତୀୟ ସଂହତି, ଭାଇଚାରା ଓ ସଦ୍ଭାବନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । କାର୍ଯ୍ୟକ୍ରମରେ ପି.ଆର୍. ହାଇସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ପି.ଆର୍. ହାଇସ୍କୁଲର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ