
ଝାରସୁଗୁଡ଼ା, ୩୧ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ଏଚ୍. କଟାପାଲି ପଞ୍ଚାୟତସ୍ଥିତ ବିଦ୍ୟା ବିକାଶ ଇଣ୍ଟରନ୍ୟାସନାଲ ସ୍କୁଲର ସହଯୋଗରେ ଶନିବାର ସ୍କୁଲ ପରିସରରେ ‘ଇଣ୍ଡିଆଜ୍ ଇଣ୍ଟରନ୍ୟାସନାଲ ମୁଭମେଣ୍ଟ ଟୁ ୟୁନାଇଟେଡ୍ ନେସନ୍ସ’ (ଆଇଆଇଏମ୍ୟୁଏନ୍) ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ଏଭଳି ଏକ ଜ୍ଞାନଭିତ୍ତିକ ଓ ଶିକ୍ଷଣୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଖୁସି ଅନୁଭବ କରୁଥିବା ପ୍ରକାଶ କରିଥିଲେ। ଏହି ସମ୍ମିଳନୀ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ପାଇଁ ଏକ ଉତ୍ସାହଜନକ ମଞ୍ଚ ପ୍ରଦାନ କରିଛି। ଏଠାରେ ସେମାନେ ବିଶ୍ୱସ୍ତରୀୟ ସମସ୍ୟା, ଆନ୍ତର୍ଜାତୀୟ ସମ୍ପର୍କ, କୂଟନୀତି ଓ ନେତୃତ୍ୱ ଭଳି ବିଷୟରେ ଆଲୋଚନା କରିବା ସହ ନିଜର ଜ୍ଞାନ ଓ ଦକ୍ଷତା ବିକାଶ କରିବାର ସୁଯୋଗ ପାଇଛନ୍ତି ବୋଲି ସେ କହିଥିଲେ।
ଏଭଳି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମାଲୋଚନାତ୍ମକ ଚିନ୍ତନ, ଆତ୍ମବିଶ୍ୱାସ, ପାରସ୍ପରିକ ବୁଝାମଣା ଏବଂ ବିଶ୍ୱସ୍ତରୀୟ ଦାୟିତ୍ୱବୋଧ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ଏଣୁ ଆଗାମୀ ଦିନରେ ମଧ୍ୟ ଏଭଳି ଶିକ୍ଷଣୀୟ ଓ ଜ୍ଞାନବର୍ଦ୍ଧକ କାର୍ଯ୍ୟକ୍ରମ ଜାରି ରଖିବା ଆବଶ୍ୟକ ବୋଲି ବିଧାୟକ ମତବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀକୁ ସଫଳ କରିବା ଦିଗରେ ଆୟୋଜକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ନିଷ୍ଠାପର ଉଦ୍ୟମକୁ ସେ ପ୍ରଶଂସା କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା କାମନା କରିଥିଲେ।
କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଳା ରେଡ୍ଡୀ ରାଘବେନ୍ଦ୍ର, ବିଦ୍ୟା ବିକାଶ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ, ଝାରସୁଗୁଡ଼ା ବ୍ଲକ ବିଜେପି ମଣ୍ଡଳ ସଭାପତି ହେମରଞ୍ଜନ ସିଂଙ୍କ ସମେତ ବହୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ