ଝାରସୁଗୁଡ଼ାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
National unity day observed
ଝାରସୁଗୁଡ଼ାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ


ଅଖଣ୍ଡ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଅବଦାନ ଅତୁଳନୀୟ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଦିବା ୧୧ ଘଟିକାରେ ଜିଲ୍ଲାପାଳ କରାଇଲେ ‘ରାଷ୍ଟ୍ରୀୟ ଏକତା ଶପଥ’ ପାଠ

ଝାରସୁଗୁଡ଼ା, ୩୧ ଅକ୍ଟୋବର (ହି.ସ.) ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ତଥା ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପବିତ୍ର ଜୟନ୍ତୀ ଅବସରରେ ଆଜି ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ‘ରାଷ୍ଟ୍ରୀୟ ଏକତା ଦିବସ’ ଭବ୍ୟ ଭାବରେ ପାଳିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶର ଏକତା, ଅଖଣ୍ଡତା ତଥା ସାର୍ବଭୌମତ୍ୱକୁ ଅକ୍ଷୁଣ୍ଣ ରଖିବା ଲକ୍ଷ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଭାଗୃହରେ ଆୟୋଜିତ ଏହି ସମାରୋହରେ ଜିଲ୍ଲାର ବରିଷ୍ଠ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ ତଥା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ଦିବସ ପାଳନର ଶୁଭାରମ୍ଭ ସ୍ୱରୂପ ପ୍ରଭାତରେ ଏକ ବିଶାଳ ସଚେତନତା ‘ଏକତା ରାଲି’ ଆୟୋଜନ କରାଯାଇଥିଲା। ଏହି ରାଲି ବେହେରାମାଲ କିସାନ ଛକଠାରୁ ଆରମ୍ଭ ହୋଇ ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଯୁବକ୍ରୀଡ଼ାବିତ୍, ଏନସିସି କ୍ୟାଡେଟ୍, ସାମାଜିକ ସଂଗଠନ ଏବଂ ପ୍ରଶାସନିକ ଅଧିକାରୀମାନେ ଜାତୀୟ ପତାକା ସହ ସର୍ଦ୍ଦାର ପଟେଲଙ୍କ ଆଦର୍ଶ ସମ୍ବଳିତ ପ୍ଲାକାର୍ଡ଼ ଧରି ଅଂଶଗ୍ରହଣ କରିଥିଲେ। ରାଲିରେ ଭାରତ ମାତା କି ଜୟ ଏବଂ ରାଷ୍ଟ୍ରୀୟ ଏକତା ଅମର ରହେ ଧ୍ୱନିରେ ସମଗ୍ର ପରିବେଶ ଦେଶପ୍ରେମରେ ଉଦ୍ବୁଦ୍ଧ ହୋଇଉଠିଥିଲା। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ସଭାଗୃହରେ ଏକ ସ୍ମାରକୀ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ସଭାକୁ ସଭାପତିତ୍ୱ କରିଥିଲେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲପାଳ ସାଧାରଣ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜେମ୍ସ ଥୋମାସ, ମୁଖ୍ୟ ବକ୍ତା ଡ. ଶିବପ୍ରିୟା ମିଶ୍ର, ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟା ଡ. ଶିବପ୍ରିୟା ମିଶ୍ର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନାଦର୍ଶ ଓ ଐତିହାସିକ ଅବଦାନ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସ୍ୱାଧୀନତା ପରବର୍ତ୍ତୀ କାଳରେ ଖଣ୍ଡବିଖଣ୍ଡିତ ହେବାକୁ ଯାଉଥିବା ଭାରତକୁ ଏକ ସୂତ୍ରରେ ବାନ୍ଧିବା ଏକ ଅସମ୍ଭବ କାର୍ଯ୍ୟ ଥିଲା। ମାତ୍ର ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ରାଜନୈତିକ ଦୂରଦୃଷ୍ଟି, ଅଦମ୍ୟ ଇଚ୍ଛାଶକ୍ତି ଏବଂ ଦୃଢ଼ କୂଟନୈତିକ କୌଶଳ ବଳରେ ଦେଶୀୟ ରାଜ୍ୟ ଭାରତରେ ସାମିଲ ହୋଇଥିଲେ। ସେ କେବଳ ଭୂଖଣ୍ଡର ଏକତ୍ରୀକରଣ କରିନଥିଲେ, ବରଂ ବିବିଧତା ମଧ୍ୟରେ ଏକତାର ଏକ ସୁଦୃଢ଼ ଆତ୍ମା ଭାରତବାସୀଙ୍କ ମଧ୍ୟରେ ସଞ୍ଚାର କରିଥିଲେ। ଆଜିର ଯୁବପିଢ଼ି ଭାଷା, ଜାତି ଓ ଧର୍ମର ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ୱକୁ ଉଠି ସର୍ଦ୍ଦାର ପଟେଲଙ୍କ ସେହି ରାଷ୍ଟ୍ରନିର୍ମାଣର ସ୍ୱପ୍ନକୁ ସାକାର କରିବା ଉଚିତ।

ଠିକ୍ ପୂର୍ବାହ୍ନ ୧୧ ଘଟିକା ସମୟରେ ମାନ୍ୟବର ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ତଥା ସାଧାରଣ ଜନତାଙ୍କୁ ‘ରାଷ୍ଟ୍ରୀୟ ଏକତା ଦିବସ ଶପଥ’ ପାଠ କରାଇଥିଲେ। ସମସ୍ତେ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ବଜାୟ ରଖିବା ସହିତ ଏହି ବାର୍ତ୍ତାକୁ ଦେଶବାସୀଙ୍କ ମଧ୍ୟରେ ପ୍ରସାରିତ କରିବା ପାଇଁ ନିଷ୍ଠାପର ସଂକଳ୍ପ ନେଇଥିଲେ। ଜିଲ୍ଲାପାଳ ନିଜ ବକ୍ତବ୍ୟରେ କହିଥିଲେ ଯେ, ଦେଶର ଏକତା ହିଁ ଆମର ସବୁଠାରୁ ବଡ଼ ଶକ୍ତି ଏବଂ ପ୍ରତ୍ୟେକ ନାଗରିକଙ୍କ ନିଷ୍ଠାପର ସେବା ଦ୍ୱାରା ହିଁ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ସମ୍ଭବ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣକେଶୀ ବଳିୟାରସିଂହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande