
ନୂଆଦିଲ୍ଲୀ, ୩୧ ଅକ୍ଟୋବର (ହି.ସ.) : ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା (୫୬) ସାମ୍ବାଦିକ ନିଧି ରାଜଦାନ (୪୯)ଙ୍କୁ ବିବାହ କରିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରେ ଏକ ଘରୋଇ ତଥା ସରଳ ସମାରୋହରେ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି।
ଶନିବାର ନିଜେ ଉମର ଅବଦୁଲ୍ଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ବିବାହ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ନିଧି ରାଜଦାନଙ୍କ ସହ ନିଜର ଚାରିଟି ଫଟୋ ସେୟାର କରି ଲେଖିଛନ୍ତି, “ଗତକାଲି ଏକ ନୂଆ ଯାତ୍ରାର ଆରମ୍ଭ ହେଲା।” ଏହି ପୋଷ୍ଟରେ ସେ ନିଧି ରାଜଦାନଙ୍କୁ ଟ୍ୟାଗ୍ ମଧ୍ୟ କରିଛନ୍ତି। ନିଧି ରାଜଦାନ ମଧ୍ୟ ଏକ୍ସରେ ବିବାହ ସମୟର ଫଟୋ ସେୟାର କରିଛନ୍ତି।
ଦିଲ୍ଲୀରେ ସ୍ୱତନ୍ତ୍ର ବିବାହ ଆଇନ (ସ୍ପେଶାଲ ମ୍ୟାରେଜ୍ ଆକ୍ଟ) ଅନୁଯାୟୀ ଏକ ସାଦା ସମାରୋହରେ ଏହି ବିବାହ ହୋଇଥିଲା। ବିବାହର ଆଇନଗତ ପ୍ରକ୍ରିୟା ସମୟରେ ଉଭୟ ପକ୍ଷର ପରିବାର ସଦସ୍ୟ ସାକ୍ଷୀ ଭାବେ ଉପସ୍ଥିତ ଥିଲେ।
ବିବାହ ସମ୍ପର୍କିତ କାର୍ଯ୍ୟକ୍ରମ ଶ୍ରୀନଗର ଓ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା। ଏଥିରେ କେବଳ ଉଭୟ ପରିବାରର ସଦସ୍ୟ ଏବଂ କିଛି ଅତି ନିକଟ ସମ୍ପର୍କୀୟ ଯୋଗ ଦେଇଥିଲେ। ଏହି ଅବସରରେ ଉମରଙ୍କ ପିତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା, ମାଆ ମୌଲି ଅବଦୁଲ୍ଲା, ତିନି ଭଉଣୀ ଓ ଅନ୍ୟ ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ। ସେହିପରି ନିଧିଙ୍କ ପକ୍ଷରୁ ତାଙ୍କ ପିତା ତଥା ବରିଷ୍ଠ ସାମ୍ବାଦିକ ଏମ୍.କେ. ରାଜଦାନ ଏବଂ ମାଆ ସରଳା ରାଜଦାନ ଉପସ୍ଥିତ ଥିଲେ।
ଉଲ୍ଲେଖନୀୟ ଯେ, ଉମର ଅବଦୁଲ୍ଲାଙ୍କ ଏହା ଦ୍ୱିତୀୟ ବିବାହ। ତାଙ୍କର ପ୍ରଥମ ପତ୍ନୀ ପାୟଲଙ୍କ ସହ ଜୁଲାଇ ୩୧ ତାରିଖରେ ଛାଡ଼ପତ୍ର ହୋଇଥିଲା। ଉଭୟ ଦୀର୍ଘ ସମୟ ଧରି ଅଲଗା ରହୁଥିଲେ। ଅନ୍ୟପକ୍ଷରେ ନିଧି ରାଜଦାନଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। ଦୀର୍ଘଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଚାଲିଥିବା ଚର୍ଚ୍ଚା ଓ ଅନୁମାନରେ ଏହି ବିବାହ ପରେ ଅବସାନ ଘଟିଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ