
ଅହମ୍ମଦାବାଦ/ନର୍ମଦା, ୩୧ ଅକ୍ଟୋବର (ହି.ସ.)। ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱଡ଼ିଆସ୍ଥିତ ଏକତା ନଗରରେ ଥିବା ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଞ୍ଚି ସର୍ଦ୍ଦାର ପଟେଲଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ହେଲିକପ୍ଟର ଯୋଗେ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ଉପରେ ପୁଷ୍ପବର୍ଷା ମଧ୍ୟ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜାତୀୟ ଏକତା ଦିବସ ସମାରୋହରେ ଯୋଗଦେବା ସହ ଜାତୀୟ ଏକତା ପରେଡ୍ରେ ମଧ୍ୟ ଅଂଶଗ୍ରହଣ କରିବେ।
ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମଥାନତ କରି ଦେଶର ଏକତା ଓ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ସମାରୋହ ପରେ ପ୍ରଧାନମନ୍ତ୍ରୀ ୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଥିଲେ।
ଏକତା ନଗରରେ ପ୍ରଧାନମନ୍ତ୍ରୀ ‘ଭାରତ ପର୍ବ’ର ଉଦ୍ଘାଟନ କରିବା ସହ ବିଭିନ୍ନ ଷ୍ଟଲ୍ ପରିଦର୍ଶନ କରିଥିଲେ। ତାଙ୍କ ଉପସ୍ଥିତିରେ ପ୍ରାୟ ୩୦୦ ଜଣ କଳାକାର ପ୍ରସିଦ୍ଧ କୃତି ‘ଆନନ୍ଦମଠ’ ଉପରେ ଆଧାରିତ ନାଟ୍ୟ ପରିବେଷଣ କରିଥିଲେ। ଏହାପରେ ସେ ‘ଏକତା ପ୍ରକାଶ ପର୍ବ’ର ଅବଲୋକନ କରିଥିଲେ।
ପ୍ରଧାନମନ୍ତ୍ରୀ ନର୍ମଦା ଘାଟରେ ଆୟୋଜିତ ନର୍ମଦା ମହାଆରତୀରେ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ସେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ଆୟୋଜନରେ ଅଂଶଗ୍ରହଣ କରିଥିଲେ।
ଜାତୀୟ ଏକତା ଦିବସ ଅବସରରେ ଏକତା ନଗରରେ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ରାଷ୍ଟ୍ର ନିର୍ମାଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ, ଜାତୀୟ ଏକତା ଓ ଅଖଣ୍ଡତାର ବାର୍ତ୍ତାକୁ ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚାଇବା।
ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଅକ୍ଟୋବର ୩୦ ଓ ୩୧ ତାରିଖରେ ଦୁଇଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ସେ ବନାସକାଣ୍ଠା ଜିଲ୍ଲାର ଭିଲଡ଼ିଠାରେ ୧୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ। ଏଥିସହ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତି ବାବଦରେ ଚାଷୀଙ୍କ ଖାତାକୁ ପ୍ରାୟ ୧୯ ହଜାର କୋଟି ଟଙ୍କା ହସ୍ତାନ୍ତର କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା