
ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ନିଜ ପାଇଁ ୨୪ ଘଂଟାରୁ ମାତ୍ର ୫ ମିନିଟ୍ ଦେଶ ପାଇଁ ଚିନ୍ତା କରନ୍ତୁ। ପ୍ରତ୍ୟେକ ଭାରତୀୟ ଏପରି କଲେ ଦେଶର ଭାଗ୍ୟ ଓ ଭବିଷ୍ୟତ ବଦଳିଯିବ ବୋଲି ଆହ୍ୱାନ ଦେଇଛନ୍ତି ପଦ୍ମଶ୍ରୀ ଶ୍ରୀମଦ୍ ବାବା ବଳିଆ।
ଶନିବାର ଭୁବନେଶ୍ୱର ବୁଦ୍ଧ ମନ୍ଦିରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଦେଶର ଭବିଷ୍ୟତ, ଗଣତନ୍ତ୍ରର ସୁରକ୍ଷା, ପରିବେଶ ସଂରକ୍ଷଣ ଓ ସାମାଜିକ ସଂସ୍କାର ନେଇ ନିଜର ମତ ରଖିଥିଲେ। ଦୀର୍ଘ ୫୦ ବର୍ଷ ଧରି ସାମାଜିକ ସଚେତନତା ଓ ଦୁର୍ନୀତି ବିରୋଧୀ ଜନଜାଗରଣରେ କାର୍ଯ୍ୟ କରିଆସୁଥିବା ବାବା ବଳିଆ ଯୁବପିଢ଼ିଙ୍କୁ ଦେଶ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସକ୍ରିୟ ହେବାକୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ସମାଜ ଓ ଶାସନ ବ୍ୟବସ୍ଥାରେ ସଂସ୍କାର ପାଇଁ ସେ ୧୨ଟି ପ୍ରସ୍ତାବ ରଖିଥିଲେ। ସେଥିମଧ୍ୟରେ ସ୍ୱାଧୀନତା ଦିବସକୁ ‘ସ୍ୱାଧିକାର ଦିବସ’ ଭାବେ ପାଳନ, ବିରୋଧୀ ଦଳକୁ ‘ପ୍ରସ୍ତାବକ ଦଳ’ ନାମକରଣ, ଗୋମାତାଙ୍କୁ ଜାତୀୟ ପଶୁ ମାନ୍ୟତା, ଶିକ୍ଷାନୁଷ୍ଠାନରେ ଜାତୀୟ ସଙ୍ଗୀତ ଓ ଦେଶପ୍ରେମର ବାର୍ତା, ଧର୍ମାନୁଷ୍ଠାନ ନିକଟରେ ପରିମଳ ବ୍ୟବସ୍ଥା ଏବଂ ନୂତନ ଧର୍ମପୀଠ ନିର୍ମାଣ ପାଇଁ ସରକାରୀ ଅନୁମତି ଆଦି ରହିଛି।
ସେହିପରି ଗଛ କଟାଯାଉଥିବା ସ୍ଥାନରେ ଦଶଗୁଣରୁ ଅଧିକ ବୃକ୍ଷରୋପଣ ଓ ତାହାର ରକ୍ଷଣାବେକ୍ଷଣ, ଗୃହପାଳିତ ପଶୁଙ୍କ ସୁରକ୍ଷା, ରାସ୍ତାରେ ହମ୍ପସ୍ ନିର୍ମାଣ ଉପରେ ନିୟନ୍ତ୍ରଣ ଏବଂ ମଦ୍ୟପ ଚାଳକଙ୍କ ବିରୋଧରେ କଡ଼ା ନିୟମ ଲାଗୁ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ପରିବେଶ ପ୍ରଦୂଷଣ ସହ ମାନସିକ ପ୍ରଦୂଷଣ ମଧ୍ୟ ସମାଜ ପାଇଁ ଚିନ୍ତାର ବିଷୟ ବୋଲି ସେ କହିଥିଲେ।
ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଆର୍ଯ୍ୟ ସମାଜ ଓଡ଼ିଶାର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ପ୍ରେସ୍ ସଂଯୋଜକ ପ୍ରଣବାନନ୍ଦ ଦାସ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା