ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 'ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ
ପୁରୀ, ୩୧ ଅକ୍ଟୋବର (ହି.ସ.)- ଓଡ଼ିଶା ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଦେଶର ଏକତା, ଅଖଣ
ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟରେ 'ରାଷ୍ଟ୍ରୀୟ ଏକତା ଦିବସ’ ପାଳିତ


ପୁରୀ, ୩୧ ଅକ୍ଟୋବର (ହି.ସ.)- ଓଡ଼ିଶା ସରକାରଙ୍କ ଗୃହ ବିଭାଗର ନିର୍ଦ୍ଦେଶ କ୍ରମେ ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ‘ରାଷ୍ଟ୍ରୀୟ ଏକତା ଦିବସ’ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଦେଶର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଏକ ସ୍ୱତନ୍ତ୍ର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଯୋଗଦେଇ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି ଅବସରରେ ଉଦ୍ବୋଧନ ଦେଇ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଦମ୍ୟ ସାହସ, ଦୂରଦର୍ଶିତା ଏବଂ ଦୃଢ଼ ନେତୃତ୍ୱ ଯୋଗୁଁ ହିଁ ଦେଶର ଏକୀକରଣ ଏବଂ ଅଖଣ୍ଡତା ସମ୍ଭବ ହୋଇପାରିଥିଲା। ଆଜିର ଏହି ଦିବସ କେବଳ ଏକ ଜୟନ୍ତୀ ନୁହେଁ, ବରଂ ଦେଶର ସଂହତି ଏବଂ ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃପ୍ରକାଶ କରିବାର ଏକ ମହାନ ଅବସର। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜାତୀୟ ଐକ୍ୟର ବାର୍ତ୍ତାକୁ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।ଜିଲ୍ଲାପାଳଙ୍କ ବାର୍ତ୍ତା ପରେ ଏକତା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଶ୍ରୀ ପରିଡ଼ାଙ୍କ ସମେତ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ରାଷ୍ଟ୍ରର ଏକତା, ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାୟ ରଖିବା ପାଇଁ ଦୃଢ଼ ସଂକଳ୍ପ ନେଇ ସତ୍ୟନିଷ୍ଠାର ସହିତ ଶପଥ ପାଠ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସୁଶାନ୍ତ କୁମାର ପତି, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଭିଷେକ ବେହେରାଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande