
କନ୍ଧମାଳ, ୩୧ ଅକ୍ଟୋବର(ହି.ସ.) – ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର(ଏସ୍ଆର୍ସିି)ଙ୍କ ସୂଚନା ଅନୁଯାୟୀ, ବର୍ତମାନ ୧୨ ଜଣ ନିଖୋଜ ଥିବା ଜଣାପଡ଼ିଛି। କନ୍ଧମାଳ ଜିଲ୍ଲାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜିଲ୍ଲାପାଳ ନିଜେ ସମ୍ପୂର୍ଣ୍ଣ ଭାବେ ତଦାରଖ କରୁଛନ୍ତି। ଘଟଣା ଘଟିଥିବା କନ୍ଧମାଳ ଜିଲ୍ଲାର ଗିଡିପାବାଲି ଗାଁରେ ଗତ ୨୯ ତାରିଖ ରାତିରେ ଉଦ୍ଧାର କାର୍ଯ୍ୟ କରାଯାଇଥିବାବେଳେ, ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୧୧ ଜଣ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ୨ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଇନ୍ଦ୍ରଗଡ଼ ସାଇଟ୍ରେ ରାସ୍ତା ନିର୍ମାଣ/ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରେ ଆବଶ୍ୟକ ଔଷଧ ମଧ୍ୟ ଯୋଗାଇ ଦିଆଯାଇଛି। ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଆଜି କିମ୍ବା ଆସନ୍ତାକାଲି ସୁଦ୍ଧା ଯେଉଁ ସ୍ଥାନଗୁଡ଼ିକରେ ପରିସ୍ଥିତି ସ୍ୱାଭାବିକ ହୋଇନାହିଁ, ସେଠାରେ ସ୍ଥିତି ସୁଧାରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ଏବଂ ଦାୟିତ୍ୱ ନିର୍ଦ୍ଧାରଣ କରାଯିବ।
ଉଦୟଗିରି ଅଂଚଳରେ ପୂର୍ବଦିନ ୨୭ ଜଣଙ୍କୁ ତହସିଲଦାରଙ୍କ ଉପସ୍ଥିତିରେ ଉଦ୍ଧାର କରାଯାଇଥିଲା। ସେଠାକୁ ରାସନ୍ ସାମଗ୍ରୀ ଓ ଔଷଧ ପହଂଚୁଥିବାରୁ ଯୋଗାଣ କ୍ଷେତ୍ରରେ ବିଶେଷ ଅସୁବିଧା ନଥିବା ଜଣାଯାଇଛି। ଗତକାଲିର ଉଦ୍ଧାର ଅଭିଯାନରେ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ। ବାଲିଗୁଡ଼ା ଅଂଚଳରେ ଉପଜିଲ୍ଲାପାଳ ସମ୍ପୂର୍ଣ୍ଣ ରାତି ଧରି ସ୍ଥିତି ଉପରେ ନଜର ରଖିଥିଲେ।
କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଉଛି। ପ୍ରଭାବିତ ଅଂଚଳରେ ଲୋକମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ରିଲିଫ୍, ଚିକିତ୍ସା ଓ ଅତ୍ୟାବଶ୍ୟକ ସେବା ଯୋଗାଣ କାର୍ଯ୍ୟକୁ ନିରନ୍ତର ତଦାରଖ କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ