
ଝାରସୁଗୁଡା, ୩୧ ଅକ୍ଟୋବର (ହି.ସ.)- ରାସ୍ତାରେ ଗାଡ଼ି ଚଳାଇବା ବେଳେ କେତେବେଳେ କେଉଁଠି ଦୁର୍ଘଟଣା ଘଟିବ, ତାହାର କୌଣସି ଠିକଣା ନାହିଁ। ରାସ୍ତା ଉପରେ ବଡ଼ ବଡ଼ ଖାଲ, ତା’ ସାଙ୍ଗକୁ ରାସ୍ତାକଡ଼ରେ ଅବ୍ୟବସ୍ଥିତ ଭାବେ ଗାଡ଼ି ପାର୍କିଂ। ଏଭଳି ବିପଦପୂର୍ଣ୍ଣ ସ୍ଥିତି ଦେଇ ପ୍ରତିଦିନ ଯାତାୟାତ କରୁଛନ୍ତି ହଜାର ହଜାର ଲୋକ। ଏହା କୌଣସି ସାଧାରଣ ରାସ୍ତାର ଚିତ୍ର ନୁହେଁ, ଜାତୀୟ ରାଜପଥ ନମ୍ବର ୪୯ର ବେଲପାହାଡ଼ ମହିମା ଛକର ବାସ୍ତବ ସ୍ଥିତି।
ଝାରସୁଗୁଡ଼ାରୁ କନକତୋରାକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥର ମହିମା ଛକ ଏବେ ସାଧାରଣ ଯାତ୍ରୀଙ୍କ ପାଇଁ ଭୟର କାରଣ ପାଲଟିଛି। ପ୍ରତିଦିନ ଏହି ରାସ୍ତା ଦେଇ ଅନେକ ଭାରୀଯାନ, ଚାରିଚକିଆ ଓ ଦୁଇଚକିଆ ଯାନ ଚଳାଚଳ କରୁଛି। ହେଲେ ରାସ୍ତାର ଅବସ୍ଥା ଏବଂ ଅବ୍ୟବସ୍ଥିତ ପାର୍କିଂ ଯୋଗୁଁ ଯାତ୍ରୀଙ୍କ ଯାତ୍ରା ଏବେ ସୁରକ୍ଷିତ ରହିନାହିଁ।
ବିଶେଷକରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଏହି ରାସ୍ତା ଅଧିକ ବିପଜ୍ଜନକ ହୋଇପଡ଼ିଛି। ରାସ୍ତାରେ ଥିବା ବଡ଼ ବଡ଼ ଖାଲ ଯୋଗୁଁ ଗାଡ଼ି ଚାଳକମାନେ ହଠାତ୍ ନିୟନ୍ତ୍ରଣ ହରାଇବାର ଆଶଙ୍କା ରହୁଛି। ଅନ୍ୟପଟେ ରାସ୍ତାର ଉଭୟ ପାର୍ଶ୍ୱରେ ମନଇଚ୍ଛା ଗାଡ଼ି ପାର୍କିଂ ହେଉଥିବାରୁ ଯାତାୟାତ ପାଇଁ ରାସ୍ତା ସଙ୍କୁଚିତ ହୋଇଯାଉଛି। ରାତି ହେଲେ ସମସ୍ୟା ଆହୁରି ଗମ୍ଭୀର ହେଉଛି। ଅନ୍ଧାରରେ ଖାଲଖମା ଠିକ୍ ଭାବେ ଦେଖାଯାଉନଥିବାରୁ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ୁଛି।
ସବୁଠାରୁ ଚିନ୍ତାର ବିଷୟ ହେଉଛି, ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକଙ୍କ ମନରେ ଏବେ ଦୁର୍ଘଟଣାର ଭୟ ଘର କରିଛି । ନିଜ କର୍ମସ୍ଥଳୀକୁ ଯାଉଥିବା ଶ୍ରମିକ, ଦୈନନ୍ଦିନ କାମରେ ବାହାରୁଥିବା ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଏହି ରାସ୍ତାରେ ଯାତ୍ରା କରିବା ଏକ ଆଶଙ୍କାପୂର୍ଣ୍ଣ ଅନୁଭୂତି ପାଲଟିଛି। କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ଏହାର ସମାଧାନ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।
ଜାତୀୟ ରାଜପଥ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ଏଭଳି ଅବ୍ୟବସ୍ଥା ଦୀର୍ଘଦିନ ଧରି ଲାଗି ରହିଥିବା ସତ୍ତ୍ୱେ ସ୍ଥାୟୀ ସମାଧାନ ନହେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ବିଭାଗର ନିଷ୍କ୍ରିୟତା ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଏବେ ବେଲପାହାଡ଼ବାସୀଙ୍କ ଗୋଟିଏ ଦାବି, ମହିମା ଛକର ରାସ୍ତା ଖାଲଖମାକୁ ତୁରନ୍ତ ମରାମତି କରାଯାଉ, ବେଆଇନ ପାର୍କିଂ ହଟାଯାଉ ଏବଂ ନିୟମିତ ଯାଞ୍ଚ ବ୍ୟବସ୍ଥା କରାଯାଉ। କାରଣ ଲୋକଙ୍କ ଜୀବନ ଅପେକ୍ଷା ଅଧିକ ମୂଲ୍ୟବାନ ଆଉ କିଛି ନୁହେଁ। ପ୍ରଶାସନ ତୁରନ୍ତ ଏହି ସମସ୍ୟାକୁ ଗୁରୁତ୍ୱ ଦେବ, ନା କୌଣସି ବଡ଼ ଅଘଟଣ ପରେ ହିଁ ଚେତିବ ? ଏହି ପ୍ରଶ୍ନ ଏବେ ପ୍ରତ୍ୟେକ ବେଲପାହାଡ଼ବାସୀଙ୍କ ମନରେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ