
ସମ୍ବଲପୁର, ୩୧, ଅକ୍ଟୋବର (ହି.ସ.) - ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ ହୋଇଯାଇଛି।ବିବିଧତା ମଧ୍ୟରେ ଏକତାର ଭାବନା କୁ ପ୍ରୋତ୍ସାହିତ କରିବା ଓ ଜାତୀୟ ଅଖଣ୍ଡତାକୁ ବଜାୟ ରଖିବା ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ ।ଏହି ପରିପ୍ରେକ୍ଷୀରେ ଆଜି ସମ୍ବଲପୁରରେ ଏକ ଜିଲ୍ଲାସ୍ତରୀୟ ୟୁନିଟି ରାଲି ସହିତ ଜିଲ୍ଲାପାଳଙ୍କ କାର?୍ୟ୍ୟାଳୟରେ ସମୂହ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି।ଏହି ୟୁନିଟି ରାଲି ରିଜର୍ଭ ପୁଲିସ ପଡିଆ ଠାରୁ ନେଲସନ ମାଣ୍ଡେଲା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଯାହାକୁ ଉତରାଂଚଳ ଆଇଜି, ଚରଣ ସିଂ ମୀନା, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସମ୍ବଲପୁର ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ କ୍ଷତ୍ରି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲିରେ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଙ୍କ ସମେତ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ଜନସାଧାରଣ ଅଂଶ ଗ୍ରହଣ କରିଥିଲେ। ଜାତୀୟ ଏକତା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ୱୋଧନ ଦେଇ ଉତରାଂଚଳ ଆଇଜି ଶ୍ରୀ ମୀନା ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଥିଲେ ଯେ ବିବିଧତାରେ ପରିପୂର୍ଣ୍ଣ ଆମ ଦେଶର ସମସ୍ତ ରାଜ୍ୟକୁ ଏକତ୍ର କରି ଏକ ଅଖଣ୍ଡ ତଥା ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ କରିବାରେ ସର୍ଦ୍ଦାର ପଟେଲଙ୍କର ଅତୁଳନୀୟ ଅବଦାନ ରହିଛି, ଯାହା ବିଷୟରେ ପିଲାଦିନରୁ ଆମେ ସମସ୍ତେ ପଢ଼ି ଆସିଛୁ। ଆଜି ସମଗ୍ର ଦେଶ ତାଙ୍କ ଅମର କୃତି ଓ ନିରନ୍ତର ପ୍ରୟାସ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଆଦର୍ଶକୁ ଆଗକୁ ବଢ଼ାଇବା ପାଇଁ ସଙ୍କଳ୍ପବଦ୍ଧ ହେଉଛି ବୋଲି ସେ ପ୍ରକାଶ କରିଥିଲେ। ଏଥିସହ ସେ ଜଣାଇଥିଲେ ଯେ ଗୁଜରାଟର କେଭାଡ଼ିଆଠାରେ ଆୟୋଜିତ ହେଉଥିବା ବିଶାଳ ପରେଡ୍ରେ ଯୋଗଦେବା ଓ ଏକତାର ବାର୍ତା ଗ୍ରହଣ କରିବା ପାଇଁ ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୁବପିଢ଼ି ମଧ୍ୟ ସେଠାକୁ ଯାଇଛନ୍ତି। ଦେଶର ଏକତା ଓ ଅଖଣ୍ଡତାକୁ ଅକ୍ଷୁଣ୍ଣ ରଖିବା ପ୍ରତ୍ୟେକ ନାଗରିକଙ୍କ କର୍ତବ୍ୟ ବୋଲି ମନେପକାଇ ଦେଇ ଜିଲ୍ଲାପାଳ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ଏବଂ ଏହି ପବିତ୍ର ଅବସରରେ ଦେଶର ଏକତା ରକ୍ଷା ନିମନ୍ତେ ସମସ୍ତଙ୍କୁ ଏକତ୍ରିତ ଭାବେ ଶପଥ ପାଠ କରାଇଥିଲେ। ଜାତୀୟ ଏକତା ଦିବସ ଅବସରରେ ଆୟୋଜିତ ୟୁନିଟି' ରାଲିରେ ଉପସ୍ଥିତ ସମ୍ବଲପୁର ଏସ୍.ପି., ଏସ୍.ଏମ୍.ସି. କମିଶନର, ସମସ୍ତ ଅଧିକାରୀ ତଥା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇ ଜିଲ୍ଲାପାଳ ସମ୍ବଲପୁର କହିଛନ୍ତି ଯେ, ଆଜି ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଦେଶକୁ ଏକତା ବଜାୟ ରଖିବାର ବାର୍ତା ମିଳୁଛି; ସ୍ୱାଧୀନତା ପରବର୍ତୀ ସମୟରେ ଯେତେବେଳେ ଦେଶ ବିଭିନ୍ନ ରାଜ୍ୟ ତଥା ୫୦୦ରୁ ଊର୍ଦ୍ଧ୍ୱ ଦେଶୀୟ ସଂସ୍ଥାନରେ ବିଭାଜିତ ହୋଇ ରହିଥିଲା, ସେତେବେଳେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏହିସବୁ ରିୟାସତଗୁଡ଼ିକୁ ଏକାଠି କରିବା ସହ ଭିନ୍ନ ଭିନ୍ନ ଭାଷା, ଧର୍ମ ଏବଂ ଅଂଚଳରେ ଥିବା ବିବିଧତା ମଧ୍ୟରେ ସମଗ୍ର ଭାରତବର୍ଷକୁ ଏକ ସୂତ୍ରରେ ବାନ୍ଧି ଏକତ୍ରିତ କରିବାର ମହାନ କାର୍ଯ୍ୟ ସର୍ଦ୍ଦାର ପଟେଲ କରିଥିଲେ। ତେଣୁ ଆଜି ମଧ୍ୟ ଆମେ ସମସ୍ତେ ଭାରତୀୟ, ଓଡ଼ିଆ କିମ୍ବା ଯେକୌଣସି ପ୍ରାନ୍ତର ହେଉନା କାହିଁକି, ଆମ ମନରେ ଏହି ରାଷ୍ଟ୍ରଭାବ ଓ ଏକତାର ଭାବନାକୁ ସର୍ବଦା ଜାଗ୍ରତ ରଖିବା ନିତାନ୍ତ ଆବଶ୍ୟକ ଏବଂ ତାହାକୁ ଉଜ୍ଜୀବିତ ରଖିବା ତଥା ଉତ୍ସବ ଭାବେ ପାଳନ କରିବା ଉଦ୍ଦେଶ୍ୟରେ ଏହି ଏକତା ଦୌଡ଼ର ଆୟୋଜନ କରାଯାଇଛି ବୋଲି ପ୍ରକାଶ କରି ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଉଦ୍ଦେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ