
ବଲାଙ୍ଗୀର, ୩୧ ଅକ୍ଟୋବର(ହି.ସ.) – କଂଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡିଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ସହରରେ ତୀବ୍ର ସମାଲୋଚନା ସୃଷ୍ଟି ହୋଇଛି। ଦିନ ତମାମ ସହରରେ ବଡ଼ ବଡ଼ ବ୍ୟବସାୟୀ ରାସ୍ତା ଉପରେ ଗାଡ଼ି ରଖି ଟ୍ରାଫିକ ଜାମ କରୁଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ୍ୟ, କିନ୍ତୁ ରାତିରେ ଖାଲି ସ୍ଥାନରେ ଗାଡ଼ି ରଖିଥିବା ସାଧାରଣ ଯୁବକଙ୍କୁ ଫୋର୍ସ ଡାକି ଦୁର୍ବ୍ୟବହାର କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ବିଧାନ ଛକ ନିକଟରେ ଏସ୍ଡିପିଓଙ୍କ କାର୍ଯ୍ୟାଳୟ ସାମ୍ନା ରାସ୍ତା ରାତିରେ ଫାଙ୍କା ଥିବାବେଳେ ପାର୍କିଂ ବ୍ୟବସ୍ଥା ନଥିବାରୁ କିଛି ଯୁବକ ଗାଡ଼ି ରଖିଥିଲେ। ଏସ୍ଡିପିଓ ପୋଲିସ ଫୋର୍ସ ନେଇ ପହଂଚି ଗାଡ଼ି ହଟାଇବାକୁ ତାଗିଦ କଲେ। ଜଣେ ଯୁବକ ଯେତେବେଳେ ପ୍ରଶ୍ନ କଲେ- ଦିନରେ ବଡ ବ୍ୟବସାୟୀଙ୍କ ଗାଡ଼ି କେବେ ହଟିବ?' ସେତେବେଳେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହେଉଛି। ପ୍ରତି ପୋଲିସ ସମିତି ବୈଠକରେ ପାର୍କିଂ ସମସ୍ୟା ଉଠୁଛି, କିନ୍ତୁ ପରେ ସବୁ ପାଣିର ଗାର। ଲୋକଙ୍କ ପ୍ରଶ୍ନ- ଯଦି କାର୍ଯ୍ୟାନୁଷ୍ଠାନ କରିବାର ଅଛି, ତେବେ ସମସ୍ତଙ୍କ ପାଇଁ ସମାନ କାହିଁକି ନୁହେଁ। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ବଡ଼ ବ୍ୟବସାୟୀଙ୍କ ଠାରୁ ହାତଗୁଞ୍ଜା ନିଆଯାଉଥିବାରୁ ସେମାନଙ୍କ ବେଆଇନ ପାର୍କିଂ ଓ ଜୁଆ ଆଡ୍ଡା ଉପରେ କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେବଳ ଛୋଟ ଲୋକଙ୍କୁ ଧମକ ଦେଇ ବାହାଦୂରୀ ଦେଖାଯାଉଛି।
ଏହି ଦୁଇମୁହାଁ ନୀତିକୁ ନେଇ ଏସ୍ଡିପିଓଙ୍କ ଭୂମିକା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ବଲପୁର ଡିଆଇଜି ଓ ବଲାଙ୍ଗୀର ଏସ୍ପି ଏଥିପ୍ରତି ଦୃଷ୍ଟି ଦେଇ ନିରପେକ୍ଷ ତଦନ୍ତ କରିବାକୁ ଦାବି ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ