
କେନ୍ଦ୍ରାପଡ଼ା, ୩୧ ଅକ୍ଟୋବର (ହି.ସ.)- କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗତକାଲି ରାତିରୁ ନିଖୋଜ ଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଆଜି ସକାଳେ ଗଳାକଟା ଅବସ୍ଥାରେ ଉଦ୍ଧାର ହୋଇଛି ।
ସୂଚନାଯୋଗ୍ୟ ଯେ, ସ୍ଥାନୀୟ ଏକ ପରିତ୍ୟକ୍ତ ପୋଖରୀ କୂଳରେ ଛାତ୍ରୀଙ୍କ ଗଳାକଟା ମୃତଦେହ ଭାସମାନ ଅବସ୍ଥାରେ ଠାବ କରାଯାଇଛି । ତେବେ ଛାତ୍ରୀଙ୍କ ଘର ପଛପାଖରେ ପ୍ରବଳ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଛି, ଯାହା ଏହି ମୃତ୍ୟୁ ପଛରେ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିବା ନେଇ ସନ୍ଦେହକୁ ଆହୁରି ଦୃଢ଼ କରୁଛି । ଖବର ପାଇ ମାର୍ଶାଘାଇ ପୋଲିସ, ସାଇଂଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି । ଛାତ୍ରୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ଗଳାକାଟି ହତ୍ୟା କରାଯାଇଛି । ସେ ମାର୍ଶାଘାଇ କଲେଜରେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ ଥିଲେ । ଗତକାଲି ରାତିରୁ ଛାତ୍ରୀ ଜଣକ ନିଖୋଜ ଥିବା ବେଳେ ଶନିବାର ସକାଳେ ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ତାଙ୍କ ରକ୍ତାକ୍ତ ମୃତଦେହ ଗଳାକଟା ଅବସ୍ଥାରେ ଉଦ୍ଧାର ହୋଇଛି । ଘର ନିକଟରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ରକ୍ତର ଦାଗ ପଡିଥିବା ବେଳେ ପୋଲିସ ସେଠାରୁ ଏକ ଧାରୁଆ ଛୁରୀ ଜବତ କରିଛି । ଏହି ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତେଜନା ପ୍ରକାଶ ପାଇଛି । ଏକତରଫା ପ୍ରେମକୁ କେନ୍ଦ୍ର କରି କେହି ଏପରି ଘଟଣା ଘଟାଇଥାଇପାରେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କଲେଜ ଛାତ୍ରୀଙ୍କ ଏପରି ଦୁଃଖଦ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ