
ଲଖନପୁର ବ୍ଲକରେ ବ୍ୟାପକ ଫସଲ କ୍ଷତି ଆଶଙ୍କା, ପାଣିରେ ବୁଡ଼ିଛି କଟା ଧାନ ଓ ନଡ଼ା
ଋଣ ବୋଝରେ ଥିବା ଚାଷୀଙ୍କ ଚିନ୍ତା ବଢ଼ିଲା, କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦାବି
ଝାରସୁଗୁଡା, 31 ଅକ୍ଟୋବର (ହି.ସ.) : ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷସାରା କ୍ଷେତରେ ପରିଶ୍ରମ କରିଥିବା ଚାଷୀଙ୍କ ଆଶା ଉପରେ ପାଣି ଢାଳିଦେଇଛି ବାତ୍ୟା ଅର୍ଣ୍ଣବର ପ୍ରଭାବରେ ହୋଇଥିବା ଅଦିନିଆ ବର୍ଷା। ଧାନ ଅମଳର ଠିକ୍ ପୂର୍ବରୁ ଲଗାଣ ବର୍ଷା ଲଖନପୁର ବ୍ଲକର କୃଷି କ୍ଷେତ୍ରକୁ ବିପର୍ଯ୍ୟସ୍ତ କରିଦେଇଛି। ବିଭିନ୍ନ ପଞ୍ଚାୟତର ଧାନ ଜମିରେ ବର୍ଷାଜଳ ଜମି ରହିଥିବା ବେଳେ କଟା ଧାନ ଓ ନଡ଼ା ପାଣିରେ ବୁଡ଼ି ରହିଛି। ଅନ୍ୟପକ୍ଷରେ ଅମଳ ଅପେକ୍ଷାରେ ଥିବା ପାଚିଲା ଧାନ ଫସଲ ମଧ୍ୟ ବର୍ଷାରେ ପ୍ରଭାବିତ ହୋଇଛି। ଫଳରେ ଚାଷୀଙ୍କ ମଧ୍ୟରେ ଫସଲ ନଷ୍ଟ ଓ ଆର୍ଥିକ କ୍ଷତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ ପାଇଛି।
ଚଳିତ ଖରିଫ ଋତୁରେ ଭଲ ଧାନ ଅମଳ ଆଶାରେ ଲଖନପୁର ବ୍ଲକର ଚାଷୀମାନେ ଧାରକରଜ କରି ବିହନ, ସାର, କୀଟନାଶକ ଓ ଚାଷ କାର୍ଯ୍ୟରେ ବିପୁଳ ଅର୍ଥ ବିନିଯୋଗ କରିଥିଲେ। ଦିନରାତି ଏକ କରି କ୍ଷେତରେ ପରିଶ୍ରମ କରିବା ପରେ ଏବେ ଫସଲ ଅମଳ କରି ଘରକୁ ଆଣିବାର ସମୟ ଆସିଥିଲା। ହେଲେ ଅଦିନିଆ ବର୍ଷା ଚାଷୀଙ୍କ ସବୁ ଆଶା ଓ ଯୋଜନାକୁ ଧୂଳିସାତ୍ କରିଦେଇଛି।
ବିଭିନ୍ନ ଅଞ୍ଚଳରେ କଟା ଧାନ ବିଲରେ ପଡ଼ି ରହିଥିବା ବେଳେ ବର୍ଷାଜଳ ଜମି ରହିବାରୁ ଧାନ ଭିଜି ଯାଇଛି। ଅନେକ ସ୍ଥାନରେ ପାଚିଲା ଧାନ କାଟିବା ସମ୍ଭବ ହେଉନାହିଁ। ଏଥିଯୋଗୁଁ ଧାନ କାଟିବା, ଅମଳ କରିବା ଓ ସଂରକ୍ଷଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ସମୟ ଧରି ଧାନ ପାଣିରେ ଭିଜି ରହିଲେ ଧାନ ଗଜା ହେବା, ରଙ୍ଗ ଓ ଗୁଣବତ୍ତା ନଷ୍ଟ ହେବା ସହ ଉତ୍ପାଦିତ ଧାନର ବଜାର ମୂଲ୍ୟ ହ୍ରାସ ପାଇବାର ଆଶଙ୍କା ରହିଛି।
ଏହି ପରିସ୍ଥିତିରେ ସବୁଠାରୁ ଅଧିକ ଚିନ୍ତାରେ ପଡ଼ିଛନ୍ତି ଅଳ୍ପ ଜମି ଥିବା ଚାଷୀ ଓ ଋଣ କରି ଚାଷ କରିଥିବା ପରିବାର। ଫସଲ କ୍ଷତିଗ୍ରସ୍ତ ହେଲେ ବ୍ୟାଙ୍କ ଓ ସାହୁକାରଙ୍କ ଋଣ ପରିଶୋଧ କରିବା, ପରିବାର ପ୍ରତିପୋଷଣ, ପିଲାଙ୍କ ପାଠପଢ଼ା ଏବଂ ଆଗାମୀ ଚାଷ ପାଇଁ ପୁଞ୍ଜି ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିବ। ଗୋଟିଏ ପଟେ ଚାଷ ଖର୍ଚ୍ଚ ବୃଦ୍ଧି ଓ ଅନ୍ୟପଟେ ପ୍ରାକୃତିକ ବିପର୍ଯ୍ୟୟର ମାଡ଼ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି।
ଏଭଳି ସ୍ଥିତିରେ କେବଳ ଆଶ୍ୱାସନା ନୁହେଁ, ଚାଷୀଙ୍କୁ ତୁରନ୍ତ ବାସ୍ତବ ସହାୟତା ଯୋଗାଇଦେବା ଜରୁରୀ ହୋଇପଡ଼ିଛି। କୃଷି ବିଭାଗ ଓ ରାଜସ୍ୱ ବିଭାଗର ମିଳିତ ଟିମ୍ ଲଖନପୁର ବ୍ଲକର ସମସ୍ତ ପଞ୍ଚାୟତ ପରିଦର୍ଶନ କରି କ୍ଷତିଗ୍ରସ୍ତ ଜମିର ସଠିକ୍ ଆକଳନ କରିବା ସହ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରିବାକୁ ଚାଷୀମାନେ ଦାବି କରିଛନ୍ତି। ଏଥିସହ ସରକାରୀ ନିୟମ ଅନୁଯାୟୀ ଯୋଗ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଫସଲ କ୍ଷତିପୂରଣ, କୃଷି ଇନ୍ପୁଟ୍ ସହାୟତା ଓ ଆବଶ୍ୟକ ଆର୍ଥିକ ସହଯୋଗ ପ୍ରଦାନ କରିବାକୁ ଚାଷୀ ମହଲରୁ ଦୃଢ଼ ଦାବି ହୋଇଛି।
ଅମଳ ସମୟରେ ପ୍ରକୃତିର ଏହି ଦାଉରୁ ଚାଷୀଙ୍କୁ ରକ୍ଷା କରିବା ସହ ସେମାନଙ୍କ ବର୍ଷକର ପରିଶ୍ରମର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ଏବେ ପ୍ରଶାସନ ପାଇଁ ବଡ଼ ଆହ୍ୱାନ ପାଲଟିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ