
- କ୍ଷତିଗ୍ରସ୍ତ ବନ୍ୟା ସୁରକ୍ଷା ବନ୍ଧର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ବାତ୍ୟା ‘ଅର୍ଣ୍ଣବ’ ପରବର୍ତୀ ନଦୀ ଜଳସ୍ଥିତି ଏବଂ ବନ୍ୟା ସୁରକ୍ଷା ଭିତିଭୂମିର ଅନୁଧ୍ୟାନ ପାଇଁ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲ୍ଲୀପ କୁମାର ରାଉତ ଗଞ୍ଜାମ ଜିଲ୍ଲାର ପୁରୁଷୋତମପୁରସ୍ଥିତ ଋଷିକୁଲ୍ୟା ନଦୀର ଗେଜ୍ କେନ୍ଦ୍ର ପରିଦର୍ଶନ କରି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି।
ପରିଦର୍ଶନ ସମୟରେ ଋଷିକୁଲ୍ୟା ନଦୀର ଜଳସ୍ତର ୧୫.୮୩୫ ମିଟର ଆରଏଲ୍. ରେକର୍ଡ କରାଯାଇଥିଲା, ଯାହା ନିର୍ଦ୍ଧାରିତ ଚେତାବନୀ ସ୍ତରଠାରୁ ସାମାନ୍ୟ ନିମ୍ନରେ ରହିଥିଲା। ଏହାପରେ ଟିମ୍ ହନୁମାନପାଲି ନିକଟସ୍ଥ ହିରାଧରାବତୀ ଆନିକଟଠାରେ ଋଷିକୁଲ୍ୟା ବନ୍ୟା ସୁରକ୍ଷା ବନ୍ଧର ଧୋଇଯାଇଥିବା ଅଂଶ ଏବଂ ମୁଖ୍ୟ କେନାଲର ଆଦ୍ୟଭାଗ ପରିଦର୍ଶନ କରି ବାତ୍ୟାଜନିତ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ଏହା ସହ ହିରାଧରାଭାଟି ଆନିକଟ୍, ଜାନହିବିଲି ଆନିକଟ୍, ମୁଖ୍ୟ କେନାଲ ଏବଂ ପାନୀୟ ଜଳ ଉତୋଳନ କେନ୍ଦ୍ର ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ।
କ୍ଷେତ୍ର ପରିଦର୍ଶନ ସମୟରେ ପ୍ରମୁଖ ଶାସନ ସଚିବ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ବନ୍ୟା ସ୍ଥିତି ଓ ସ୍ଥାନୀୟ ଭିତିଭୂମିର କ୍ଷୟକ୍ଷତି ସମ୍ପର୍କରେ ସେମାନଙ୍କ ମତାମତ ଓ ସମସ୍ୟା ଶୁଣିଥିଲେ। ବନ୍ଧର ଭାଙ୍ଗିଯାଇଥିବା ଅଂଶର ସଠିକ୍ ଆକଳନ ଓ ଜିଓ-ଟ୍ୟାଗ୍ ଫଟୋଗ୍ରାଫ୍ ସହ ତଥ୍ୟଭିତିକ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ କ୍ଷତିଗ୍ରସ୍ତ ବନ୍ଧର ସମୟୋଚିତ ପୁନରୁଦ୍ଧାର ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ତ୍ୱରାନ୍ୱିତ କରିବା ସହ ଆବଶ୍ୟକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏହି କ୍ଷେତ୍ର ପରିଦର୍ଶନ ସମୟରେ ମୁଖ୍ୟ ଯନ୍ତ୍ରୀ, ଡ୍ରେନେଜ୍, ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କ୍ଷେତ୍ରସ୍ତରୀୟ ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି କ୍ଷେତ୍ରୀୟ ଅନୁଧ୍ୟାନ ଦ୍ୱାରା କ୍ଷୟକ୍ଷତିର ସଠିକ୍ ତଥ୍ୟ ସଂଗ୍ରହ ଓ ପ୍ରଭାବିତ ବନ୍ୟା ସୁରକ୍ଷା ଭିତିଭୂମିର ତ୍ୱରିତ ପୁନରୁଦ୍ଧାର ପାଇଁ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା