ଏକାମ୍ର କ୍ଷେତ୍ର, ପିପିଲି ଚାନ୍ଦୁଆ ହବ ଏବଂ ପୁରୀ ଅର୍ଣ୍ଣପୂର୍ଣ୍ଣା ଥିଏଟରର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ
ଏକାମ୍ର କ୍ଷେତ୍ରର ନିର୍ମାଣ ଜାନୁଆରୀ ସୁଦ୍ଧା ଶେଷ ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ଏକାମ୍ର କ୍ଷେତ୍ରର ସାମଗ୍ରିକ ବିକାଶ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଂଚଳରେ ଭିତିଭୂମି ବିକାଶ ସହ ପିପିଲି ଚାନ୍ଦୁଆ ହବ ନିର୍ମାଣ ଏବଂ ପୁରୀ ଅର୍ଣ୍ଣପୂର୍ଣ୍ଣା ଥି
ଏକାମ୍ର କ୍ଷେତ୍ର, ପିପିଲି ଚାନ୍ଦୁଆ ହବ ଏବଂ ପୁରୀ ଅର୍ଣ୍ଣପୂର୍ଣ୍ଣା ଥିଏଟରର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ


- ଏକାମ୍ର କ୍ଷେତ୍ରର ନିର୍ମାଣ ଜାନୁଆରୀ ସୁଦ୍ଧା ଶେଷ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ଏକାମ୍ର କ୍ଷେତ୍ରର ସାମଗ୍ରିକ ବିକାଶ ତଥା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖ ଅଂଚଳରେ ଭିତିଭୂମି ବିକାଶ ସହ ପିପିଲି ଚାନ୍ଦୁଆ ହବ ନିର୍ମାଣ ଏବଂ ପୁରୀ ଅର୍ଣ୍ଣପୂର୍ଣ୍ଣା ଥିଏଟରର ପୁନରୁଦ୍ଧାର ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆଇନ, ପୂର୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଶନିବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଏକାମ୍ର ପାର୍କିଂ, ପର୍ଯ୍ୟଟକ ସମ୍ମିଳନୀ କେନ୍ଦ୍ର, ଶୌଚାଳୟ ନିର୍ମାଣ, ଭଜନ ମଣ୍ଡପ ନିର୍ମାଣ ଏବଂ ଅନନ୍ତ ବାସୁଦେବ ପ୍ଲାଜାର ବିକାଶ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏଥିସହ ବିନ୍ଦୁ ସାଗରକୁ ପ୍ରଶସ୍ତ ପାଦଚଲା ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା ।

ଏକାମ୍ର କ୍ଷେତ୍ରକୁ ଏକ ସୁସଂଗଠିତ, ସ୍ୱଚ୍ଛ, ସୁନ୍ଦର ଓ ଆକର୍ଷଣୀୟ ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଦିଗରେ ସମସ୍ତ ପ୍ରସ୍ତାବିତ କାର୍ଯ୍ୟର ଯୋଜନାବଦ୍ଧ ଓ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଏକାମ୍ର କ୍ଷେତ୍ରର ଐତିହ୍ୟ, ପରମ୍ପରା ଓ ଧାର୍ମିକ ଗୁରୁତ୍ୱକୁ ଅକ୍ଷୁଣ୍ଣ ରଖି ଏହାର ସାମଗ୍ରିକ ଉନ୍ନତିକରଣ କରିବା ସହ ଶ୍ରଦ୍ଧାଳୁ, ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଇବା ସହ ଆବଶ୍ୟକ ସମସ୍ତ ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୭ ଜାନୁଆରୀ ସୁଦ୍ଧା ଶେଷ କରିବା ଉପରେ ବୈଠକରେ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ।

ପିପିଲି ଠାରେ ବହୁତଳ କୋଠା ନିର୍ମାଣ କରାଯାଇ ଚାନ୍ଦୁଆ ହବ ପ୍ରତିଷ୍ଠା ସହ ସେଠାରେ ଦୋକାନ ଗୃହ, ଫୁଡ ପ୍ଲାଜା, ଅଡିଓ ଭିଜୁଆଲ ହଲ, ଶୌଚାଳୟ ଆଦିର ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଥିଲା । ଏହି ଚାନ୍ଦୁଆ ହବର ନିର୍ମାଣ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଓବିସିସି ତଥା ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ।

ଏଥି ସହ ପୁରୀ ଅର୍ଣ୍ଣପୂର୍ଣ୍ଣା ଥିଏଟର ସହ ଓଡିଶାର ସଂସ୍କୃତିକ ଭାବାବେଗ ଜଡିତ ଥିବାରୁ ଏହାର ପୁନରୁଦ୍ଧାର ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ବୈଠକରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା, ବିଏମ୍ସି କମିଶନର ଚଞ୍ଚଳ ରଣା, ଓବିସିସି ସିଜିଏମ ଶ୍ରୀଧର ରାଉତଙ୍କ ସମେତ ଏଏସଆଇ କର୍ତୁପକ୍ଷ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande