
ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଅବସରରେ ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି।ଏହି ଅବସରରେ ଖୋର୍ଦ୍ଧାରୋଡ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଡି. ସୁନୀଲ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀମତୀ ଗରିମା ତିୱାରୀ, ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡାକ୍ତର ସବିତା ଶତପଥୀ, ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ଅମରେନ୍ଦ୍ରନାଥ ମିଶ୍ର, ସହକାରୀ ବାଣିଜ୍ୟ ପ୍ରବନ୍ଧକ କୁମାରୀ ଡିମ୍ପଲ କୌଶିକଙ୍କ ସମେତ ଅନ୍ୟାନ୍ୟ ରେଳ ଅଧିକାରୀ ଓ କର୍ମଚାରୀ, ରେଳ ସୁରକ୍ଷା ବଳର କର୍ମଚାରୀ, ସିଭିଲ୍ ଡିଫେନ୍ସ କର୍ମଚାରୀ ଏବଂ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସଦସ୍ୟମାନେ ଯୋଗ ଦେଇଥିଲେ।
ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଦୌଡ଼ ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାଇଥିଲା। ଜାତୀୟ ଏକତା, ସଂହତି ଓ ଭ୍ରାତୃତ୍ୱର ବାର୍ତା ପ୍ରସାର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରେଳ ଅଧିକାରୀ ଓ କର୍ମଚାରୀ, ରେଳ ସୁରକ୍ଷା ବଳର ଯବାନ, ସିଭିଲ୍ ଡିଫେନ୍ସ କର୍ମଚାରୀ ଏବଂ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ସଦସ୍ୟମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା