ବିକ୍ରମ ଦେବ ବିଶ୍ଵବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ
ଜୟପୁର, ୩୧ ଅକ୍ଟୋବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଏକ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସମାଜରୁ ଦୁର୍ନୀତି ଦୂର କରିବା, ସ୍ୱଚ୍ଛତା ଓ ସାଧୁତାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ତଥା ଏକ ଦୁର୍ନୀତିମୁକ୍ତ ସମାଜ ଗଠନ ଦ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ


ଜୟପୁର, ୩୧ ଅକ୍ଟୋବର (ହି.ସ.)- ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁର ପକ୍ଷରୁ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଏକ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସମାଜରୁ ଦୁର୍ନୀତି ଦୂର କରିବା, ସ୍ୱଚ୍ଛତା ଓ ସାଧୁତାର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ତଥା ଏକ ଦୁର୍ନୀତିମୁକ୍ତ ସମାଜ ଗଠନ ଦିଗରେ ଜନସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯାଇଥିଲା ଓ ଏକ ରାଲି ବିଶ୍ୱବିଦ୍ୟାଳୟରୁ ରାଜା ନଗର ଛକ ପର୍ଯ୍ୟନ୍ତ ଯାଇଥିଲା ଓ ସଭା ଗୃହରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି, କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ କୁମାର ପାତ୍ର, ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍ପି ଅନନ୍ତ ପ୍ରସାଦ ମଲ୍ଲିକ ଏବଂ ମୁଖ୍ୟ ବକ୍ତା ଭାବେ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ସରକାରୀ ଓକିଲ ଶଶୀଧର ପଟ୍ଟନାୟକ ଯୋଗଦେଇଥିଲେ।ପ୍ରାରମ୍ଭରେ ଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ସହିତ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। କୁଳସଚିବ ମହେଶ୍ୱର ଚନ୍ଦ୍ର ନାୟକ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଅନନ୍ତ ପ୍ରସାଦ ମଲ୍ଲିକ ନିଜ ବକ୍ତବ୍ୟରେ ଦୁର୍ନୀତି ନିରାକରଣରେ ଭିଜିଲାନ୍ସ ବିଭାଗର ଭୂମିକା ଏବଂ ସାଧାରଣ ଜନତାଙ୍କ ସହଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସରକାରୀ ଓ ସାର୍ବଜନୀନ କାର୍ଯ୍ୟରେ ସ୍ୱଚ୍ଛତା, ଦାୟିତ୍ୱବୋଧ ଓ ସଚ୍ଚୋଟତା ବଜାୟ ରଖିବା ଦ୍ୱାରା ଦୁର୍ନୀତିକୁ ରୋକାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।ମୁଖ୍ୟ ବକ୍ତା ଶଶୀଧର ପଟ୍ଟନାୟକ ଦୁର୍ନୀତି ସମ୍ପର୍କିତ ଆଇନଗତ ବ୍ୟବସ୍ଥା, ଦୁର୍ନୀତି ବିରୋଧରେ ନାଗରିକଙ୍କ ଦାୟିତ୍ୱ ଏବଂ ନୈତିକ ମୂଲ୍ୟବୋଧର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ଦୁର୍ନୀତି ବିରୋଧରେ ସମସ୍ତେ ସଚେତନ ହେବା ସହିତ ନିଜ ନିଜ କ୍ଷେତ୍ରରେ ସାଧୁତା ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ କୁମାର ପାତ୍ର ଦୁର୍ନୀତିମୁକ୍ତ ଶିକ୍ଷାନୁଷ୍ଠାନ ଗଠନରେ ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। କୁଳପତି ପ୍ରଫେସର ହୃଷୀକେଶ ସେନାପତି ନିଜ ବକ୍ତବ୍ୟରେ ଏକ ସୁସ୍ଥ, ନୈତିକ ଓ ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ନିଜ ଜୀବନରେ ସତ୍ୟନିଷ୍ଠା, ନୈତିକତା ଓ ଦାୟିତ୍ୱବୋଧକୁ ଆପଣାଇ ଦେଶର ଉନ୍ନତିରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କ୍ୟାପ୍ଟେନ୍ ଡକ୍ଟର ଲକ୍ଷ୍ମଣ ପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ ଅତିଥି, ବକ୍ତା, ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ ଗାନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ଏହି କାର୍ଯ୍ୟକ୍ରମ ଦୁର୍ନୀତି ବିରୋଧରେ ସାମୂହିକ ସଚେତନତା ବୃଦ୍ଧି କରିବା ସହ ସତ୍ୟନିଷ୍ଠା, ସ୍ୱଚ୍ଛତା ଓ ନୈତିକ ମୂଲ୍ୟବୋଧ ଆଧାରିତ ସମାଜ ଗଠନ ପାଇଁ ଏକ ଉତ୍ସାହଜନକ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande