
ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ଆଜି କଂଗ୍ରେସ ଓ ବାମ ଦଳ ଦ୍ୱାରା ହୋଇଥିବା ବନ୍ଦ ପାଳନ ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଛି । ସାରା ଓଡ଼ିଶାରେ ଜନଜୀବନ ସମ୍ପୂର୍ଣ୍ଣ ସ୍ୱଭାବିକ ଥିଲା । ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଏହି ବନ୍ଦ ପାଳନ ପ୍ରମାଣିତ କରୁଛି ଯେ, ଯେଉଁ ପ୍ରସଙ୍ଗରେ ସେମାନେ ରାସ୍ତାକୁ ଓହ୍ଲାଇ ଥିଲେ ତାହାକୁ ଲୋକମାନେ ସମର୍ଥନ କରିନାହାନ୍ତି । କିନ୍ତୁ ଯେଉଁଭଳି ଭାବେ କିଛିି ସ୍ଥାନରେ କଂଗେସ ଓ ବାମ ଦଳର ଗୁଣ୍ଡାମାନେ ଆତଙ୍କରାଜ କରି ସାଧାରଣ ଲୋକଙ୍କୁ ଭୟଭୀତ କରିଛନ୍ତି, ଏହାକୁ ଓଡ଼ିଶାର ଲୋକେ କେବେବି କ୍ଷମା ଦେବେନାହିଁ । ଗଣମାଧ୍ୟମରେ ପ୍ରକାଶିତ ବିଭିନ୍ନ ଭିଡିଓରୁ ଜଣାପଡ଼ୁଛି ଯେ, କେଉଁଭଳି ଭାବେ କିଏ ଡାକ୍ତରଖାନା ଯାଉଛି ତାକୁ କଂଗ୍ରେସ କର୍ମୀମାନେ ଅଟକାଇ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି, କିଏ ନିଜ ପିଲାଙ୍କୁ ସ୍କୁଲରେ ଛାଡ଼ିବାକୁ ଯାଉଛି ତାକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ଏପରିକି ଗର୍ଭବତୀ ମହିଳା ମଧ୍ୟ ଏହି କଂଗ୍ରେସ ଓ ଇଣ୍ଡି ଗଠବନ୍ଧନର ଅସଭ୍ୟ ନେତା ଓ କର୍ମୀମାନଙ୍କର ଅରାଜକତା ଆଚରଣରୁ ବର୍ତୀ ନାହନ୍ତି । ଶାନ୍ତିପୂର୍ଣ୍ଣ ଓଡ଼ିଶା ଲୋକ ଏହାର ଉଚିତ ଜବାବ୍ ଦେବେ ବୋଲି ଏକ ପ୍ରେସ୍ ବିବୃତିରେ ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ସମ୍ବିଧାନ ବଂଚାଇବା ନାରା ଦେଇ ରାସ୍ତାରେ ଆନ୍ଦୋଳନ କରୁଥିବା କଂଗ୍ରେସ ଦଳ ସ୍ପଷ୍ଟ କରିବା ଉଚିତ୍ ଯେ, ଏହିଭଳି ହିଂସାତ୍ମକ ଆଚରଣ ସମ୍ବିଧାନର କେଉଁ ଧାରାରେ ଉଲ୍ଲେଖ ରହିଛି? କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ବନାମ୍ ଭରତ କୁମାରଙ୍କ ମାମଲାରେ ସୁପ୍ରିମ କୋର୍ଟ ରାୟରେ କହିଥିଲେ ଯେ, କୌଣସି ରାଜନୈତିକ ଦଳ କାହାକୁ ଜୋର୍ ଜବରଦସ୍ତି କରି ବନ୍ଦ ପାଳନ କରିପାରିବେ ନାହିଁ । ଯଦି ବିରୋଧି ଦଳମାନଙ୍କର ସମ୍ବିଧାନ ପ୍ରତି ସମ୍ମାନ ଥାନ୍ତା ତାହାଲେ ଆଜି ସେମାନେ ସୁପ୍ରିମକୋର୍ଟଙ୍କ ରାୟର ବିରୋଧାଚରଣ କରି ନ ଥାନ୍ତେ । ଆଜି ବିରୋଧି ଦଳମାନଙ୍କର ଅରାଜକତାର ଭିଡିଓ ସବୁଦିନ ପାଇଁ ଓଡ଼ିଶା ଲୋକମାନଙ୍କ ଆଗରେ ସେମାନଙ୍କ ହିଂସାତ୍ମକ ଆଚରଣର ପ୍ରମାଣ ହୋଇ ରହିଥିବ ।
ଓଡ଼ିଶାରେ ୦.୧୪% ଭୋଟ ପାଉଥିବା ବାମ ଦଳ କହୁଛି ଯେ, ସେମାନଙ୍କ ଭୋଟ ଚୋରି ହୋଇଗଲା ବୋଲି । ୧୯୯୫ ମସିହା ନିର୍ବାଚନ ପରଠାରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରତ୍ୟାଖ୍ୟାତ ହୋଇ ଆସିଥିବା ତଥା ନିର୍ବାଚନରୁ ନିର୍ବାଚନ ଭୋଟ ପ୍ରତିଶତ ହରାଉଥିôବା କଂଗ୍ରେସ ଦଳ କହୁଛି ଯେ ଏସ୍ଆଇଆର୍ ପାଇଁ ସେମାନେ ନିର୍ବାଚନ ହାରିଯାଉଛନ୍ତି । ବାସ୍ତବରେ ଯେଉଁମାନେ ଭୋଟ ଚୋରିର ନାରା ଦେଉଛନ୍ତି ସେମାନେ ଜାଣିବା ଆବଶ୍ୟକ ଯେ ଲୋକମାନେ ଆଉ ଚୋରଙ୍କୁ ଭୋଟ ଦେଉନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା