
ବଲାଙ୍ଗୀର, ୦୮ ଅକ୍ଟୋବର(ହି.ସ.) – ନଳକୂପଟି ଅଚଳ ଅବସ୍ଥାରେ ରହିଛି। ହେଲେ ବିଭାଗୀୟ କାଗଜପତ୍ରରେ ତାକୁ ମରାମତି କରାଯାଇ ସଚଳ ରହିଥିବା ଦର୍ଶାଯାଇଛି। ଗାଁ ଲୋକେ ଯେତେ ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣିବାକୁ ନାରାଜ। କୌଣସି କର୍ମଚାରୀ ଗ୍ରାମକୁ ଆସି ନ ଥିବା ବେଳେ ଅଦ୍ୟାବଧି ନଳକୂପଟି ଅଚଳ ଅବସ୍ଥାରେ ରହିଛି। ଆଉ ଅଚଳ ନଳକୂପକୁ ମରାମତି କରାଯାଇଥିବା ଦର୍ଶାଇ ସେ ବାବଦରେ ଅର୍ଥ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଲୋଇସିଂହା ବ୍ଲକ ଉପରବାହାଲ ଗ୍ରାମ ପଂଚାୟତର ଉଛବପାଲି ଗ୍ରାମରୁ। ଗ୍ରାମର ମିର୍ଦ୍ଧାପଡ଼ାରେ ଗତ ୧୫ ଦିନ ହେବ ନଳକୂପଟି ଅଚଳ ଅବସ୍ଥାରେ ରହିଛି। ସ୍ଥାନୀୟ ଲୋକେ ଏ ନେଇ ଅଭିଯୋଗ କରିବା ପରେ ମଧ୍ୟ ନଳକୂପକୁ ମରାମତି କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଗତ ଦୁଇଦିନ ଗାଁ ଲୋକେ ଯେତେବେଳେ ଅଚଳ ନଳକୂପର ମରାମତି ସକାଶେ ପାନୀୟ ଜଳ ଓ ପରିମଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ନଳକୂପଟି ମରାମତି ହୋଇସାରିଥିବା ନେଇ ଆଶ୍ଚର୍ଯ୍ୟଜନକ ଉତର ମିଳିଥିଲା। ଗାଁ ଲୋକେ ମଧ୍ୟ ଏକଥା ଶୁଣି ତାଜୁବ। ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଗାଁକୁ କୌଣସି କର୍ମଚାରୀ ଆସି ନ ଥିବାବେଳେ ନଳକୂପଟି କିଭଳି ଓ କେବେ ମରାମତି କରାଗଲା, ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ କରାଯିବା ସକାଶେ ଗ୍ରାମବାସୀ ଦାବି କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ