
ଝାରସୁଗୁଡ଼ା, ୮ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଶିକ୍ଷକ ଓ କର୍ମଚାରୀଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ବେଆଇନ ଅର୍ଥ ଦାବି କରାଯାଉଥିବା ନେଇ ଅଭିଯୋଗ ଉଠିଛି। ପୂଜା ଅଗ୍ରିମ, ବାର୍ଷିକ ଇନ୍କ୍ରିମେଣ୍ଟ ଓ ପ୍ରମୋସନ ଭଳି ସରକାରୀ କାର୍ଯ୍ୟ ପାଇଁ ଟଙ୍କା ଦାବି କରାଯାଉଥିବା କିଛି ଶିକ୍ଷକ ଅଭିଯୋଗ କରିଥିବା ବେଳେ ଏହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଅଭିଯୋଗ ଅନୁଯାୟୀ, ଆଗାମୀ ଦୁର୍ଗାପୂଜା ପାଇଁ ସରକାରଙ୍କ ପକ୍ଷରୁ ମିଳୁଥିବା ସୁଧମୁକ୍ତ ପୂଜା ଅଗ୍ରିମ ବା ଫେଷ୍ଟିଭାଲ ଆଡଭାନ୍ସ ପାଇଁ ଆବେଦନ କରୁଥିବା ଶିକ୍ଷକଙ୍କ ଠାରୁ ୫୦୦ରୁ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଛି। ଟଙ୍କା ନଦେଲେ ଆବେଦନ ଗ୍ରହଣ ନକରିବା କିମ୍ବା କାର୍ଯ୍ୟରେ ବିଳମ୍ବ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି କାରବାରରେ କିଛି କର୍ମଚାରୀଙ୍କ ସହ କେତେକ ମଧ୍ୟସ୍ଥ ଓ ଶିକ୍ଷକ ସାମିଲ ଥିବା ଅଭିଯୋଗକାରୀମାନେ କହିଛନ୍ତି।
ସେହିପରି ଶିକ୍ଷକମାନଙ୍କ ବାର୍ଷିକ ଇନ୍କ୍ରିମେଣ୍ଟ ମଞ୍ଜୁର, ପ୍ରମୋସନ ଓ ଅନ୍ୟାନ୍ୟ କାର୍ଯ୍ୟାଳୟୀନ କାମ ପାଇଁ ୩୦୦ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଥିବା ଅଭିଯୋଗ ରହିଛି। ଫଳରେ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଶିକ୍ଷକମାନଙ୍କୁ ଅଯଥା ହଇରାଣ ହେବାକୁ ପଡ଼ୁଥିବା ଅଭିଯୋଗକାରୀମାନେ ପ୍ରକାଶ କରିଛନ୍ତି। ତେବେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲଇକେରା ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ) ହିମାଂଶୁ ବାଗ। ତାଙ୍କ କହିବାନୁଯାୟୀ, ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ବର୍ତ୍ତମାନ ସୁଦ୍ଧା କାର୍ଯ୍ୟାଳୟ ପକ୍ଷରୁ କୌଣସି ଶିକ୍ଷକଙ୍କୁ ପୂଜା ଅଗ୍ରିମ ପ୍ରଦାନ କରାଯାଇନାହିଁ। କାର୍ଯ୍ୟାଳୟର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଲାଞ୍ଚ କାରବାରରେ ଜଡ଼ିତ ନାହାନ୍ତି ଏବଂ କୌଣସି ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ହଇରାଣ କରାଯାଉନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଅନ୍ୟପକ୍ଷରେ, ଅଭିଯୋଗ କରିଥିବା କିଛି ଶିକ୍ଷକ ନିଜ ନାମ ପ୍ରକାଶ ନକରିବାକୁ ଅନୁରୋଧ କରିଛନ୍ତି। ଅଭିଯୋଗର ସତ୍ୟାସତ୍ୟ ସ୍ପଷ୍ଟ କରିବା ପାଇଁ ଏହାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଯଦି କେହି ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶିକ୍ଷକ ମହଲରେ ଦାବି ହୋଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ