ବ୍ରଜରାଜନଗରରେ ୨.୩ କେଜି ଗଞ୍ଜେଇ ଓ ୧୦ ଗ୍ରାମ ସନ୍ଦିଗ୍ଧ ବ୍ରାଉନସୁଗର ଜବତ, ୨ ଗିରଫ
Brownsugar-seized-2arrest-JHS
ବ୍ରଜରାଜନଗରରେ ୨.୩ କେଜି ଗଞ୍ଜେଇ ଓ ୧୦ ଗ୍ରାମ ସନ୍ଦିଗ୍ଧ


ଝାରସୁଗୁଡ଼ା, ୮ ଅକ୍ଟୋବର (ହି.ସ.)- ‘ଅପରେସନ ନେତ୍ର’ ଅଭିଯାନ ଅଧୀନରେ ବ୍ରଜରାଜନଗର ପୁଲିସ ନିଶାଦ୍ରବ୍ୟ ଚାଲାଣ ବିରୋଧରେ ବଡ଼ ସଫଳତା ହାସଲ କରିଛି। ଗୁରୁବାର ପୁଲିସ ୨ କେଜି ୩୦୦ ଗ୍ରାମ ଗଞ୍ଜେଇ ଓ ୧୦ ଗ୍ରାମ ସନ୍ଦିଗ୍ଧ ବ୍ରାଉନସୁଗର/ହେରୋଇନ୍ ଜବତ କରିବା ସହ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ଏକ ଇଲେକ୍ଟ୍ରିକ୍ ସ୍କୁଟର, ଦୁଇଟି ମୋବାଇଲ୍ ଫୋନ୍ ଓ ନଗଦ ୮୨୦ ଟଙ୍କା ଜବତ ହୋଇଛି।

ପୁଲିସ ସୂଚନାନୁସାରେ, ଗାନ୍ଧୀଛକ ଫାଣ୍ଡି ଇନ୍ଚାର୍ଜ ଏସଆଇ ମଦନ ମୋହନ ନାଏକଙ୍କ ନେତୃତ୍ୱରେ ପୁଲିସ ଟିମ୍ କୁ ଦୁଇ ଜଣ ବ୍ୟକ୍ତି ସ୍କୁଟରରେ ନିଶାଦ୍ରବ୍ୟ ଚାଲାଣ କରୁଥିବା ନେଇ ବିଶ୍ୱସନୀୟ ସୂଚନା ମିଳିଥିଲା। ଏହାପରେ ଟିମ୍ ଖଲିଆକାନି କଲଭର୍ଟ ନିକଟରେ ସ୍କୁଟରକୁ ଅଟକାଇ ଯାଞ୍ଚ କରିଥିଲା। ଚାଳକ ଓ ପଛରେ ବସିଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିବା ଏକ ପ୍ଲାଷ୍ଟିକ୍ ବସ୍ତାରୁ ନିଶାଦ୍ରବ୍ୟ ମିଳିଥିଲା। ଏନ୍ଡିପିଏସ୍ ଆଇନ ଅନୁଯାୟୀ ଆବଶ୍ୟକ ପ୍ରକ୍ରିୟା ପାଳନ କରି ପୁଲିସ ଏହାକୁ ଜବତ କରିଥିଲା।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଓରିଏଣ୍ଟ ଥାନା ଅଧୀନ ମାଣ୍ଡଲିଆ ଏଲ୍ସିଏଚ୍ ର ମୃଣାଳ କାନ୍ତି ଭୋଇ ଓରଫ ବାଚୁ (୪୨) ଏବଂ ବ୍ରଜରାଜନଗର ଥାନା ଅଧୀନ ନୂଆଡିହିର ପଞ୍ଚାନନ୍ଦ ପାଣ୍ଡେ ଓରଫ ମଣିରାମ (୬୩)। ମୃଣାଳଙ୍କ ଠାରୁ ୩୫୦ ଟଙ୍କା ଏବଂ ପଞ୍ଚାନନ୍ଦଙ୍କ ଠାରୁ ୪୭୦ ଟଙ୍କା ଜବତ ହୋଇଛି। ପୁଲିସ ଜବତ କରିଥିବା ଅନ୍ୟ ସାମଗ୍ରୀ ମଧ୍ୟରେ କଳା-ହଳଦିଆ ରଙ୍ଗର ଟିଭିଏସ୍ ଇଲେକ୍ଟ୍ରିକ୍ ସ୍କୁଟର ନମ୍ବର ଓଡି୨୩କ୍ୟୁ-୧୨୩୦, ଗୋଟିଏ ନୀଳ ପୋକୋ ମୋବାଇଲ୍ ଓ ଗୋଟିଏ ଓପୋ ମୋବାଇଲ୍ ରହିଛି। ଏହି ଘଟଣାକୁ ନେଇ ବ୍ରଜରାଜନଗର ଥାନାରେ କେସ୍ ନମ୍ବର ୨୩୧, ତାରିଖ ୦୮.୧୦.୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(୨)(ବି)/୨୧(ବି)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି।

ପୁଲିସ ରେକର୍ଡ ଅନୁସାରେ, ମୃଣାଳ କାନ୍ତି ଭୋଇଙ୍କ ବିରୋଧରେ ଓରିଏଣ୍ଟ ଥାନାରେ ପୂର୍ବରୁ ୪ଟି ମାମଲା ରହିଛି। ସେଥିମଧ୍ୟରୁ ୨୦୧୫ ଓ ୨୦୧୬ରେ ଅବକାରୀ ଆଇନ ସମ୍ପର୍କିତ ମାମଲା ଏବଂ ୨୦୨୬ରେ ଏନ୍ଡିପିଏସ୍ ଆଇନ ଅଧୀନରେ ଦୁଇଟି ମାମଲା ରହିଛି। ଅନ୍ୟପକ୍ଷରେ, ପଞ୍ଚାନନ୍ଦ ପାଣ୍ଡେଙ୍କ ବିରୋଧରେ ପୂର୍ବରୁ କୌଣସି ଅପରାଧିକ ତଥ୍ୟ ମିଳିନଥିବା ପୁଲିସ ପକ୍ଷରୁ କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande