


ବଲାଙ୍ଗିର, ୮ ଅକ୍ଟୋବର (ହି.ସ.)- ବଲାଙ୍ଗିର ଜିଲ୍ଲା କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ ଆଜି ବଲାଙ୍ଗିର ସହରରେ ଜନଜୀବନ ପ୍ରଭାବିତ ହୋଇଛି। ଏମ ଏମ ଡି ଆର ସଂଶୋଧିତ ଅଧିନିୟମ ରଦ୍ଦ କରିବା, ସିଇ ସି ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫଦାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ଏବଂ ବନ୍ୟା ବିପନ୍ନଙ୍କ ପ୍ରତି ସରକାରୀ ଉଦାସୀନତା ଆଦି ପ୍ରମୁଖ ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି।
ଆଜି ସକାଳେ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ମାନଙ୍କ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଵିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦଳ ପକ୍ଷରୁ ପିକେଟିଂ କରାଯାଇଥିଲା। ଏଥିରେ କଂଗ୍ରେସର ସ୍ଥାନୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ସମେତ ସହରର ବହୁ ସାମାଜିକ ଓ ରାଜନୈତିକ ଅନୁଷ୍ଠାନମାନେ ସାମିଲ ହୋଇ ବନ୍ଦକୁ ସମର୍ଥନ ଜଣାଇଥିଲେ । ରାଜ୍ୟର ଆର୍ଥିକ ଅଧିକାରକୁ ଫେରାଇ ଆଣିବା ପାଇଁ ଏକ ସାମୂହିକ ପ୍ରତିବାଦ ଆବଶ୍ୟକ। ରାଜ୍ୟ ଏକ ସଙ୍କଟଜନକ ସ୍ଥିତିରେ ରହିଛି। ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତିକୁ ଅଟକା ନଗଲେ ରାଜ୍ୟ ବ୍ୟାପକ ଆର୍ଥିକ କ୍ଷତି ସହିବ ଯାହା ଆମ ଅର୍ଥନୀତିକୁ ପଙ୍ଗୁ କରିଦେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ତେଣୁ ଓଡ଼ିଶାର ଅସ୍ମିତାକୁ ବଞ୍ଚାଇବା ପାଇଁ ସମାଜର ସବୁ ବର୍ଗର ଲୋକେ, ଛାତ୍ର ଶକ୍ତି ଓ ଯୁବ ଶକ୍ତି ଏହି ବନ୍ଦରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଆଜି ବଲାଙ୍ଗୀର ସହରର ସମସ୍ତ ଦୋକାନ ବଜାର, ଅଫିସ, ବ୍ୟାଙ୍କ, ପୋଷ୍ଟ ଅଫିସ, ବୀମା ଶିଳ୍ପ, ପେଟ୍ରୋଲ ପମ୍ପ ସମେତ ବସ ଚଳାଚଳ ଆଦି ବନ୍ଦ ରହିଥିଲା । କିଛି ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଚାଲିଥିବା ପରୀକ୍ଷାକୁ ଦୃଷ୍ଟିରେ ରଖି ସେହି ସ୍କୁଲ ଗୁଡିକୁ ବନ୍ଦ ରୁ ବାଦ୍ ଦିଆଯାଇଥିଲା।
ଆଜିର ଏହି ବନ୍ଦ ରେ ବରିଷ୍ଠ କଂଗ୍ରେସ ନେତା ଆନୀଲ ମେହେର, ଓମ ପ୍ରକାଶ କୁମ୍ଭାର, ସୀତାରାମ କୁମ୍ଭାର, ଜାତୀଶ ମୁଗ୍ରୀ, ସରୋଜ ମେସ୍ବା, ଷ୍ଟେଟ ଲିଗାଲ ସେଲ ସଭ୍ୟ ଅମରେନ୍ଦ୍ର ମିଶ୍ର, ସାନନ୍ଦ ମିଶ୍ର, ଉମାକାନ୍ତ ସାହୁ, ବଲାଙ୍ଗୀର ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ସନ୍ତକ ବହିଦାର, ମାନୀଶ ମିଶ୍ର ପ୍ରମୁଖ ଉଦବୋଧନ ଦେଇ ଦାବି ଗୁଡିକ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଭୟାବହ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ