
ଚମ୍ପୁଆ, ୦୮ ଅକ୍ଟୋବର (ହି.ସ.) - ଖଣିଜ ସମ୍ପଦର ସୁରକ୍ଷା ଓ ଜନସ୍ୱାର୍ଥ ରକ୍ଷା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଜି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡରେ ଇଣ୍ଡି ମେଂଟ ପକ୍ଷରୁ ବନ୍ଦ ପାଳନ କରାଯାଇଛି। କଂଗ୍ରେସ ଓ କମ୍ୟୁନିଷ୍ଟ (ସିପିଆଇ) ଦଳର ଶତାଧିକ କର୍ମୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ବ୍ୟାପକ କରିଥିବା ବେଳେ ସହରରେ ଏହାର ମିଶ୍ରିତ ବା ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ୟର ପ୍ରାକୃତିକ ସମ୍ପଦ ଉପରେ ସ୍ଥାନୀୟ ଲୋକଙ୍କ ଅଧିକାର ଓ ସ୍ୱାର୍ଥ ସୁନିଶ୍ଚିତ ହେବା ଆବଶ୍ୟକ। ବିଶେଷକରି ଏମଏମଡିଆର (ଖଣି ଓ ଖଣିଜ ପଦାର୍ଥ ବିକାଶ ଓ ନିୟନ୍ତ୍ରଣ) ସଂଶୋଧନ ଆଇନକୁ ନେଇ ଦଳ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାସହ ପାଠ୍ୟ ପୁସ୍ତକରେ ତୃଟି, ଭୋଟ ଚୋରୀ ଏବଂ ଏସଆଇଆର ପ୍ରସଙ୍ଗକୁ ନେଇ କର୍ମୀମାନେ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।
ଆନ୍ଦୋଳନ ଯୋଗୁଁ ଚମ୍ପୁଆ ଓ ଆଖପାଖ ଅଂଚଳରେ ବସ, ଟ୍ରକ ଓ ପ୍ରମୁଖ ଦୋକାନ ବଜାର ବନ୍ଦ ରହିଥିଲା। ତେବେ ଜନସାଧାରଣଙ୍କ ସୁବିଧା ପାଇଁ ଛୋଟ ବଡ଼ ସମସ୍ତ ଯାନବାହନ ଚଳାଚଳ ଜାରି ରହିଥିଲା। ଦିନ ବାର ଟା ପରେ ବନ୍ଦ ପ୍ରଭାବ ହ୍ରାସ ପାଇବା ସହ ସମସ୍ତ ଦୋକାନ ବଜାର ଖୋଲିଥିଲା ଏବଂ ସ୍ଥିତି ସ୍ୱାଭାବିକ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / Trinath Mahanta