
କେନ୍ଦୁଝର, ୦୮ ଅକ୍ଟୋବର (ହି.ସ.) - ବିଶିଷ୍ଟ ଅତିଥି ଏବଂ ମନ୍ତ୍ରଣାଳୟ ସମ୍ବନ୍ଧୀୟ ବ୍ୟକ୍ତିବିଶେଷଙ୍କ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଓ ସମୟ ଉପଲବ୍ଧ ନଥିବାରୁ ୯ ଓ ୧୦ ଅକ୍ଟୋବର ୨୦୨୬ରେ ହେବାକୁ ଥିବା କେନ୍ଦୁଝର ଫିଲ୍ମ ଫେଷ୍ଟିଭାଲ୍–୨୦୨୬ ର ତାରିଖ ପରିବର୍ତନ କରାଯାଇଛି। ଏବେ ଏହି ବହୁ ପ୍ରତୀକ୍ଷିତ ଐତିହାସିକ ଚଳଚ୍ଚିତ୍ର ମହୋତ୍ସବ ୩୦ ଓ ୩୧ ଅକ୍ଟୋବର ୨୦୨୬ରେ କେନ୍ଦୁଝର ଅଡିଟୋରିୟମ୍, କେନ୍ଦୁଝର, ଓଡ଼ିଶାରେ ଆୟୋଜିତ ହେବ। ନୂତନ ତାରିଖରେ ମହୋତ୍ସବର ସମସ୍ତ ପ୍ରମୁଖ କାର୍ଯ୍ୟକ୍ରମ ଆହୁରି ଗୌରବମୟ ଓ ସ୍ମରଣୀୟ ଭାବେ ଅନୁଷ୍ଠିତ ହେବ। ତାରିଖ ପରିବର୍ତନ ପାଇଁ ଆୟୋଜକମାନେ ସମସ୍ତ କଳାକାର, ଅତିଥି, ପ୍ରତିଯୋଗୀ, ଗଣମାଧ୍ୟମ ସହଯୋଗୀ ଓ ଦର୍ଶକଙ୍କ ନିକଟରେ ଦୁଃଖ ପ୍ରକାଶ କରିବା ସହ ନୂତନ ତାରିଖରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
ମହୋତ୍ସବରେ ଭାରତର ବିଭିନ୍ନ ଆଂଚଳିକ ଚଳଚ୍ଚିତ୍ର ଶିଳ୍ପରୁ ଆସିଥିବା କ୍ଷୁଦ୍ର ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ ସହ ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ଏଥିସହ ବିଭିନ୍ନ ରାଜ୍ୟ ଓ ଆଂଚଳିକ ସଂସ୍କୃତିକୁ ଆଧାର କରି ଫ୍ୟାଶନ୍ ଶୋ’, ନୃତ୍ୟ, ସଙ୍ଗୀତ, ହାସ୍ୟାଭିନୟ ସମେତ ବିଭିନ୍ନ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। କେନ୍ଦୁଝରର କଳା, ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ଚଳଚ୍ଚିତ୍ର ପ୍ରତିଭାକୁ ଜାତୀୟ ମଂଚରେ ପରିଚିତ କରାଇବା ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ। ଦେଶର ବିଭିନ୍ନ ଚଳଚ୍ଚିତ୍ର ଶିଳ୍ପ ଓ କଳାକ୍ଷେତ୍ରର ପ୍ରତିଭାମାନଙ୍କୁ ଏକ ମଂଚରେ ଏକତ୍ରିତ କରି କେନ୍ଦୁଝରକୁ ଜାତୀୟ ସ୍ତରରେ ଏକ ନୂତନ ସାଂସ୍କୃତିକ ପରିଚୟ ଦେବାର ପ୍ରୟାସ କରାଯାଉଛି।
ଏହି ଐତିହାସିକ ମହୋତ୍ସବର ଆୟୋଜନ ଜୁମ୍ୟାକ୍ସ ଷ୍ଟୁଡିଓ ଓ ନିରାକାନ୍ତ ଆର୍ଟସ୍ ଫାଉଣ୍ଡେସନ୍ ପକ୍ଷରୁ କରାଯାଉଛି। ଏହାର ସହଯୋଗରେ ବ୍ରୋଭାଂଟା ଇଣ୍ଡଷ୍ଟ୍ରି ପ୍ରାଇଭେଟ୍ ଲିମିଟେଡ୍ ଓ ଇନ୍ଦ୍ରଧନୁ ରହିଥିବାବେଳେ, କୁଲହଡ଼ ଟିଭି ପକ୍ଷରୁ ପ୍ରଚାର ଓ ପ୍ରସାରଣ ସହଯୋଗ ପ୍ରଦାନ କରାଯାଉଛି। ମହୋତ୍ସବର ନିର୍ଦ୍ଦେଶକ ଅବିନାଶ ରାଉତଙ୍କ ନେତୃତ୍ୱରେ କେନ୍ଦୁଝରର ମାଟିର କଳା, ସଂସ୍କୃତି, ପରମ୍ପରା ଓ ପ୍ରତିଭାକୁ ଜାତୀୟ ମଂଚରେ ପହଂଚାଇବା ସହିତ ଦେଶର ବିଭିନ୍ନ ପ୍ରାନ୍ତର କଳାକାର ଓ ଚଳଚ୍ଚିତ୍ର ପ୍ରତିଭାଙ୍କୁ କେନ୍ଦୁଝରରେ ଏକତ୍ରିତ କରିବାର ଏହି ଅଭିନବ ପ୍ରୟାସ ଆରମ୍ଭ ହୋଇଛି।
୩୦ ଓ ୩୧ ଅକ୍ଟୋବର ୨୦୨୬, କେନ୍ଦୁଝର ଅଡିଟୋରିୟମ୍, କେନ୍ଦୁଝର, ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ଏହି ଐତିହାସିକ ମହୋତ୍ସବରେ ସମସ୍ତ କଳାକାର, ଅତିଥି, ପ୍ରତିଯୋଗୀ, ଗଣମାଧ୍ୟମ ସହଯୋଗୀ ଓ ଦର୍ଶକଙ୍କୁ ଆୟୋଜକମାନଙ୍କ ପକ୍ଷରୁ ସାଦର ଆମନ୍ତ୍ରଣ କରାଯାଇଛି । କେନ୍ଦୁଝରର ମାଟିରେ ସିନେମା, କଳା ଓ ସଂସ୍କୃତିର ଏକ ନୂତନ ଅଧ୍ୟାୟ - ଆସନ୍ତୁ, ଏହି ଐତିହାସିକ ମୁହୂର୍ତର ସାକ୍ଷୀ ହେବା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA