
ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ଭାରତକୁ ଯକ୍ଷ୍ମାମୁକ୍ତ କରିବା ଦିଗରେ ଜନଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ସହ ଦେଶର ଯୁବଶକ୍ତିକୁ ଟିବି ନିରାକରଣ ଅଭିଯାନରେ ସକ୍ରିୟ ଭାବେ ସାମିଲ କରିବା ଉଦ୍ଦେଶ୍ୟରେ ଗୁରୁବାର ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଜୋଶ (ଜଏଂଟ ସ୍କ୍ୱାଡ୍ ଫର ହେଲ୍ଥ ) ର ଜାତୀୟ ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରସାଦ ନଡ୍ଡା, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟା,ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ସେଠ ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ରେଖା ଗୁପ୍ତାଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ , ସାଂସଦ ଏବଂ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଅଭାଷୀ ମାଧ୍ୟମରେ ଯୋଗଦାନ କରିଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ , ବିଭାଗୀୟ ନିର୍ଦ୍ଦେଶକ ଗଣ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିଲେ ।
ପ୍ରଥମ ପର୍ଯ୍ୟାୟରେ ୧୧ଟି ରାଜ୍ୟର ୫୫ଟି ଜିଲ୍ଲାରେ ଜୋଶ ଦଳର କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ଟିମ୍ଗୁଡ଼ିକ ମାଧ୍ୟମରେ ଯୁବପିଢ଼ିଙ୍କ ଶକ୍ତି, ଉତ୍ସାହ ଓ ସାମାଜିକ ସଂଯୋଗକୁ ଟିବି ନିରାକରଣ ଅଭିଯାନରେ ବ୍ୟବହାର କରାଯିବ। ଜୋଶ ଦଳରେ ବରିଷ୍ଠ ଅଧିକାରୀ, ମାଈ ଭାରତ ଭୋଳ୍ୟୁନ୍ଟର ଏବଂ ଏନସିସି କ୍ୟାଡେତଙ୍କୁ ସାମିଲ କରାଯିବ। ଏହି ଟିମ୍ଗୁଡ଼ିକ ବ୍ଲକ, ୱାର୍ଡସ୍ତରରେ କାର୍ଯ୍ୟ କରି ଟିବି ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବେ ।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଟିବି ନିରାକରଣ ଅଭିଯାନରେ ଜନଭାଗିଦାରୀକୁ ଏକ ପ୍ରମୁଖ ଆଧାର ଭାବେ ଗ୍ରହଣ କରାଯାଇଛି । ସ୍ଥାନୀୟ ନେତୃତ୍ୱ, ଯୁବପିଢ଼ି, ସ୍ୱାସ୍ଥ୍ୟକର୍ମୀ, ନିର୍ବାଚିତ ପ୍ରତିନିଧି ଓ ସାଧାରଣ ଜନତାଙ୍କ ସମିଳିତ ପ୍ରୟାସ ଦ୍ୱାରା ଟିବି ମୁକାବିଲାକୁ ଏକ ଜନଆନ୍ଦୋଳନର ରୂପ ଦିଆଯାଉଛି ।୨୦୨୬ରେ ୬୯୭ଟି ଜିଲ୍ଲାର ୬୭,୯୩୩ଟି ଗ୍ରାମ ପଂଚାୟତକୁ ଟିବି ମୁକ୍ତ ପଂଚାୟତ ଭାବେ ସ୍ୱୀକୃତି ମିଳିଥିବାବେଳେ, ଜୋଶ ଟିମ୍ ଏହି ସଫଳତାକୁ ଆହୁରି ଆଗକୁ ନେବା ସହ ତୃଣମୂଳସ୍ତରରେ ଯୁବପିଢ଼ିଙ୍କ ଭାଗିଦାରୀକୁ ବଢ଼ାଇବ।
ଏହି ଅବସରରେ ଟିବି ମୁକ୍ତ ଭାରତ ଅଭିଯାନରେ ଜନସଚେତନତା ଓ ସମୁଦାୟର ସଂପୃକ୍ତି ବଢ଼ାଇବା ପାଇଁ କୁତ୍ରିମ ବୁଦ୍ଧିମତା ଚାଟବଟ ଖୁସି ଅବତାରର ମଧ୍ୟ ଶୁଭାରମ୍ଭ କରାଯାଇଛି।
ସୂଚନା ଯୋଗ୍ୟ ଯେ , ଟିବି ମୁକ୍ତ ଅଭିଯାନରେ ଓଡ଼ିଶା ନିକ୍ଷୟ ପୋଷଣ ଅଭିଯାନ(୨୦୨୫ ଏବଂ ୨୦୨୬)ରେ ତୃତୀୟ ସ୍ଥାନ , ଟିବି କେୟାରରେ ଦ୍ୱିତୀୟ ସ୍ଥାନ,ପ୍ରତିଷେଧକ ଚିକିତ୍ସାରେ ତୃତୀୟ ସ୍ଥାନ, ନାଟ ଟେଷ୍ଟିଂ , ହାଇ ରିସ୍କ ଗାଁ , ପୋଷଣ କିଟ୍ , ଲକ୍ଷଣ ନଥିବା ଲୋକଙ୍କ ଏକ୍ସ ରେ ଆଦି ରେ ଭଲ ପ୍ରଦର୍ଶନ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା