

ବୌଦ୍ଧ, ୮ ଅକ୍ଟୋବର (ହି.ସ.)- ବୌଦ୍ଧ ଜିଲାରେ ଇଣ୍ଡଆ ବ୍ଲକ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା ଆଜି ଶାନ୍ତିପୂର୍ଣ ଭାବେ ସମ୍ପୂର୍ଣ ହୋଇଛି l ଫଳରେ ଦୋକାନ, ବଜାର, ଯାନବାହାନ, କାର୍ଯ୍ୟାଳୟ ସହ ସାଧାରଣ ଜନଜୀବନ ସବୁ ଠପ୍ ହୋଇଯାଇଥିଲା l କଂଗ୍ରେସ ନେତୃତ୍ୱାଧିନ ଇଣ୍ଡଆ ବ୍ଲକ ପକ୍ଷରୁ ଆଜି ସାରା ରାଜ୍ୟରେ ବନ୍ଦ ଡାକରା ଦିଆଯାଇଥିଲା । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେନ୍ଦ୍ର କୁମାରଙ୍କ ଇସ୍ତଫା, ଏମଏମଡିଆର ବିଲ୍ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦର ପ୍ରଭାବ ଆଜି ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଅବଦୁଲ କଲିମ ଖାଁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ଓ ନେତାମାନେ ବନ୍ଦରେ ସାମିଲ ହୋଇ ଆଜି ଜିଲ୍ଲାରେ ବନ୍ଦ ପାଳନ କରିଥିଲେ । ଫଳରେ ଆଜି ବୌଦ୍ଧ ସହରରେ ସମସ୍ତ ଦୋକାନ, ବଜାର ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ସେହିପରି ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । କଂଗ୍ରେସ ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ବୌଦ୍ଧ ସହରର ମହାନଦୀ ବ୍ରିଜ ଛକ ଠାରେ ଶହ ଶହ ଗାଡି ମୋଟର ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ବିଚାର ବିଭାଗ କାର୍ଯ୍ୟାଳୟ ଖୋଲା ରହିଥିଲା । ବନ୍ଦ ପାଳନ ଚାଲିଥିବା ବେଳେ ଏକ ଅପ୍ରିତିକର ପରିସ୍ଥିତି ଦେଖାଦେଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯକ୍ଷ୍ମା ଦୂରିକରଣ ପାଇଁ ଏକ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ କଂଗ୍ରେସ ନେତା ଓ କର୍ମୀ ଜାଣିପାରି ସେଠାରେ ପହଂଚି ଥିଲେ । କାର୍ଯ୍ୟକ୍ରମ ବନ୍ଦ କରିବାକୁ ଅନୁରୋଧ କରିଥିଲେ । ବିଧାୟକ କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହି ବାହାରକୁ ଆସୁଥିବା ବେଳେ କେତେକ କଥାକୁ ନେଇ ଆନ୍ଦୋଳନକାରୀଙ୍କ ସହିତ ବିଧାୟକଙ୍କ କଥା କଟାକଟି ହୋଇଥିବା ସୂଚନା ମିଳିଛି ।
ବନ୍ଦରେ କଂଗ୍ରେସର ଜିଲ୍ଲା ସଂପାଦକ ଦେବରାଜ ପଟ୍ଟନାୟକ, ନଗର ସଭାପତି ତପନ ରାଉତରାୟ, ଜିଲ୍ଲା ଛାତ୍ର ସଂଯୋଜକ ପ୍ରତ୍ୟୁଷ ମହାନନ୍ଦ, ପ୍ରଦିପ ମହାନନ୍ଦ ପ୍ରମୁଖ ବନ୍ଦ ଆନ୍ଦୋଳନରେ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସମ୍ପତ