
ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ଓଡ଼ିଶାର ସ୍ୱଚ୍ଛ ଶକ୍ତି ଅଭିଯାନ ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପୁଳ ସଫଳତା ସ୍ୱରୂପ ରାଜ୍ୟକୁ ୱିଣ୍ଡର୍ଜି ଇଣ୍ଡିଆ ୨୦୨୬' ସମ୍ମିଳନୀରେ ସମ୍ମାନଜନକ “ୱିଣ୍ଡ ଇଣ୍ଡିଆ ୨୦୨୬: ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ” ପୁରସ୍କାରରେ ସମ୍ମାନିତ କରାଯାଇଛି। ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡଃ ସତ୍ୟପ୍ରିୟ ରଥ,କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କଠାରୁ ବିଶିଷ୍ଟ ଶିଳ୍ପପତି ଓ ସରକାରୀ ପଦାଧିକାରୀଙ୍କ ଉପସ୍ଥିତିରେ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ୱିଣ୍ଡର୍ଜି ଇଣ୍ଡିଆ ୨୦୨୬ ଅବସରରେ ଓଡ଼ିଶାର ପବନ ଶକ୍ତିର ବିପୁଳ ସମ୍ଭାବନାକୁ ବିଶ୍ୱ ଓ ଦେଶର ନିବେଶକମାନଙ୍କ ଆଗରେ ଉପସ୍ଥାପନ କରିବା ପାଇଁ “ଓଡ଼ିଶା: ଇଣ୍ଡିଆଜ୍ ନେକ୍ସଟ୍ ୱିଣ୍ଡ ଡେଷ୍ଟିନେସନ୍” ଶୀର୍ଷକ ଏକ ସ୍ୱତନ୍ତ୍ର ରାଜ୍ୟ ଅଧିବେଶନ ଆୟୋଜିତ ହୋଇଥିଲା। ଏହି ଅଧିବେଶନରେ ଡଃ ସତ୍ୟପ୍ରିୟ ରଥ ଓଡ଼ିଶାର ପବନ ଶକ୍ତିର କ୍ଷମତା ଏବଂ ଏହାକୁ ସଫଳ ପ୍ରକଳ୍ପରେ ରୂପାନ୍ତରିତ କରିବା ପାଇଁ ଆବଶ୍ୟକ ନୀତିଗତ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ଭାବନାରୁ ପୁଞ୍ଜିନିବେଶ' ପ୍ରସଙ୍ଗ ଉପରେ ଆଧାରିତ ଏହି ଆଲୋଚନାରେ ପବନ ଶକ୍ତିର ଆକଳନ, ଜମି ଓ ସାଇଟ୍ ପ୍ରସ୍ତୁତି, ଗ୍ରୀଡ ସଂଯୋଗୀକରଣ, ଟରବାଇନ୍ ପରିବହନ ଏବଂ ସୁଦୃଢ଼ ନୀତିଗତ ସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବିଶେଷ ସମ୍ମାନ ଓ ଶିଳ୍ପପତିମାନଙ୍କର ଉତ୍ସାହଜନକ ଭାଗିଦାରୀ ଓଡ଼ିଶାକୁ ଦେଶର ଅନ୍ୟତମ ଅଗ୍ରଣୀ ଅକ୍ଷୟ ଶକ୍ତି ନିବେଶ ଗନ୍ତବ୍ୟସ୍ଥଳ ଭାବେ ପ୍ରତିଷ୍ଠିତ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା