ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ସମ୍ପୂର୍ଣ୍ଣ ସଫଳ- ସିପିଆଇ
ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ଇଣ୍ଡିଆ ବ୍ଲକ ଆହ୍ୱାନରେ ଆଜି ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଭାରତର କମ୍ୟୁନିଷ୍ଟ ପାର୍ଟି (ଏମଏଲ୍) ଲିବରେଶନ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଜାତୀୟତାବାଦୀ କଂଗ୍ରେସ (
cpi


ଭୁବନେଶ୍ୱର, ୦୮ ଅକ୍ଟୋବର (ହି.ସ.) - ଇଣ୍ଡିଆ ବ୍ଲକ ଆହ୍ୱାନରେ ଆଜି ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ଭାରତର କମ୍ୟୁନିଷ୍ଟ ପାର୍ଟି (ଏମଏଲ୍) ଲିବରେଶନ, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ, ସମାଜବାଦୀ ପାର୍ଟି, ଜାତୀୟତାବାଦୀ କଂଗ୍ରେସ (ଶରଦ ପାୱାର), ରାଷ୍ଟ୍ରୀୟ ଜନତା ଦଳ ଓ ଅନ୍ୟାନ୍ୟ ପାର୍ଟି ପକ୍ଷରୁ ଗୁରୁବାର ସକାଳରୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ବନ୍ଦ ପାଳିତ ହୋଇଯାଇଛି। ଏମଏମଡିଆର ସଂଶୋଧନ ଆଇନ ରଦ୍ଦ , ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ପଦରୁ ଅବିଳମ୍ବେ ବହିଷ୍କାର , ଭୁଲ୍ ପାଠ୍ୟପୁସ୍ତକ ପ୍ରକାଶନର ଖଳନାୟକ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବହିଷ୍କାର ଓ ବନ୍ୟା ପ୍ରଭାବିତ ଲୋକଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଏବଂ ସହାୟତା ପ୍ରଦାନ ଦାବିରେ ଆହୂତ ଏହି ଓଡ଼ିଶା ବନ୍ଦ ପ୍ରତି ସମଗ୍ର ରାଜ୍ୟରେ ଜନଗଣ ଅଭୂତପୂର୍ବ ସମର୍ଥନ ଦେଇ ସଫଳ କରାଇଥିବାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରାଯାଇଛି।

ରାଜ୍ୟ ରାଜଧାନୀ ଭୁବନେଶ୍ୱର ରେଳ ଷ୍ଟେସନ, ବରମୁଣ୍ଡା ସମେତ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ପିକେଟିଂ କରି ବନ୍ଦ କରାଯାଇଥିଲା। ବ୍ୟବସାୟ, ବାଣିଜ୍ୟ, ଯାନବାହନ ଚଳାଚଳ ବନ୍ଦ ଥିଲା। ଆଜି ସକାଳେ ଭୁବନେଶ୍ୱରର ରେଳଷ୍ଟେସନରେ ବ୍ୟାରିକେଡ ଲଗାଇ ଆନ୍ଦୋଳନକାରୀଙ୍କୁ ରୋକାଯାଇଥିବାବେଳେ ସିପିଆଇ ନେତୃତ୍ୱରେ ରାଜମହଲ, କଳ୍ପନା, ମାଷ୍ଟରକ୍ୟାଣ୍ଟିନ, ଡମଣା, ପଟିଆ ଛକ ଇତ୍ୟାଦିରେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ସହସମ୍ପାଦକ ଜୟନ୍ତ ଦାସ ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇଣ୍ଡିଆ ବ୍ଲକ୍ ଦଳ ସମୂହର ନେତୃତ୍ୱଙ୍କ ସହ ମିଳିତ ଶୋଭାଯାତ୍ରାରେ ସଚିବାଳୟ ଯିବା ରାସ୍ତାରେ ଏହି ଆନ୍ଦୋଳନକାରୀଙ୍କୁ ଗିରଫ କରି ଭୁବନେଶ୍ୱର ପୋଲିସ ଲାଇନରେ ଅଟକ ରଖାଯାଇଥିଲା। ଏହି ବନ୍ଦ ଆନ୍ଦୋଳନରେ ସ୍ୱତଃସ୍ପୂର୍ତ ଜନ ସମର୍ଥନରେ ଆତଙ୍କିତ ବିଜେପି ସରକାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ନିନ୍ଦନୀୟ। ଯେ ପର୍ଯ୍ୟନ୍ତ ଏହି ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଚେତାବନୀ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande