
ଝାରସୁଗୁଡ଼ା, ୮ ଅକ୍ଟୋବର (ହି.ସ.)- କେନ୍ଦ୍ର ସରକାରଙ୍କ ଖଣି ଓ ଖଣିଜ (ସଂଶୋଧନ) ଆଇନ ପ୍ରତ୍ୟାହାର ଦାବିରେ ଗୁରୁବାର ଆହୂତ ୧୨ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ବ୍ୟାପକ ପ୍ରଭାବ ଝାରସୁଗୁଡ଼ା ଜିଲ୍ଲାରେ ପରିଲକ୍ଷିତ ହୋଇଛି। ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ ଓ ଡାକ ସେବା ବନ୍ଦ ରହିଥିଲା। ଯାତ୍ରୀବାହୀ ବସ୍ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ବନ୍ଦ ରହିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା। କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ, ବିଭିନ୍ନ ଶ୍ରମିକ ସଂଗଠନ ଓ ସ୍ଥାନୀୟ ଅଟୋ-ଗାଡ଼ି ମୋଟର ସଂଘ ସମର୍ଥନ କରିଥିଲେ।
ସକାଳୁ ଝାରସୁଗୁଡ଼ା ସହରର ପୁରୁଣା ବସଷ୍ଟାଣ୍ଡ, ବେହେରାମାଲ, ବଢ଼େଇମୁଣ୍ଡା, ରେଳଷ୍ଟେସନ, ବିଟିଏମ୍ ବାଇପାସ୍ ଛକ ଆଦି ସ୍ଥାନରେ ବନ୍ଦ ସମର୍ଥକମାନେ ପିକେଟିଂ କରିଥିଲେ। ବ୍ରଜରାଜନଗର ଓ ବେଲପାହାଡ଼ର ବିଭିନ୍ନ ପ୍ରମୁଖ ଛକରେ ମଧ୍ୟ ପିକେଟିଂ ସହ ଶୋଭାଯାତ୍ରା କରାଯାଇଥିଲା। ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଅନୁଯାୟୀ, ନୂତନ ସଂଶୋଧିତ ଆଇନ ଦ୍ୱାରା ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ କ୍ଷତିଗ୍ରସ୍ତ ହେବା ସହ ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହେବ। ଖଣି ସମୃଦ୍ଧ ଝାରସୁଗୁଡ଼ା ଜିଲ୍ଲାର ସ୍ୱାର୍ଥ ଓ ଖଣିଜ ସମ୍ପଦର ସୁରକ୍ଷା ପାଇଁ ଏହି ଆଇନ ପ୍ରତ୍ୟାହାର ଜରୁରୀ ବୋଲି ସେମାନେ ଦାବି କରିଥିଲେ। ତେବେ ଜନସାଧାରଣଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମ୍ବୁଲାନ୍ସ, ଡାକ୍ତରଖାନା, ପାନୀୟ ଜଳ, ବିଦ୍ୟୁତ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗରରେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା।
ଝାରସୁଗୁଡ଼ାରେ ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକ ଦାସ, ପୂର୍ବତନ ସଭାପତି ଭରତ ଅବସ୍ଥି, ରାଜ୍ୟ ସାଧାରଣ ସମ୍ପାଦିକା ଅମିତା ବିଶ୍ୱାଳ, ସମ୍ପାଦକ ସଞ୍ଜୟ ମହାପାତ୍ର, ଅଲେଖ କୁମାର, ସଲିମ ଖାନ, ମୁସ୍ତଫା ୱାରିଶ, ମଣିଷ ବାଜପାୟୀ, ସହର କଂଗ୍ରେସ ସଭାପତି ଦେବାନନ୍ଦ ବାରିକ, ରିୟାଜ ହୁସେନ, କାଜଲ ଘୋଷ, ଶୈଳେଶ ଅବସ୍ତି, ଶୁକଦେବ ବାଗ, ଅଜୟ କୁମାର ପଣ୍ଡା, ମାନବ ଘୋଷ, ସନ୍ତୋଷ ଦେ, ଅଶୋକ ଖରସେଲ, ଭି. ଗୌରୀ, ସଉକି ଲୁହା ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇଥିଲେ। ସିପିଆଇ(ଏମ୍) ପକ୍ଷରୁ ବାସୁଦେବ ଧୂରୁଆ ଏବଂ ସମାଜବାଦୀ ପାର୍ଟି ପକ୍ଷରୁ ମହମ୍ମଦ ଅଖତର, ସୁବାସ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
ବେଲପାହାଡ଼ରେ ଭାସ୍କର ପଟେଲ ଓ ହେମସାଗର ପଟ୍ଟନାୟକଙ୍କ ନେତୃତ୍ୱରେ ବନ୍ଦ ପାଳନ ହୋଇଥିବା ବେଳେ ବ୍ରଜରାଜନଗରରେ ଆରତ ବେନିଆଙ୍କ ନେତୃତ୍ୱରେ ସମର୍ଥକମାନେ ବନ୍ଦ ପାଳନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ