ଚକଡ଼ା ପୋକ ଆକ୍ରମଣରେ ଧାନ ଫସଲ ନଷ୍ଟ, ଚିନ୍ତାରେ ଲଖନପୁର ଚାଷୀ : କୃଷି ବିଭାଗର ସରଜମିନ ଅନୁଧ୍ୟାନ ଓ ନିୟନ୍ତ୍ରଣ ପଦକ୍ଷେପ ଆରମ୍ଭ
Paddy crop damaged by brown planthopper infestation
ଚକଡ଼ା ପୋକ ଆକ୍ରମଣରେ ଧାନ ଫସଲ ନଷ୍ଟ, ଚିନ୍ତାରେ


ଝାରସୁଗୁଡ଼ା, ୮ ଅକ୍ଟୋବର (ହି.ସ.)-

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳରେ ଧାନ ଫସଲରେ ଚକଡ଼ା ପୋକର ପ୍ରାଦୁର୍ଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଜାମଗାଁ ସମେତ ଆଖପାଖ ଅଞ୍ଚଳର ଅନେକ ଚାଷଜମିରେ ଏହି ପୋକ ଆକ୍ରମଣ କରିଥିବାରୁ ଧାନ ଗଛ ଶୁଖି ନଷ୍ଟ ହେବାକୁ ଲାଗିଛି। ଅମଳ ସମୟ ପାଖେଇ ଆସିଥିବା ବେଳେ ଏଭଳି ପରିସ୍ଥିତି ଚାଷୀଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି।

ଜାମଗାଁ ଗ୍ରାମର ଚାଷୀ ତେଜରାମ ବାରିକଙ୍କ ଅଧ ଏକର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡ଼ିଛି। ସେହିପରି ଧନଞ୍ଜୟ ପଧାନ, ଚନ୍ଦ୍ରମଣି ପଧାନ, ଆନନ୍ଦ ବିଶି, ସନ୍ୟାସୀ ପଧାନ, ରାଜେନ୍ଦ୍ର ପଧାନ, ସହଦେବ ପଧାନ, ମହେନ୍ଦ୍ର ବିଶି ଓ ଗଣେଶ ପଧାନଙ୍କ ଧାନ କିଆରୀରେ ମଧ୍ୟ ଚକଡ଼ା ପୋକ ଆକ୍ରମଣ ଦେଖାଦେଇଥିବା ଚାଷୀମାନେ କହିଛନ୍ତି।

ଚଳିତ ଖରିଫ ଋତୁରେ ଧାନ ଚାଷ ପାଇଁ ବିହନ, ସାର, କୀଟନାଶକ ଓ ଶ୍ରମିକ ବାବଦରେ ଚାଷୀମାନେ ବହୁ ଅର୍ଥ ଖର୍ଚ୍ଚ କରିଛନ୍ତି। ଅମଳ ସମୟରେ ଚକଡ଼ା ପୋକ ଆକ୍ରମଣ ଯୋଗୁଁ ଫସଲ ନଷ୍ଟ ହେଲେ ଚାଷରେ ଲାଗିଥିବା ଅର୍ଥ ଭରଣା କରିବା କଷ୍ଟକର ହେବ ବୋଲି ସେମାନେ କହିଛନ୍ତି। ଏଣୁ କୃଷି ବିଭାଗ ତୁରନ୍ତ ପ୍ରଭାବିତ ଅଞ୍ଚଳରେ ସରଜମିନ ଅନୁଧ୍ୟାନ କରିବା ସହ ଚକଡ଼ା ପୋକ ନିୟନ୍ତ୍ରଣ ପାଇଁ ବିଶେଷଜ୍ଞ ପରାମର୍ଶ ଓ ଆବଶ୍ୟକ କୀଟନାଶକ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି। ଏଥିସହ ପ୍ରକୃତ ଫସଲ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ନିୟମାନୁଯାୟୀ ବୀମା କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଦାବି ହୋଇଛି।

ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଅମିତ ପଟେଲ କହିଛନ୍ତି ଯେ, ଅତାବିରା ଓ ମଚିଦା ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ଯାଇ ଧାନ ଫସଲର ସ୍ଥିତି ଅନୁଧ୍ୟାନ କରାଯାଇଛି। ଜାମଗାଁ ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ଯାଇ ଚକଡ଼ା ପୋକ ଦ୍ୱାରା ପ୍ରଭାବିତ ଫସଲର ସ୍ଥିତି ପରଖିବା ସହ ଏହାର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜି. ଜୈନ ନାୟାର କହିଛନ୍ତି ଯେ, ଜିଲ୍ଲା କୃଷି ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନଙ୍କ ଦ୍ୱାରା ମଧ୍ୟ ଫସଲର ପରୀକ୍ଷା ନିରୀକ୍ଷା କରାଯିବ। ଚକଡ଼ା ପୋକ ନିୟନ୍ତ୍ରଣ ଓ ଫସଲ ସୁରକ୍ଷା ପାଇଁ ପ୍ରଭାବିତ ଚାଷୀଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯିବ।

ଅନ୍ୟପକ୍ଷରେ, କୃଷି ଅଧିଦର୍ଶକ ପିତାମ୍ବର ବାଗ ଜାମଗାଁ ଗ୍ରାମକୁ ଯାଇ ଚାଷୀମାନଙ୍କ ସହ ଆଲୋଚନା କରି ଚକଡ଼ା ପୋକ ନିୟନ୍ତ୍ରଣ ପାଇଁ ପାଇମେଟ୍ରୋଜିନ୍ ଔଷଧ ଏକର ପ୍ରତି ୧୨୦ ଗ୍ରାମ ୨୦୦ ଲିଟର ପାଣିରେ ମିଶାଇ ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ। ସେହିପରି ଡାଇନୋଟିଫୁରାନ୍ ଔଷଧ ଏକର ପ୍ରତି ୮୦ ଗ୍ରାମ ୨୦୦ ଲିଟର ପାଣିରେ ମିଶାଇ ଧାନ କିଆରୀରେ ୨ ମିଟର ବ୍ୟବଧାନରେ ପଟି ଭାଙ୍ଗି ଔଷଧ ସିଞ୍ଚନ କରିବାକୁ ସେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande