
ଭଦ୍ରକ, ୮ ଅକ୍ଟୋବର (ହି.ସ.) - ଷଣ୍ଡ ଙ୍କ ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ ପ୍ରତିବାଦ ରେ ୬୦ ଟି ଷଣ୍ଡକୁ ଧରି ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ଭର୍ତି କରି ଚାବି ପକାଇଛନ୍ତି ଗ୍ରାମବାସୀ। ଭଣ୍ଡାରିପୋଖରୀ ଥାନା ରଂଜିତ ରାଜସ୍ୱ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ରେ ଦେଖା ଯାଇଛି ଏଭଳି ଘଟଣା। ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ରଂଜିତ ରାଜସ୍ୱ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟ ପରିସରରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଷଣ୍ଡ ଓ ବୁଲା ଗୋରୁଙ୍କ ଦାଉରୁ ଧାନ ଚାଷ ବଂଚାଇବା ପାଇଁ ଅଂଚଳର ଶତାଧିକ ଉତ୍ୟକ୍ତ ଚାଷୀ ଏକାଠି ହୋଇ ୬୦ରୁ ଊର୍ଦ୍ଧ୍ୱ ଷଣ୍ଡଙ୍କୁ ଘେରାଉ କରି ଆଣି ଗତକାଲି ରାତି ପ୍ରାୟ ୯ ଟାରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ପୂରାଇ ଦେବା ସହ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି। ଅଂଚଳରେ ବୁଲା ଷଣ୍ଡଙ୍କ ପ୍ରାଦୁର୍ଭାବ ଯୋଗୁଁ ଏକର ଏକର ଜମିର ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହେଉଛି। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ୱେ କୌଣସି ପଦକ୍ଷେପ ନ ନିଆଯିବାରୁ ଚାଷୀମାନେ ନିରୁପାୟ ହୋଇ ଏପରି ଅଭିନବ ପ୍ରତିବାଦ କରିଛନ୍ତି। ସମସ୍ୟାର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ