
ଜୟପୁର, ୮ ଅକ୍ଟୋବର (ହି.ସ.)- ଘର ତିଆରି ହେଲା, ଖର୍ଚ୍ଚ ହେଲା ଲକ୍ଷ ଲକ୍ଷ ଟଙ୍କା ହେଲେ ଯେଉଁମାନଙ୍କ ପାଇଁ ଘର, ସେମାନେ ଆଜି ବି ରହୁଛନ୍ତି ପାହାଡ଼ କୋଳରେ । ୩୦ ଲକ୍ଷରୁ ଅଧିକ ଟଙ୍କାରେ ତିଆରି ହୋଇଥିବା ୨୨ଟି ଘର ଏବେ ଭଙ୍ଗାରୁଜା ହୋଇ ଖତ ଖାଉଛି । ଏହା କୌଣସି କାହାଣୀ ନୁହେଁ । ଏହା ହେଉଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ରଣ୍ଢାପାଲି ପଞ୍ଚାୟତର ରାମଗଡ଼ କଲୋନୀର ବାସ୍ତବ ଚିତ୍ର |
ଘର ଅଛି ଘରେ ଜୀବନ ନାହିଁ ଏ ହେଉଛି ରାମଗଡ଼ କଲୋନୀ । ସାମ୍ନାରେ ଧାଡ଼ି ଧାଡ଼ି ପକ୍କା ଘର । କିନ୍ତୁ ଘର ଭିତରେ ନାହିଁ ଜୀବନର ଚିହ୍ନ । କେଉଁଠି କବାଟ ଭାଙ୍ଗିଗଲାଣି, କେଉଁଠି କାନ୍ଥ ଭାଙ୍ଗିଲାଣି, ଆଉ କେଉଁଠି ଘର ଚାରିପଟେ ଜଙ୍ଗଲ ମାଡ଼ିଗଲାଣି । ୨୨ଟି ଘର ୩୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ । ହେଲେ ଆଜି ଏହି ଘରଗୁଡ଼ିକ ଲୋକଙ୍କ କାମରେ ନୁହେଁ, ବରଂ ସରକାରୀ ଯୋଜନାର ବିଫଳତାର ନିରବ ସାକ୍ଷୀ ହୋଇ ଠିଆ ହୋଇଛି । ପକ୍କା ଘର ଛାଡ଼ି ପାହାଡ଼ରେ ଜୀବନ ବିତୁଛି l ଯେଉଁମାନଙ୍କ ପାଇଁ ଘର ତିଆରି ହୋଇଥିଲା, ସେମାନେ ଏବେ ବି ପାହାଡ଼ ଉପରେ ରହୁଛନ୍ତି । କାରଣ ଘର ଅଛି, କିନ୍ତୁ ଘରକୁ ଯିବା ପାଇଁ ରାସ୍ତା ନାହିଁ । ପାନୀୟ ଜଳର ସୁବିଧା ନାହିଁ । ଜୀବିକାର ବ୍ୟବସ୍ଥା ନାହିଁ ।ନାହିଁ ଆବଶ୍ୟକ ମୌଳିକ ସୁବିଧା । ଏପଟେ ପାହାଡ଼ ହିଁ ସେମାନଙ୍କ ଜୀବିକାର ମୁଖ୍ୟ ଆଧାର । ତେଣୁ ପକ୍କା ଘର ମିଳିଥିଲେ ବି ନିଜ ଭିଟାମାଟି ଛାଡ଼ି କଲୋନୀକୁ ଆସିପାରିଲେ ନାହିଁ ରାମଗଡ଼ବାସୀ l ଏହି ଘରଗୁଡ଼ିକୁ ଦେଖିଲେ ଗୋଟିଏ ପ୍ରଶ୍ନ ନିଶ୍ଚିତ ଭାବେ ମନକୁ ଆସୁଛି ଘର ତିଆରି କରିଦେଲେ କ'ଣ ସରକାରୀ ଯୋଜନା ସଫଳ ହୋଇଯାଏ ? ଯଦି ଘରକୁ ଯିବାକୁ ରାସ୍ତା ନଥାଏ, ପିଇବାକୁ ପାଣି ନଥାଏ, ଆଉ ଜୀବିକାର ବ୍ୟବସ୍ଥା ନଥାଏ ତେବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି ହୋଇଥିବା ଘରର ଲାଭ କାହାକୁ ? ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଶାସନର ମଧ୍ୟ ରହିଛି ନିଜସ୍ୱ ଯୁକ୍ତି । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କହିବା ଅନୁସାରେ, ଲୋକଙ୍କୁ ଥଇଥାନ କରିବା ପାଇଁ ପୂର୍ବରୁ ଯୋଜନା ହୋଇଥିଲା । କିନ୍ତୁ, ରାମଗଡ଼ବାସୀଙ୍କ ଜୀବନଜୀବିକା ପାହାଡ଼ ଉପରେ ନିର୍ଭର କରୁଥିବାରୁ ସେମାନେ ତଳକୁ ଆସି ରହିବାକୁ ଇଚ୍ଛା କରିନଥିଲେ । ତେବେ ସମ୍ପ୍ରତି ଦୁର୍ଗମ ଅଞ୍ଚଳଗୁଡ଼ିକୁ ଯୋଗାଯୋଗ ସହ ଯୋଡ଼ିବା ପାଇଁ ପଦକ୍ଷେପ ନିଆଯାଉଛି କେବଳ ରାମଗଡ ନୁହେଁ ବର୍ତମାନ ରାମଗଡ଼ ସହ କୁସୁମଭଟା, ସାଙ୍ଗାବାଡ଼ି, ଡେଙ୍ଗସିଲି ଭଳି ଦୁର୍ଗମ ଗାଁକୁ ମଧ୍ୟ ରାସ୍ତା ଓ ଯୋଗାଯୋଗ ସୁବିଧା ଯୋଗାଇବା କାମ ଚାଲିଛି । ଭିବି-ଜି-ରାମ-ଜି ଏବଂ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଭଳି ଯୋଜନାରେ ରାସ୍ତାଘାଟ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି । ପ୍ରଶାସନର ଆଶା ଯୋଗାଯୋଗ ବ୍ୟବସ୍ଥା ସୁଧୁରିଲେ ଲୋକେ ସରକାରୀ ସୁବିଧାର ଲାଭ ନେଇପାରିବେ । ଏନେଇ ବିଡ଼ିଓ ଶକ୍ତି ମହାପାତ୍ରଙ୍କୁ ପଚାରିବାରୁ କହିଥିଲେ ନୂଆ ଘରକୁ ହିତାଧିକାରୀ ଯାଉଛନ୍ତି ଆସୁଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି