



ସମ୍ବଲପୁର, ୦୮, ଅକ୍ଟୋବର (ହି.ସ.) ଜାତୀୟ କଂଗ୍ରେସ ତଥା ଇଣ୍ଡି ମେଣ୍ଟ ପକ୍ଷରୁ ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ସମଗ୍ର ପଶ୍ଚିମ ଓଡ଼ିଶା ସମେତ ସମ୍ବଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି। ଆଜି ସକାଳ ୬ଟାରୁ ସମ୍ବଲପୁର ସହରରେ ପ୍ରାୟ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ବ୍ୟାବସାୟୀକ ପ୍ରତିଷ୍ଠାନ ଏବଂ ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା। ଏହି ବନ୍ଦ ଯୋଗୁଁ ସମସ୍ତ ରାସ୍ତାଘାଟ ଶୂନଶାନ୍ ରହିବା ସହ ବସ୍, ଟ୍ରକ୍ ଏବଂ ଅଟୋ ଭଳି ଯାନବାହନ ଚଳାଚଳ ମଧ୍ୟ ଠପ୍ ହୋଇଥିଲା। ତେବେ ଜରୁରୀକାଳୀନ ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆମ୍ବୁଲାନ୍ସ, ଅଗ୍ନିଶମ, ଏବଂ ଔଷଧ ଦୋକାନ ଗୁଡ଼ିକ ଖୋଲା ରହିଥିଲା । ସହରର ପ୍ରତ୍ୟେକ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।
ସମ୍ବଲପୁର ଜିଲ୍ଲା କଂଗ୍ରେସ କର୍ମୀମାନେ ଜିଲ୍ଲା ସଭାପତି ଅମିତ ଗୁରୁଙ୍କ ନେତୃତ୍ୱରେ ସମ୍ବଲପୁର ରେଳ ଷ୍ଟେସନ ସମ୍ମୁଖରେ ଏକତ୍ରିତ ହୋଇ ବିଜେପି ସରକାର ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଜୋରଦାର ପ୍ରତିବାଦ କରିଥିଲେ। ପୋଲିସ ଆନ୍ଦୋଳନକାରୀଙ୍କୁ ଷ୍ଟେସନ ଭିତରକୁ ପ୍ରବେଶ କରିବାକୁ ପ୍ରତ୍ୟୁଷରେ ବାରଣ କରିଥିବା ବେଳେ କିଛି କଂଗ୍ରେସ କର୍ମୀ ଜୋର ଜବରଦସ୍ତ ଗଳାବାଟ ଦେଇ ରେଳ ଲାଇନକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜନୈକ କଂଗ୍ରେସ କର୍ମୀ ଟ୍ରେନ୍ ସମ୍ମୁଖ ରେଳଧାରଣାକୁ ଓହ୍ଲାଇ ଟ୍ରେନକୁ ଅଟକାଇବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ କରିଥିଲା । ଅବଶ୍ୟ ପୋଲିସ କର୍ମୀ ଜଣଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିଲା। ଏହାପରେ ଆନ୍ଦୋଳନ କାରୀମାନେ ସହରର ପ୍ରମୁଖ ସ୍ଥାନ ଯଥା ଏବଂ ଅଇଁଠାପାଲି ଛକ ଓ ଲକ୍ଷ୍ମୀ ଟକିଜ୍ ଛକ ଅଞ୍ଚଳରେ ପିକେଟିଂ କରି ବନ୍ଦକୁ ସଫଳ କରିବାକୁ ଉଦ୍ୟମ କରିଥିଲେ।
ଏହି ବନ୍ଦ ଡାକରା ସମ୍ପର୍କରେ ଅବଗତ ନଥିବା ବିଭିନ୍ନ ଗ୍ରାମାଞ୍ଚଳରୁ ବହୁତ୍ ଲୋକ ଜରୁରୀ କାମରେ ସହରକୁ ଆସି ହଇରାଣ ହରକତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅନେକ ଗରିବ ଶ୍ରେଣୀର ଲୋକେ ବସ୍ ସେବା ନପାଇ ଅଡ଼ୁଆରେ ପଡ଼ିଥିଲେ। ବିଶେଷକରି ସିନ୍ଦୁରପଙ୍କ, ମାନେଶ୍ୱର ବାମରା ଆଦି ଅଞ୍ଚଳର ଅନେକ ରୋଗୀ ଚିକିତ୍ସା ପାଇଁ ଆସି ଏହି ଆନ୍ଦୋଳନରେ ଫସି ଯାଇଥିଲେ । ଏହା ଜାଣିବା ପରେ ଜିଲ୍ଲା କଂଗ୍ରେସର ନେତୃବୃନ୍ଦ ସେମାନଙ୍କ ଘର ବାହୁଡାର ବ୍ୟବସ୍ଥା କରାଇଥିବା ଦେଖିବାକୁ ମିଳିଥିଲା ।
ଜିଲ୍ଲା କଂଗ୍ରେସ ସଭାପତି ଅମିତ ଗୁରୁ ସ୍ପଷ୍ଟ କରିଛନ୍ତି ଯେ, ସ୍ୱାସ୍ଥ୍ୟ ସେବା ଭଳି ଅତ୍ୟାବଶ୍ୟକ କ୍ଷେତ୍ରକୁ ଆଜିର ଏହି ବନ୍ଦରୁ ବାଦ୍ ଦିଆଯାଇଛି, ଏବଂ ଶାନ୍ତିପୂର୍ଣ୍ଣ ଭାବେ ଏହି ପ୍ରତିବାଦ କରାଯାଉଛି। ଏମଏମଡିଆର୍ ବିଲ୍ ପ୍ରତ୍ୟାହାର, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଭଳି ପ୍ରମୁଖ ଦାବିଗୁଡ଼ିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି ବୋଲି ସେ କହିଛନ୍ତି। ସେପଟେ ଯୁବ କଂଗ୍ରେସ ନେତା ମୋହନ ସାହା ଅଭିଯୋଗ କରିଛନ୍ତି ଯେ, କଂଗ୍ରେସ କର୍ମୀମାନେ ଆନ୍ଦୋଳନ ପାଇଁ ରେଳ ଷ୍ଟେସନକୁ ଯାଉଥିବା ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ବ୍ୟାରିକେଡ୍ କରି ସେମାନଙ୍କୁ ଅଟକାଇଥିଲା । ଏପରିକି କଂଗ୍ରେସ କର୍ମୀମାନେ ରେଳରୋକ କରିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ରେଳ କର୍ତ୍ତୃପକ୍ଷ କେତେକ ଟ୍ରେନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ତରବରିଆ ଭାବେ ଛାଡ଼ି ଦେଇଥିଲେ । ତେବେ ଆଜିର ଆନ୍ଦୋଳନ ବେଶ୍ ସଫଳ ହୋଇଛି ବୋଲି ଗଣମାଧ୍ୟମକୁ କହିଛନ୍ତି । କଂଗ୍ରେସର ପୂର୍ବ ଘୋଷିତ ଏହି ୧୨ ଘଣ୍ଟିଆ ବନ୍ଦ୍ ବେଳେ ଯେପରି କୌଣସି ହିଂସାତ୍ମକ କାର୍ଯ୍ୟକଳାପ ନଘଟେ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ