ଝାରସୁଗୁଡ଼ାରୁ ପୁରୀ ଅଭିମୁଖେ ବାହାରିଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ବସ୍
Senior Citizen Pilgrimage Bus Departs from Jharsuguda for Puri
ଝାରସୁଗୁଡ଼ାରୁ ପୁରୀ ଅଭିମୁଖେ ବାହାରିଲା ବରିଷ୍ଠ ନାଗରିକ


ଝାରସୁଗୁଡ଼ା, ୮ ଅକ୍ଟୋବର (ହି.ସ.)- ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ‘ଶ୍ରୀ ଜଗନ୍ନାଥ ଦର୍ଶନ’ କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡ଼ା ଜିଲ୍ଲାର ପ୍ରାୟ ୪୦୦ ବରିଷ୍ଠ ନାଗରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ତୀର୍ଥଯାତ୍ରା ଦଳ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିଛି। ଆଜି ଅପରାହ୍ନ ୫ଟା ସମୟରେ ସ୍ଥାନୀୟ ମନମୋହନ ପଡ଼ିଆଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ମାନୀତ ଅତିଥି ଭାବେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇ ଓଏସଆରଟିସି ବସ୍ ଗୁଡ଼ିକୁ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳାବତୀ ମିଞ୍ଜ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଏବଂ ବିଜେପି ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା, ସାଂସଦଙ୍କ ପ୍ରତିନିଧି ଶ୍ଳୋକ ସର୍ଣ୍ଣl ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟ ସରକାର ସବୁବେଳେ ବରିଷ୍ଠ ନାଗରିକଙ୍କ କଲ୍ୟାଣ ଏବଂ ସମ୍ମାନ ପାଇଁ ପ୍ରତିବଦ୍ଧ। ଆମ ସଂସ୍କୃତିରେ ପିତାମାତାଙ୍କ ସେବା ହିଁ ସର୍ବୋପରି। ଆଜିର ଯୁବପିଢ଼ି ତଥା ଜେନ-ଜି ର ପିଲାମାନେ ପୁରାଣର 'ଶ୍ରବଣ କୁମାର'ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ବାପା-ମା’ଙ୍କ ଯତ୍ନ ନେବା ଆବଶ୍ୟକ। ଆଜି ଆମ ସରକାର ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କ ପାଇଁ ଶ୍ରବଣ କୁମାରର ଭୂମିକା ତୁଲାଇ ସେମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବାର ସୁଯୋଗ ଦେଇ ଧନ୍ୟ ମନେ କରୁଛି।

ସେହିପରି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉଦବୋଧନ ଦେଇ କହିଛନ୍ତି, ଆମ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ତଥା ସମ୍ମାନର ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବା ଆମ ପାଇଁ ଅତ୍ୟନ୍ତ ଆନନ୍ଦ ଓ ସୌଭାଗ୍ୟର ବିଷୟ। ଜୀବନରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିକ୍ରମା ଓ ଦର୍ଶନ କରିବା ପ୍ରତ୍ୟେକ ଓଡ଼ିଆଙ୍କ ଚିର ଅଭିଳାଷ ହୋଇଥାଏ। ଏହି ଯାତ୍ରା ସେମାନଙ୍କ ମନରେ ନୂଆ ଉତ୍ସାହ ଓ ଆଧ୍ୟାତ୍ମିକ ଶାନ୍ତି ଆଣିଦେବ ଏବଂ ଆଗାମୀ ଦିନରେ ଏଭଳି ସେବା କାର୍ଯ୍ୟ ଜାରି ରହିବ।

ଏହି ଅବସରରେ ଉପସ୍ଥିତ ଅତିଥିମାନେ ସିଧାସଳଖ ବସ୍ ନିକଟକୁ ଯାଇ ତୀର୍ଥଯାତ୍ରୀମାନଙ୍କୁ ଭେଟିବା ସହ ସେମାନଙ୍କ ସୁବିଧା-ଅସୁବିଧା ବିଷୟରେ ପଚାରି ବୁଝିଥିଲେ। ବ୍ରଜରାଜନଗରର ଖତୁରାମ ତନ୍ତୀଙ୍କ ସମେତ ଅନେକ ବରିଷ୍ଠ ନାଗରିକ ଏହି ଯାତ୍ରାର ସୁଯୋଗ ପାଇଥିବାରୁ ଭାବବିହ୍ୱଳ ହୋଇ ନିଜର ଅନୁଭୂତି ପ୍ରକାଶ କରିବା ସହ ରାଜ୍ୟ ସରକାର ଓ ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ। ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହ ଯତ୍ନ ନେବା ପାଇଁ ଏକ ସମର୍ପିତ ‘ଶ୍ରବଣ କୁମାର ଟିମ୍’ଙ୍କୁ ଏହି ଯାତ୍ରାରେ ସାମିଲ କରାଯାଇଛି।

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଏବଂ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୃଷ୍ଣକେଶୀ ବଳିୟାରସିଂହ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ସୋମେଶ ଆଚାର୍ଯ୍ୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ଏବଂ ସହକାରୀ ଜିଲ୍ଲାପାଳ ବିଶ୍ୱଜିତ ରାଉତ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସଂଯୋଜନା କରିଥିଲେ। ଶେଷରେ ଜୟ ଜଗନ୍ନାଥ ଧ୍ୱନି, ହରିବୋଲ, ହୁଳହୁଳି ମଧ୍ୟରେ ବସ୍ ଗୁଡ଼ିକ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande